ବ୍ଲକ୍ ର ପ୍ରଦର୍ଶନ ନୈରାଶ୍ୟଜନକ: ଅତିରିକ୍ତ ଜିଲ୍ଲାପାଳ
ବୋଲଗଡ଼: ନିଜ ପଞ୍ଚାୟତରେ ଶ୍ରମିକମାନଙ୍କୁ ମିଳିବ କାର୍ଯ୍ୟ । ଦାଦନ ମୁକ୍ତ ହେବ ଓଡିଶା, ଏ ଲକ୍ଷ୍ୟରେ ମନରେଗା ଯୋଜନା ଆରମ୍ଭ କରିଥିଲେ ସରକାର । ସେହିପରି ଏହି ଯୋଜନା ସଫଳ ହୋଇ ସରକାରଙ୍କ ଉଦେ୍ଦଶ୍ୟ ପୂରଣ ମଧ୍ୟ କରିଛି । ମନରେଗା ଦାଦନ ମୁକ୍ତ କରିବାରେ କିଛି ମାତ୍ରାରେ ସହାୟକ ହୋଇଥିବା ବେଳେ ଅନେକ ଜାଗାରେ ଏହାର ବିପରୀତ କାର୍ଯ୍ୟ ଦେଖିବାକୁ ମିଳିଛି । ବୋଲଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମନରେଗା ଜନଶୁଣାଣି ଓ ସାମାଜିକ ସମୀକ୍ଷା ଶିବିରରେ ଏଭଳି ଚଞ୍ଚକତା ସାମ୍ନାକୁ ଆସିଛି ।
ବୁଧବାର ବୋଲଗଡ ବ୍ଲକ ପରିସରରେ ମନେରେଗା ଜନଶୁଣାଣି ବୈଠକର ସମୀକ୍ଷା କରି ଏହା ଉପରେ ଚିନ୍ତା ପ୍ରକଟ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା । ମନରେଗା କାର୍ଯ୍ୟ ଚାଲୁଥିବା ସମୟରେ ପଞ୍ଚଦଶ ଅର୍ଥ କମିଶନଙ୍କ ଅର୍ଥ ବିନିଯୋଗ କରି କିଭଳି ଅନିୟମିତତା କରାଯାଇଛି ଏବଂ ପଞ୍ଚାୟତରେ ତଥ୍ୟବିହୀନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କେମିତି ଶେଷ ହୋଇଛି ତାହା ସାମ୍ନାକୁ ଆସିଥିଲା । ସେହିଭଳି ମୃତ୍ତିକା ସଂରକ୍ଷଣ ବିଭାଗ ବିନା ଫଳକରେ କାମ କରି ଦୁଇ ଦୁଇଥର ମୋଟା ଅଙ୍କର ଜରିମାନା ଭରିଥିବା ସତ୍ତ୍ୱେ ଭୁଲ ସୁଧାରି ନ ଥିବା ଜଣାପଡ଼ିଥିଲା । ଦୀର୍ଘ ଦୁଇ ବର୍ଷ ଧରି ବୋଲଗଡ଼ ବନଖଣ୍ଡର ବନପାଳ କୌଣସି କେସ ରେକର୍ଡ ଦେଉନାହାନ୍ତି କି ସମୀକ୍ଷା ବୈଠକକୁ ଆସୁନାହାନ୍ତି । ଏହାକୁ ଭିତ୍ତି କରି ଘଟଣାସ୍ଥଳରୁ ଡିଏଫଓଙ୍କୁ ଫୋନରେ ଅବଗତ କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଦେ୍ର୍ଦଶ ଦେଇଥିଲେ ।
ମନେରେଗା ଯୋଜନାରେ ଗୋପାଳପୁର, ପିଚୁକୁଳି ସାନପଦର, ଅସରଳା, ଫାସିଓଦା, କଡବ ଆଦି ପଚାଂୟତରେ କିଭଳି ଅନମିୟତା ହୋଇଛି ତାହା ସାମାଜିକ ସମୀକ୍ଷା ଅଧିକାରୀ ସାମ୍ନାକୁ ଆଣିଥିଲେ । ସାମାଜିକ ସମୀକ୍ଷା ତଥ୍ୟକୁ ଦେଖିଲେ ବୋଲଗଡ ପଞ୍ଚାୟତ ସମିତି ଅଧୀନରେ ମନେରେଗା କାଯ୍ୟକ୍ରମ ଅତି ନୈରାଶ୍ୟଜନକ ବୋଲି ମତପ୍ରକାଶ ପାଇଥିଲା । ମନେରେଗା ଜନ ଶୁଣାଣିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧା ଚେୟାର ଫାଙ୍କା ପଡିଥିବା ବେଳେ ଜଣେ ହେଲେ ହିତାଧିକାରୀ ଉପସ୍ଥିତ ନ ଥିଲେ । ଯାହା ସମୀକ୍ଷା ବୈଠକର କାର୍ଯ୍ୟକାରିତା କେବଳ ନାମକୁ ମାତ୍ର ହେଉଥିବା ସାଧାରଣରେ ଆଲୋଚନା ହେଉଥିଲା ।