ସର୍ବସାଧାରଣ ରାସ୍ତା ଜବରଦଖଲ ଅଭିଯୋଗ : ପ୍ରଶାସନର ସହଯୋଗ ଲୋଡିଲେ ଗ୍ରାମବାସୀ

ଜଟଣୀ :  ଜଟଣୀ ତହସିଲ ଅନ୍ତର୍ଗତ ରଥିପୁର ଗ୍ରାମର କବରସ୍ଥାନକୁ ଯାଇଥିବା ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରାଯାଇଥିବାକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ଅଭିଯୋଗ ମୁତାବକ ଗ୍ରାମର ଅସଲମ ଖାଁ, କୁଦରତ ଖାଁ ଏବେ କିଛି ଯୁବକ ମିଳିତ ଭାବେ ଉକ୍ତ ସର୍ବସାଧାରଣ ରାସ୍ତା ପ୍ଲଟ ନଂ ୩୧୨ ଏବଂ ୩୧୩, ଖାତା ନଂ ୮, ଏରିଆ ୨୦୦ ଡ଼ିସିମିଲ, କିସମ ହୁଡା, ଜଳାଶୟ ଏକ ଏବଂ ସେଥିରେ ଥିବା ନକ୍ସା ଅନୁସାରେ ୨୦ ଫୁଟର ସର୍ବସାଧାରଣ ରାସ୍ତାକୁ ଜୋର ଜବର ଦଖଲ କରି ପଥର ପାଚେରୀ ନିର୍ମାଣ କରିଛନ୍ତି । ଯାହାକୁ ନେଇ ଗ୍ରାମର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ନେଇ ଗ୍ରାମବାସି ଏକତ୍ରିତ ହୋଇ ପ୍ରଥମେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଥାନା ନିଦେ୍ର୍ଦଶ କ୍ରମେ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ପରେ ସ୍ଥାନୀୟ ତହସିଲ ପ୍ରଶାସନକୁ ଅଭିଯୋଗ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ଆସନ୍ତା ୨୮ ତାରିଖ ସୋମବାର ଦିନ ଦିବା ୮  ଘଟିକା ସମୟରେ ତହସିଲ ପ୍ରଶାସନ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସରହଦ ନିର୍ଦ୍ଧାରଣ କରିବା ପାଇଁ ଏକ ନିଦେ୍ର୍ଦଶ ନାମା ଜାରି କରାଯାଇଅଛି । ସୀମା ସରହଦ ନିର୍ଦ୍ଧାରଣ ସମୟରେ ଉକ୍ତ ଯାଗାରେ ଗ୍ରାମର ସମସ୍ତ ପ୍ରଜା ଉପସ୍ଥିତ ରହି ସହଯୋଗ ପାଇଁ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଅଛି ।