ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର, ୨୫ା୧୧ : ପତ୍ନୀର ଚରିତ୍ରକୁ ସନେ୍ଦହକରି ତାଙ୍କୁ ତଣ୍ଟିଚିପି ହତ୍ୟା କରିବା ମାମଲାର ବିଚାରକରି ସୋମବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ ୩ ହିମାଂଶୁ ଶେଖର ମଲ୍ଲିକ ପତ୍ନୀହନ୍ତାକୁ ଆଜୀବନ କାରଦାଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଯେହେତୁ ଅଭିଯୁକ୍ତ ଜଗଦିଶ ସାହୁ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା ତେଣୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ମାମଲାରେ ତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି । ଏହି ମାମଲାରେ ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୨୩ଟି ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇଥିଲା ।
ପ୍ରାପ୍ତ ସୂଚନା ଅନୁଯାୟୀ, ଧଉଳି ଥାନା ଅଞ୍ଚଳରେ ରହୁଥିବା କଳାହାଣ୍ଡିର ଜଗଦିଶ ସାହୁ ତାଙ୍କ ପତ୍ନୀ ନିର୍ମଳା ସାହୁଙ୍କୁ ତଣ୍ଟିଚିପି ୨୦୧୭ ମସିହା ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ ହତ୍ୟା କରିଥିଲେ । ପତ୍ନୀଙ୍କୁ ହତ୍ୟା କରିବା ପରେ ସେ ନିଜେ ମୂଷା ବିଷ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତୀ କରିଥିଲେ । ହସ୍ପିଟାଲରେ ଜଗଦିଶ ସୁସ୍ଥ ହେବା ପରେ ତାଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଘଟଣା ସଂକ୍ରାନ୍ତରେ ପଚରାଉଚରା କରିଥିଲା । ପୁଲିସ ନିକଟରେ ଜଗଦିଶ ନିଜେ ତାଙ୍କ ପତ୍ନୀଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିବା ସ୍ୱୀକାର କରିଥିଲା । ଏନେଇ ମୃତା ନିର୍ମଳାଙ୍କ ପୁଅ ଗଣେଷରାମ ସାହୁଙ୍କ ଅଭିଯୋଗକ୍ରମେ ଧଉଳି ଥାନାରେ ହତ୍ୟା ମାମଲା ନଂ ୩୨/୧୭ ରୁଜୁ କରିବା ସହ ଅଭିଯୁକ୍ତ ଜଗଦିଶଙ୍କୁ ଗିରଫ କରିଥିଲା । ଏହି ମାମଲାର ତଦନ୍ତ ତକôାଳୀନ ଥାନାଧିକାରୀ ପ୍ରଭାସ ପାଳ କରୁଥିଲେ । ମାମଲାକୁ ସରକାରଙ୍କ ପକ୍ଷରୁ ପ୍ରଦୀପ ସାହୁ ପରିଚାଳନା କରୁଥିଲେ ।