ନ୍ୟାୟ ପାଇଁ ଥାନା ସମ୍ମୁଖରେ ନାବାଳିକା ପରିବାର
କାକଟପୁର : ଗତ ୧୦ ତାରିଖରେ ପୁରୀଜିଲ୍ଲା ଅସ୍ତରଙ୍ଗ ଥାନା ନିକଟବର୍ତ୍ତୀ ଏକ ଗ୍ରାମରୁ ଜୈନକ ନାବାଳିକା ଜଣଙ୍କ ଟୁ୍ୟସନ ସାରି ବିଦ୍ୟାଳୟକୁ ଆସୁଥିବା ସମୟରେ ଅସ୍ତରଙ୍ଗ ଥାନା ନିକଟବର୍ତ୍ତୀ ଅସ୍ତରଙ୍ଗ ପାର୍କ ରାସ୍ତାରେ ୨ ଜଣ ଦୁର୍ବୁର୍ତ୍ତ ମାସ୍କ ଲଗାଇ ଏକ କଳା ପଲ୍ସରରେ ଆସି ଉକ୍ତ ଯୁବତୀଙ୍କୁ ଆକ୍ରମଣ କରିଥିଲେ, ଯାହାକୁ ନେଇ ଉକ୍ତ ଯୁବତୀଙ୍କ ତରଫରୁ ଥାନାରେ ଏତଲା ହୋଇଥିଲା । ମାତ୍ର ଘଟଣା କୁ ୧୦ ଦିନ ହୋଇଯାଇଥିଲେ ମଧ୍ୟ ଉକ୍ତ ଦୁର୍ବୁର୍ତ୍ତଙ୍କୁ ପୁଲିସ ଧରିବାରେ ବିଫଳ ହୋଇଛି । ଯାହାକୁ ନେଇ ନାବାଳିକା ଓ ତା ପରିବାର ସମ୍ପୂର୍ଣ୍ଣ ଅସୁରକ୍ଷିତ ବୋଲି ଆଜି ତାଙ୍କ ପରିବାର ତରଫରୁ ଅଭିଯୋଗ ଆସିଛି । ଯାହାକୁ ନେଇ ଯୁବତୀ ତାଙ୍କ ମା ଓ ଅନ୍ୟ ପରିବାର ସଦସ୍ୟ ଆଜି ଅସ୍ତରଙ୍ଗ ଥାନାକୁ ଆସି ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଅନ୍ୟ ପକ୍ଷରେ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାର ସିଂ କହିଛନ୍ତି ଆମେ ଏ ସଂକ୍ରାନ୍ତରେ ତଦନ୍ତ କରୁଛୁ । ସୂଚନା ମୁତାବକ ଝିଅର ଦାଦା ପୂର୍ବ ପାରିବାରିକ ଶତ୍ରୁତାରୁ ଏହିଭଳି କରିଥାଇପାରନ୍ତି ବୋଲି ଦାଦାଙ୍କ ନାମରେ ପୂର୍ବରୁ ଅଭିଯୋଗ ହୋଇଛି । ପୁଲିସ ଦାଦାଙ୍କ ଘରେ ଯାଞ୍ଚ କରିବା ପରେ ଯୁବତୀଙ୍କ ଦାଦାଙ୍କୁ ପାଇନାହାନ୍ତି । ଏ ସଂକ୍ରାନ୍ତରେ ପୁଲିସ ତରଫରୁ ବିଭିନ୍ନ ତଦନ୍ତ ଜାରୀ ରହିଛି କିନ୍ତୁ ବର୍ତ୍ତମାନ ଯୁବତୀ ଜଣଙ୍କର ଶିକ୍ଷାଗତ ଓ ସାମାଜିକ ଜୀବନ ଏକ ପ୍ରକାର ପ୍ରଭାବିତ ହୋଇଛି ବୋଲି ପରିବାର ଲୋକ ଦାବୀ କରିଛନ୍ତି ।