ବିଜେପି ସରକାରରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ିଛି
ଭୁବନେଶ୍ୱର : ବିଜେଡି ଶାସନ କାଳରେ ପୀଡିତାମାନେ ଅଭିଯୋଗ କରିବାକୁ ଭୟ କରୁଥିଲେ । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା, ତାଙ୍କ ଅଭିଯୋଗ ଶୁଣିବାକୁ ସରକାରଙ୍କ ଆଗ୍ରହ ନଥିଲା କି ସମୟ ମଧ୍ୟ ନଥିଲା । କିନ୍ତୁ ଏବେ ବିଜେପି ସରକାରର କଡା ଅଭିମୁଖ୍ୟ ଦେଖି ରାଜ୍ୟର ମା’ ଓ ଭଉଣୀଙ୍କ ଆତ୍ମବିଶ୍ୱାସ ବଢିଛି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ । ମହିଳା ଦୁଷ୍କର୍ମରେ ଅଭିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନ ଏବଂ ବିଏମସି କର୍ପୋରେଟର ତଥା ବିଜେଡି ନେତା ଅମରେଶ ଜେନାଙ୍କ କ୍ଷେତ୍ରରେ ଦୁଇ ଦଳର ମୁଖିଆ କାହିଁକି ନିରବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଗତ କିଛି ଦିନ ଧରି ଉଭୟ କଂଗ୍ରେସ ଏବଂ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନେ୍ଦାଳନ, ଧାରଣା, କ୍ୟାଣ୍ଡେଲ ଶୋଭାଯାତ୍ରା, ଲୋକସେବା ଭବନ ଘେରାଉ ଭଳି ରାଜନୈତିକ ସୁଆଙ୍ଗ କରୁଥିବା ଆମେ ସମସ୍ତେ ଦେଖୁଛୁ । ଏହା ପ୍ରକୃତରେ ମହିଳା ସୁରକ୍ଷା ପ୍ରସଙ୍ଗ ପାଇଁ ନ ଥିଲା ବରଂ ନିଜ ରାଜନୈତିକ ସ୍ୱାର୍ଥ, ଅସ୍ତିତ୍ୱର ରକ୍ଷା ପାଇଁ ଉଭୟ କଂଗ୍ରେସ ଓ ବିଜେଡି ନେତାମାନେ କରୁଥିଲେ । ତେଣୁ ଅଯଥାରେ ଉଭୟ ବିଜେଡି ଓ କଂଗ୍ରେସ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ ବୋଲି ସୁଶ୍ରୀ ଓରାମ କହିଛନ୍ତି ।