ପଞ୍ଚଦଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା

ବୁଗୁଡ଼ା : ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ପଞ୍ଚଦଶ ଦିବସରେ ପହଞ୍ଚିଥିବା ବେଳେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଓ କେ.ନୀଳମାଧବ ଆଚାରୀଙ୍କ ପକ୍ଷରୁ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଆଜି ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପ୍ରାତଃ କାଳରେ ସ୍ନାନ, ଅବକାଶ ଓ ବାଳଭୋଗ, ପୂର୍ବାହ୍ନରେ ଷଟ୍ କର୍ମ, ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା, ପଣାଭୋଗ ଓ ଷୋଡଶ ଉପଚାର ପୂଜା, ମଧ୍ୟାହ୍ନରେ ଅନ୍ନଭୋଗ, ଅପରାହ୍ନରେ ଚଣ୍ଡିପାଠ, ହୋମ, ଗଜାମୁଆଁ ଭୋଗ ଓ ହାଲୁଆ ଭୋଗ, ରାତିରେ ଅନ୍ନଭୋଗ ଓ ଖିରି କାକରା ଭୋଗ ଆଦି ପାରମ୍ପରିକ ରୀତିନୀତିରେ ମା'ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିବା ବେଳେ କେ.ମନୋଜ କୁମାର ଆଚାରୀ ଓ କେ.ସନ୍ଧ୍ୟାରାଣୀ ଆଚାରୀ ପ୍ରମୁଖ କର୍ତ୍ତା ଓ କର୍ତ୍ତୀ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା  । ପଞ୍ଚ ମାନସିକଧାରୀ ମହିଳା ଝିଲ୍ଲୀ ପ୍ରଧାନ, କେ.ବୁଲ୍ଲିଆମା ପାତ୍ର, ୟୁ. ସନ୍ତୋଷୀ ପାତ୍ର, ବି.ଗାୟତ୍ରୀ ପାତ୍ର, କେ.ଯୋଗି ପାତ୍ର  ପ୍ରମୁଖ ମା'ଙ୍କ ଘଟ ଧାରଣ କରି ହାଇସ୍କୁଲ ଛକ, ନୂଆଁ ବସଷ୍ଟାଣ୍ଡ, ଶକ୍ତି ନଗର, ମୁଖ୍ୟ ସଡକ, ମଦନ ମୋହନ ଛକ, ବ୍ଲକ୍ କଲୋନୀ, ବୁଦ୍ଧଖୋଲ ଗେଟ୍ ଛକ, ପୋଲସରା ରୋଡ, ବଳଦେବ ମନ୍ଦିର ରାସ୍ତା ଆଦି ପରିକ୍ରମା କରି ସ୍ୱଆସ୍ଥାନକୁ ଫେରିଥିଲେ  । ବଡଦାଣ୍ଡରେ  ଆୟୋଜିତ ଭଜନ ସମାରୋହ ଶ୍ରଦ୍ଧାଳୁଙ୍କ ମନ ମୋହିଥିଲା ।