ମାଓବାଦୀ ପୋତିଥିଲେ ୩୫ ଲକ୍ଷ
ଭୁବନେଶ୍ୱର: ଦେଶକୁ ମାଓମୁକ୍ତ କରିବା ପାଇଁ ଜୋରଦାର ଅଭିଯାନ ଚାଲିଛି । ସେମାନଙ୍କ ଆଡ୍ଡାସ୍ଥଳୀଗୁଡ଼ିକ ଗୋଟିକ ପରେ ଗୋଟିଏ ଧ୍ୱଂସ ପାଉଥିବାବେଳେ ଅନେକ କୁଖ୍ୟାତ ମାଓବାଦୀଙ୍କୁ ନିପାତ କରାଯାଇଛି । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଉଥିବା ଖବର ବି ସବୁଦିନ ମିଳୁଛି । ହେଲେ ମାଟିତଳେ ମାଓବାଦୀମାନେ ଲକ୍ଷ ଲକ୍ଷ ଟଙ୍କା ପୋତିଥିବା ଖବର ଏବେ ଚର୍ଚ୍ଚା ସୃଷ୍ଟିକରିଛି ।
ରାଞ୍ଚô ଆଇଜି ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତିଯେ, ବିଶେଷ ଗୁଇନ୍ଦା ସୂଚନା ପାଇ ଚାଇବସା ପୁଲିସ ସେଠାରେ ପହଞ୍ଚି ମାଟି ଖୋଳି ପାଖାପାଖି ୩୫ ଲକ୍ଷ ଟଙ୍କା ଜବତ କରିଥିଲା । ବିସ୍ଫୋରକ କିଣିବା ପାଇଁ ନକ୍ସଲମାନେ ଏହି ଟଙ୍କା ରଖିଥିଲେ । ସେଠାରୁ ପାଖାପାଖି ୩୫ ଲକ୍ଷ ଟଙ୍କା ମିଳିଥିବା ଅନୁମାନ କରାଯାଉଛି । ତେବେ ଥାନାରେ ଗଣତି ପରେ ପ୍ରକୃତରେ କେତେ ଟଙ୍କା ମିଳିଛି, ତାହା ଜଣାପଡିବ ବୋଲି ସେ ରାଞ୍ଚି ଆଇଜି କହିଛନ୍ତି ।
ଜବତ ଟଙ୍କାଗୁଡିକୁ ନକ୍ସଲମାନେ ବିଡା ବିଡା କରି ଜରିରେ ପ୍ୟାକିଂ କରି ଷ୍ଟିଲ୍ ଟିଫିନରେ ରଖି ଗାତ ଖୋଳି ପୋତି ଦେଇଥିଲେ । ସବୁ ବିଡାରେ ୫୦୦ ଟଙ୍କିଆ ନୋଟ୍ ଥିବା ଦେଖିବାକୁ ମିଳିଛି । କିଛି ନୋଟ୍ ବିଡାକୁ ଜରିରେ ଘୋଡାଇବା ପୂର୍ବରୁ ସେଗୁଡିକୁ ଖବରକାଗଜରେ ଆବୃତ୍ତ କରାଯାଇଥିବା ଦେଖିବାକୁ ମିଳିଛି ।