ପାଣିପାଗ ପରିବର୍ତ୍ତନର ପ୍ରଭାବ: ବିହନ ବୁଣିବା ହେଉନି ସମ୍ଭବ
ରସୁଲପୁର : ପାଣିପାଗର ପରିବର୍ତ୍ତନ ପ୍ରଭାବ ଚାଷୀଙ୍କୁ ବ୍ୟଥିତ କରୁଛି । ଉଚିତ ସମୟରେ ଚାଷ କାର୍ଯ୍ୟ କରିବା ସେମାନଙ୍କ ପାଇଁ ହେଉନି ସମ୍ଭବ । କୌଣସି ବି ଚାଷ ପାଣିପାଗ ପ୍ରଭାବରୁ ନିସ୍ତାର ପାଉନି । ଏବେ ଖରିପ ଋତୁ ସମୟ ଚାଲିଛି । କହିବାକୁ ଗଲେ ଅକ୍ଷୟ ତୃତୀୟାରୁ ଚାଷ କାର୍ଯ୍ୟର ଶୁଭ ପଡ଼ିଛି । ଆଉ ଦିନକଟା ପରେ ରଜ । ଓଡିଆମାନଙ୍କର ଗଣପର୍ବ ରଜ ଉତ୍ସବ ପରେ ଚାଷୀମାନେ ବେଉଷଣରେ ଲାଗିପଡି ଥାଆନ୍ତି । ଏବର୍ଷ କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ହୋଇପଡିଛି । ଆଗୁଆ ସୌସୁମୀ ବର୍ଷା ଆଗମନ ଯୋଗୁଁ ୨/୩ଦିନ ଧରି ବର୍ଷା ଲାଗି ରହିଲା । ଫଳରେ ଧାନକ୍ଷେତ ବେଉଷଣ ହୋଇପାରିଲା ନାହିଁ । ଅସମୟ ବର୍ଷା ଯୋଗୁଁ ଧାନକ୍ଷେତ ଅନାବନା ଗଛ, ଘାସ, ଗୁଳ୍ମ ଆଦିରେ ଭର୍ତ୍ତି ହୋଇଛି । ଏହି ଜମିକୁ ଚାଷକରି ବିହନ ବୁଣିବାରେ ଚାଷୀ ବ୍ୟସ୍ତ ରହିଛି । ସନ୍ଧ୍ୟା ସମୟରେ କାଳବୈଶାଖି ବର୍ଷା ଯୋଗୁଁ ପରଦିନ ଚାଷ ହୋଇଥିବା କ୍ଷେତ କାଦୁଆ ହୋଇଯାଉଛି । ଯାହାଫଳରେ କ୍ଷେତକୁ ହଳ କରିବା ସମ୍ଭବପର ହୋଇପାରୁ ନ ଥିବାରୁ ବିହନ ବୁଣାବୁଣି ସମ୍ଭବପର ହୋଇପାରୁ ନାହିଁ । ଆଗୁଆ ମୌସୁମୀ ଯୋଗୁଁ ଅଧିକ ବର୍ଷା ବରଷିଲେ ଚାଷୀମାନେ କ୍ଷେତରେ ବିହନ ବୁଣିବା ବଦଳରେ ଧାନଗଛ ରୋଇବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା କରୁଥିଲେ । ହେଲେ ମୌସୁମୀ ବର୍ଷା ବି ଚାଷୀମାନଙ୍କୁ ହତାଶ କରିଛି । ମାତ୍ର ଅଳ୍ପ ପରିମାଣ ବର୍ଷା ହୋଇ ଗତ କିଛି ଦିନ ହେବ ପ୍ରଚଣ୍ଡ ଖରା ହେଉଛି । ଧାନ ରୋଇବା ପାଇଁ ଖାଲୁଆ ଅଞ୍ଚଳରେ ଯେଉଁ ତଳି ପଡିଥିଲା, ସେତକ ବି ଉଧୋଉ ନାହିଁ । ତାପରେ ବର୍ଷାର ପରିମାଣ ଆବଶ୍ୟକତା ପୂରଣ କରିପାରୁ ନଥିବାରୁ କ୍ଷେତକୁ କାଦୁଅ କରି ରୁଆପୋତା କରିବା ସମ୍ଭବପର ହୋଇପାରୁ ନାହିଁ । ମୌସୁମୀ ବର୍ଷାର ଅନିଶ୍ଚିତତା ସ୍ଥିତିରେ ଚାଷୀକୂଳ ବିଶେଷ ପ୍ରଭାବିତ ହେଉଛି । ଯଦି ଏଭଳି ଅବସ୍ଥା ଲାଗିରହେ ତେବେ ଖରିଫ ଧାନଚାଷ ପ୍ରଭାବିତ ହେବ ବୋଲି ଅଗ୍ରଣୀ ଚାଷୀ ଶିଶିର କୁମାର ରାଉତ ପ୍ରକାଶ କରିଛନ୍ତି । ପରିବର୍ତ୍ତିତ ପାଣିପାଗର ସ୍ଥିତି ଅନୁଯାଇ ଚାଷୀମାନେ କେଉଁ ଫସଲ ପ୍ରତି ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ସେ ଦିଗରେ କୃଷି ବିଭାଗ, କୃଷି ବିଶେଷଜ୍ଞ, ବୈଜ୍ଞାନିକମାନେ ଅନୁଧ୍ୟାନ କରି ଚାଷୀଙ୍କୁ ସଚେତନତା କରିବା ସହ ଆବଶ୍ୟକ ହୋଇପଡ଼ିଛି ।