ଏଟିଏମ୍ରୁ ବାହାରୁନି ଟଙ୍କା
ବ୍ୟାସନଗର : ଶନିବାର ଗଲା, ରବିବାର ବି ଗଲା । ଆଜି ସୋମବାରରେ ବି ଏଟିଏମରୁ ବାହାରୁନି ଗୋଟିଏ ବି ଟଙ୍କା । ଦୁଇଦିନ ଛୁଟିରେ ଏଟିଏମରୁ ଟଙ୍କା ଉଠାଇବାକୁ ନିରାଶ ଗ୍ରାହକ ଆଜି ସୋମବାରରେ ବି ସମାନ ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । ଏଟିଏମରୁ ଟଙ୍କା ବାହାରୁ ନଥିବାରୁ ଗ୍ରାହକ ବାଧ୍ୟ ହୋଇ ବ୍ୟାଙ୍କରେ ଧାଡ଼ିରେ ଠିଆ ହୋଇ ଟଙ୍କା ଉଠାଇବାକୁ ବାଧ୍ୟ ହୋଇଥିଲେ । ଆମେ କହୁଛୁ ବ୍ୟାସନଗର ପୌରାଞ୍ଚଳରେ ଥିବା ଏସ୍ବିଆଇ ଏଟିଏମର ଅଚଳ ଅବସ୍ଥାର କଥା । ପୌରାଞ୍ଚଳର ୨୬ଗୋଟି ୱାର୍ଡ଼ରେ ଏସବିଆଇର ୧୦ଟି ଏଟିଏମ ରହିଛି । ଆଜିକାଲି ପ୍ରାୟତ ଅଧିକାଂଶ ଗ୍ରାହକ ଟଙ୍କା ନେଣ କାରବାର ଏଟିଏମରେ କରୁଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ଗ୍ରାହକଙ୍କୁ ଡ଼ିଜିଟାଲ କାରବାର କରିବାକୁ ପ୍ରୋସôାହିତ କରୁଛନ୍ତି । ବ୍ୟାଙ୍କରେ ଭିଡ଼ କମାଇବା ଏବଂ ମାନୁଆଲ କାରବାରକୁ ସଙ୍କୁଚିତ କରିବାକୁ ଏଭଳି ପଦକ୍ଷେପ ନେଇଥିବା ବେଳେ ଗଲା ୩ଦିନ ହେଲା ଏସବିଆଇ ଏଟିଏମରୁ ଟଙ୍କା ନବାହାରିବାରୁ ଗ୍ରାହକ ନାହିଁ ନଥିବା ହିନସ୍ଥା ଭୋଗୁଛନ୍ତି । ମାର୍ଚ୍ଚ ମାସକୁ ମାସର ପ୍ରଥମାର୍ଦ୍ଧରେ ପେନସନଧାରୀ, ଭତାଧାରୀ ଏବଂ ସୁଭଦ୍ରା ହିତାଧିକାରୀ ଟଙ୍କା ଉଠାଇବାକୁ ବହୁ ସଂଖ୍ୟାର ଆସୁଛନ୍ତି । ହେଲେ ଏଟିଏମରୁ ଟଙ୍କା ବାହାରୁ ନଥିବାରୁ କିଏ ନିରାଶ ହେଇ ଘରକୁ ଫେରୁଛନ୍ତି ତ କିଏ ବ୍ୟାଙ୍କର ଲମ୍ବା ଧାଡ଼ିରେ ଠିଆ ହୋଇ ଟଙ୍କା ଉଠାଉଛନ୍ତି । ଏଭଳି ଅବ୍ୟବସ୍ଥା ସଂପର୍କରେ ବ୍ୟାଙ୍କର ମୁଖ୍ୟ ପରିଚାଳକଙ୍କୁ ପଚାରିବାରେ କହିଥିଲେ କି ଏଟିଏମ ପରିଚାଳନା କରୁଥିବା ଏଜେନ୍ସିକୁ କଳାତାଲିକାଭୃକ୍ତ କରାଯାଇଥିବାରୁ ଏଭଳି ସମସ୍ୟା ଉପୁଜିଛି । ଆଉ ୧୫ଦିନ ପାଖାପାଖି ଏହି ସମସ୍ୟା ଲାଗିରହିବ ବୋଲି କହିଥିଲେ ।