ପବିତ୍ର ମାଘ ପୂର୍ଣ୍ଣିମା ସ୍ନାନ କଲେ ୨ କୋଟି
ଲକ୍ଷ୍ନୌ: ମାଘ ପୂର୍ଣ୍ଣିମାର ପବିତ୍ର ସ୍ନାନ ଆଜି ସକାଳେ ମହାକୁମ୍ଭର ସଙ୍ଗମଠାରେ ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଛି । ଏକ ଭବ୍ୟ ଦୃଶ୍ୟରେ ଘାଟରେ ଗାଧୋଉଥିବା ଶ୍ରଦ୍ଧାଳୁଙ୍କ ଉପରକୁ ହେଲିକପ୍ଟର ୨୫ କୁଇଣ୍ଟାଲ ଗୋଲାପ ପାଖୁଡ଼ା ବର୍ଷା କରିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋର ୪ଟାରୁ ନିଜ ୱାର୍ ରୁମରୁ ମେଳା ଉପରେ ନଜର ରଖିଥିବା ବେଳେ ମହାକୁମ୍ଭ ନଗରର ୧୫ କିଲୋମିଟର ପରିସରରେ ପ୍ରବଳ ଭିଡ଼ ଜମିଥିଲା । ଗଙ୍ଗା, ଯମୁନା ଓ ପୌରାଣିକ ସରସ୍ୱତୀ ନଦୀର ସଙ୍ଗମସ୍ଥଳରେ ସନ୍ଧ୍ୟା ସୁଦ୍ଧା ୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିିଛନ୍ତି । ପ୍ରାୟ ୧୦ ଲକ୍ଷ କଳ୍ପବାସୀ ମେଳା ପରିସର ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ସ୍ନାନ ସମାପ୍ତି ହୋଇଛି । ଏହି କାର୍ଯ୍ୟକ୍ରମରେ ୧୫ ଜଣ ଜିଲ୍ଲାପାଳ, ୨୦ ଜଣ ଅନ୍ୟ ଆଇଏଏସ୍ ଅଧିକାରୀ ଏବଂ ୮୫ ଜଣ ପିସିଏସ୍ ଅଧିକାରୀଙ୍କ ସମେତ ବ୍ୟାପକ ଅଧିକାରୀଙ୍କୁ ନିୟୋଜିତ କରାଯାଇ ସୁରୁଖୁରୁରେ କାର୍ଯ୍ୟକୁ ସୁନିଶ୍ଚିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ରାଜଧାନୀରେ ଥିବା ତାଙ୍କ ସରକାରୀ ବାସଭବନରୁ ନିୟମିତ ଅପଡେଟ୍ ପାଉଛନ୍ତି । ତୀର୍ଥଯାତ୍ରୀଙ୍କ ନିରବଚ୍ଛିନ୍ନ ପ୍ରବାହ ସତ୍ତ୍ୱେ ପ୍ରୟାଗରାଜ ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ପରିଚାଳନା ମୁଖ୍ୟତଃ ସୁରୁଖୁରୁରେ ଚାଲିଥିଲା । ବସନ୍ତ ପଞ୍ଚମୀ ସ୍ନାନ ପରି ସୁରୁଖୁରୁରେ ସ୍ନାନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଘୀ ପୂର୍ଣ୍ଣିମାରେ ପବିତ୍ର ସ୍ନାନ ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବାରୁ ଆମେ ବ୍ୟବସ୍ଥାକୁ ଆହୁରି ଜୋରଦାର କରିଛୁ ବୋଲି ମହାକୁମ୍ଭ ଏସଏସପି ରାଜେଶ ଦ୍ୱିବେଦୀ କହିଛନ୍ତି । ଶୃଙ୍ଖଳା ବଜାୟ ରଖିବା ପାଇଁ ମଙ୍ଗଳବାର ଭୋର ୪ଟାରୁ ମେଳା ଅଞ୍ଚଳରେ ‘ନୋ ଭେଇକିଲ ଜୋନ୍' ଲାଗୁ କରାଯାଇଥିବା ବେଳେ ସନ୍ଧ୍ୟା ୫ଟାରୁ ସମଗ୍ର ସହରକୁ ନୋ-ଭେଇକିଲ ଜୋନ୍ ଘୋଷଣା କରାଯିବା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ରିହାତି ଦିଆଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ଅତିରିକ୍ତ ୧୨୦୦ ସଟଲ ବସ୍ର ବ୍ୟବସ୍ଥା କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ଏଡିଜି ପ୍ରୟାଗରାଜ ଭାନୁ ଭାସ୍କର କହିଛନ୍ତି, କୌଣସି ଜରୁରୀ କାଳୀନ ପରିସ୍ଥିତିରେ ମେଳା ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ସ୍ନାନ ବିଧି ଶେଷ ହେବା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରାଫିକ୍ ଯୋଜନା ବଳବତ୍ତର ରହିବ । ଶ୍ରଦ୍ଧାଳୁଙ୍କୁ ମାର୍ଗଦର୍ଶନ କରିବା ଏବଂ ସୁରୁଖୁରୁରେ ଯାତାୟାତ ସୁନିଶ୍ଚିତ କରିବା ପାଇଁ ସର୍ବସାଧାରଣ ଠିକଣା ପ୍ରଣାଳୀ ନିରନ୍ତର ଭାବରେ ବ୍ୟବହୃତ ହେଉଥିଲା । ପବିତ୍ର ସ୍ନାନ ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଭକ୍ତ ଏବଂ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାକୁମ୍ଭ ସରିବାକୁ ଆଉ ୧୩ ଦିନ ବାକି ଥିବା ବେଳେ ଜାନୁଆରି ୧୩ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ଧାର୍ମିକ କାର୍ଯ୍ୟକ୍ରମ ପରଠାରୁ ୪୭ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ କରିଛନ୍ତି । ମହାକୁମ୍ଭ ଫେବ୍ରୁଆରି ୨୬ରେ ମହାଶିବରାତ୍ରୀର ଅନ୍ତିମ ସ୍ନାନ ସହିତ ଶେଷ ହେବ ।