ବ୍ରାଉନ ସୁଗାର ଜବତ: ୩ ଗିରଫ
ବରଗଡ : ବରଗଡ଼ରେ ବ୍ରାଉନସୁଗାର ସହ ପୁଣି ୩ ଗିରଫ । ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ ୱାର୍ଡ ନମ୍ବର ୧୨ କଟକିଆ ପଡ଼ାର ଗୋବର୍ଦ୍ଧନ ଓରଫ ଗୋବୁ ମଲ୍ଲିକ (୩୫), ମନାବନ୍ଧ ପଡ଼ାର ନରସିଂହ ଭୁଏ (୩୨), ୱାର୍ଡ ନମ୍ବର ୧୧ ଗୌରପଡ଼ାର ନିଖିଲ ସିନ୍ଧିରିଆ(୨୨) ବୋଲି ଜଣାପଡିଛି । ଗିରଫ ଯୁବକମାନଙ୍କ ଠାରୁ ପୁଲିସ ୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ବରଗଡ଼ ଏସପି ପ୍ରହ୍ଲାଦ ସହାୟ ମୀନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ଅଭିଯୁକ୍ତ ମାନଙ୍କଠାରୁ ପୁଲିସ ଗୋଟିଏ ସ୍କୁଟି, ୨ ଟି ମୋବାଇଲ୍, ୧୪ ଶହ ଟଙ୍କା ମଧ୍ୟ ଜବତ କରିଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଶୁକ୍ରବାର ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ଟାଉନ ଥାନା ପୁଲିସର ଏକ ଟିମ୍ ବରଗଡ ୫୩ ନମ୍ବର ଜାତୀୟ ରାଜପଥର ଘୁଳିପାଲି ଛକରେ ସମ୍ବଲପୁର ପଟୁ ଆସୁଥିବା ଏକ ସ୍କୁଟି ଉପରେ ଚଢ଼ାଉ କରିଥିଲା । କିଛି ଦିନ ପୂର୍ବରୁ ସହରରୁ ଜଣେ ମହିଳା ଏଭଳି ବ୍ରାଉସୁଗର ବ୍ୟବସାୟ ଚଳାଉଥିବା ବେଳେ ଅବକାରୀ ବିଭାଗ ହାବୁଡ଼ରେ ପଡିଥିଲା । ଅବକାରୀ ବିଭାଗ ତାଠାରୁ ୧୨ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଥିଲା । ଏହା ଉପରେ ପୁଲିସ ରୋକ ଲଗାଇବା ଜରୁରୀ ବୋଲି ସହର ବାସି କହିଛନ୍ତି । ଅନ୍ୟପକ୍ଷରେ ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବା ବୋଲି ବରଗଡ଼ ଏସପି କହିଛନ୍ତି ।