ନୂଆ ଡ୍ରେନ୍ ନିର୍ମାଣରେ ଅନିୟମିତତା : ଉଚ୍ଛେଦ ନକରି ଦୋକାନ ଭିତରେ ଡ୍ରେନ୍ ଖୋଳା


 ଜଟଣୀ: ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ୮ ନଂ ୱାର୍ଡର ସର୍ଦ୍ଦାର ପଟେଲ ମାର୍ଗର ନୂତନ ଡ୍ରେନ ନିର୍ମାଣରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସୂଚନା ମୁତାବକ କାହା ସ୍ୱାର୍ଥରେ ଏହି ଅଞ୍ଚଳରେ ହେଉଛି ଡ୍ରେନ ନିର୍ମାଣ । ଏଠି ଡ୍ରେନ ନିର୍ମାଣରେ ବ୍ୟବହୃତ ସାମଗ୍ରୀ ନିମ୍ନମାନର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଡ୍ରେନ ନିର୍ମାଣରେ ପାତର ଅନ୍ତର ଅଭିଯୋଗ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଇ ପୂର୍ବରୁ ଏଠାରେ ଡ୍ରେନର ବ୍ୟବସ୍ଥା ଥିଲା କିନ୍ତୁ ପୌର ପ୍ରଶାସନର ଅବହେଳା, ରକ୍ଷଣାବେକ୍ଷଣ ଅଭାବ ଏବଂ ସ୍ଥାନୀୟ ପ୍ରଭାବଶାଳୀ ତଥା ସ୍ଥାନୀୟ ବଜାରର କିଛି ଖଳ ପ୍ରକୃତିର ଲୋକ ଦୋକାନ ଗୃହ କରି ପୁରାତନ ଡ୍ରେନକୁ ସମ୍ପୂର୍ଣ୍ଣ ନଷ୍ଟ କରିଥିବା ନଜିର ଅଛି । ପୁରାତନ ଡ୍ରେନକୁ ପୁନଃରୁଦ୍ଧାର ନ କରି ପୁନର୍ବାର ନୂତନ ଡ୍ରେନ ନିର୍ମାଣ କାହା ସ୍ୱାର୍ଥରେ । ଆଶ୍ଚର୍ଯ୍ୟର ବିଷୟ ନୂତନ ଡ୍ରେନ ନିର୍ମାଣ ରାଜାବଜାରରୁ ଜଟଣୀ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ସର୍ଦ୍ଦାର ପଟେଲମାର୍ଗର ରାସ୍ତା କଡରେ ନିର୍ମାଣ ହେଉଥିବାରୁ ରାସ୍ତାର ବୁଲାଣି ସ୍ଥାନରେ ୪ଟି ବେନିୟମ ଦୋକାନ ଘରକୁ ଉଚ୍ଛେଦ କରାନଯାଇ କେଉଁ ନିୟମ ଅନୁଯାଇ ଦୋକାନ ଗୃହ ମଝିରେ ଡ୍ରେନ ନିର୍ମାଣ ହେଉଛି ଏହା ଚର୍ଚ୍ଚାର ବିଷୟ ପାଲଟିଛି । ବେନିୟମ ଦୋକାନ ଘର ଉଚ୍ଛେଦ ନ ହେବା  ଦ୍ୱାରା ରାସ୍ତା ମଧ୍ୟ ସଂକୁଚିତ ହେବାରେ ଲାଗିଛି । ଏଠି ସମସ୍ତେ ଚୁପ ଏହିପରି ନିର୍ମାଣ ପାଇଁ ଦାୟି କିଏ । ସ୍ଥାନୀୟ ବୁଦ୍ଧିଜୀବିଙ୍କ ମତରେ କହିବ କାହାକୁ ଶୁଣିବ କିଏ ? ସମସ୍ତେ ଏକାକାର । ପୌରପରିଷଦର ଯନ୍ତ୍ରୀଠାରୁ ଆରମ୍ଭ କରି ଠିକାଦାର, ସ୍ଥାନୀୟ କାଉନସିଲର ଏବଂ ପୌରାଧ୍ୟକ୍ଷ ବେନିୟମ ଦୋକାନ ଘରକୁ ବଞ୍ଚାଇ ଡ୍ରେନ ନିର୍ମାଣ ପାଇଁ ଦୋକାନ ମାଲିକଙ୍କ ଠାରୁ କେତେ ଟଙ୍କା ଉକ୍ରଚ ନେଇଛନ୍ତି ନା ଦୋକାନ ମାଲିକ କେଉଁ ରାଜନେତାଙ୍କ ବାହୁ ଛାୟାର ତଳେ ରହି ନେତାଙ୍କ ଚାପରେ ଏଭଳି କାର୍ଯ୍ୟ ହେଉଛି ତାହା ସାଧାରଣରେ ଚର୍ଚ୍ଚା ହେଉଛି । ଏଠି ପୌରପରିଷଦକୁ ପ୍ରତ୍ୟକ ଦୁର୍ନୀତିମୂଳକ କାର୍ଯ୍ୟକୁ ଅଭିଯୋଗ କଲେ ପୌରପରିଷଦ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ । ପୌରପରିଷଦର ନୂତନ ନିର୍ବାଚିତ କାଉନସିଲର ପୌରାଧ୍ୟକ୍ଷଙ୍କ ଦ୍ୱାରା ଚାବି ଚାଳିତ କଣ୍ଢେଇ କହିଲେ ଅତୁ୍ୟକ୍ତି ହେବନାହିଁ । ଉନ୍ନତି ଯୋଜନା ନାମରେ ପୌରପରିଷଦ ହରିଲୁଟ କରୁଥିବା ଅଭିଯୋଗ ହେଉଛି । ଏଭଳି କାର୍ଯ୍ୟ ପ୍ରତି ଉଚ୍ଚ ପଦସ୍ଥ ଅଫିସର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।