ବୈକୁଣ୍ଠ ସମାନ ଘର

ବିଜୟଲକ୍ଷ୍ମୀ ଶତପଥୀ : ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର । ଗୋଟିଏ ଘରକୁ ବୈକୁଣ୍ଠ ପରି କରିବାକୁ, ଆଦର୍ଶ ପରିବାରର ମାନ୍ୟତା ଦେବାକୁ ଉଭୟ ପିତାମାତା ତଥା ପିଲାମାନଙ୍କ ଗୁରୁ ଦାୟିତ୍ୱ ରହିଛି । ପିଲାମାନଙ୍କ ଚରିତ୍ର ଗଠନ ଦିଗରେ ପିତା ମାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅତ୍ୟଧିକ ସ୍ୱାଧୀନତା ପିଲାଙ୍କୁ ବିପଥଗାମୀ କରିପାରେ । ପିଲାଙ୍କୁ ଛୋଟ ବେଳୁ ଶୃଙ୍ଖଳା ଶିକ୍ଷା ଦେବା ଆବଶ୍ୟକ । ଶିଶୁଟି ତାର ପିତାମାତାଙ୍କୁ ଦେଖି ଦେଖି ବଢ଼ିଥାଏ, ତେଣୁ ଆମେ ପିଲାଟିକୁ ଯେଉଁ ଶୃଙ୍ଖଳା କଥା କହୁଛୁ ନିଜ ଜୀବନରେ ମଧ୍ୟ ତାହାର ପରିପାଳନ ଆବଶ୍ୟକ । ଆମେ ଯଦି ଛୋଟ ବେଳୁ ପିଲାଙ୍କୁ ସଠିକ ମାର୍ଗରେ ପରିଚାଳିତ କରିପାରିବା ନାହିଁ ତାହେଲେ ବୟସ ବଢ଼ିଲେ ତାକୁ ଠିକ ରାସ୍ତାକୁ ଆଣିବା କାଠିକର ପାଠ ହୋଇଯାଏ ।
ଶ୍ରୀସତ୍ୟସାଇ ବାବା କହନ୍ତି, ମୁଁ ମୋର ୭୫% ସମୟ ଛାତ୍ରମାନଙ୍କୁ ଦେଇଥାଏ, କାରଣ ସେମାନେ ହେଉଛନ୍ତି ମୋର ସମ୍ପତ୍ତି, ଏ ଦେଶର ସମ୍ପତି ଏବଂ ପ୍ରେମ ଓ ନିୟମ ଏହି ଦୁଇଟି ହେଉଛି ମୋର ଲାଳନ ପାଳନ ବିଧି । ଭଗବାନ ବାବା ଖୁବ ସୁନ୍ଦର ଭାବରେ ବୁଝାଇ କହନ୍ତି, "ତୁମେ ଯେଉଁ ପରିସ୍ଥିତି ଦେଇ ଗତି କରୁଥାଅ ନା କାହିଁକି ପିଲାଙ୍କ ସାମ୍ନାରେ କେବେ ହେଲେ ପାରିବାରିକ ଅସୁବିଧା ସବୁର ଆଲୋଚନା କରିବ ନାହିଁ । ତୁମ ଶିଶୁ କଣ ସବୁ ନକରୁ ବୋଲି ତୁମେ ଚାହୁଁଛ ତାକୁ ନିଜେ ଆଗେ ଜାଣ । ନିଜେ ଚିନ୍ତା କର ଯେ ଶିଶୁର ଗଠନ ଦିଗରେ ତୁମେ ବିଳମ୍ବ କରି ଦେଉନ ତ? ଯଦି ତାହା ଅନୁଭବ କରୁଛ ତେବେ କାହିଁକି? ମୁଁ ସବୁବେଳେ ଅତି ଛୋଟ ଛୋଟ ଭଲ କାମ ପାଇଁ ପିଲାଙ୍କୁ ପ୍ରଶଂସା କରିଥାଏ । କିଏ ଭଲ ବେଦ ଗାନ କରୁଛି, କିଏ ଭଲ ଡ୍ରାମା କରୁଛି, ଭଲ ଭଜନ ଗାଉଛି ମୁଁ ସବୁବେଳେ ସେମାନଙ୍କୁ ପ୍ରଶଂସା କରି ଉତ୍ସାହିତ କରିଥାଏ । ତୁମ୍ଭେମାନେ ମଧ୍ୟ ଶିଶୁ ଯାହା ବି ଭଲ କରୁଛି ତାହା ଦେଖି ତାକୁ ପ୍ରଶଂସା କର, ଉତ୍ସାହିତ କର । ଯଦି ବି କିଛି ଭୁଲ ହେଉଛି ତାକୁ ସ୍ନେହର ସ୍ପର୍ଶ ଦେଇ ସୁଧାରି ନେବାରେ ସାହାଯ୍ୟ କର ଏବଂ ମନେ ରଖ ଶିଶୁ ଭିତରେ ମୂଲ୍ୟ ବୋଧର ବୀଜ ବୁଣିବା ଅର୍ଥ ନିଜ ଜୀବନରେ ତାକୁ ଅଭ୍ୟାସ କରିବା ।'
ପ୍ରଭୁ କହନ୍ତି, "ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ ବୋଲି ଶ୍ରୀମଦ ଭଗବତ ଗୀତାରେ କୁହାଯାଇଛି । ବର୍ତ୍ତମାନ ମୁଁ କହୁଛି, ବାସ୍ତବିକ ପ୍ରେମ ସଂସ୍ଥପନାର୍ଥାୟ ସମ୍ଭବାମି ପଦେ ପଦେ । ମୁଁ ସବୁବେଳେ ଅଛି, ପ୍ରତି ମୁହୂର୍ତ୍ତରେ ତୁମ ସହ ଅଛି ଏବଂ ତୁମ ମାନଙ୍କୁ ଠିକ ରାସ୍ତାକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ମୋ କାମରେ ନିରନ୍ତର ଲାଗିଥିବି । କଥାରେ ହିରୋ ଏବଂ କାମରେ ଜିରୋ ହେଲେ ମଁ ଜମା ପସନ୍ଦ କରେ ନାହିଁ । ତେଣୁ ଆଗେ ନିଜ ନିଜ ଜୀବନକୁ ମୂଲ୍ୟବୋଧ ମନ୍ତ୍ରରେ ଅଭିମନ୍ତ୍ରିତ କର ।'
 ଆମେରିକାର ଏକ ଗବେଷଣାରୁ ଜଣାପଡ଼େ ଯେ ଯେତେବେଳେ ଶିଶୁ ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା କରାଯାଉଛି ତାର କାର୍ଯ୍ୟ ଦକ୍ଷତାର ବୃଦ୍ଧି ଘଟୁଛି ଅପରପକ୍ଷେ ଯେତେବେଳେ ଶିଶୁକୁ ଛୋଟ ଛୋଟ କଥାରେ ସମାଲୋଚନା କରାଯାଉଛି ତାର କାର୍ଯ୍ୟ ଦକ୍ଷତା ଆହୁରି କମି ଯାଉଛି । ଯଦ୍ ଭାବମ ତଦ ଭବତି । ତେଣୁ ପିଲାଙ୍କ ଉପରେ ଆମର ଭରସା ଅଛି, ଏ ବିଶ୍ୱାସ ସେମାନଙ୍କ ମଧ୍ୟରେ ଆଣିବାକୁ ହେବ । ଏହା ହିଁ ପିଗମାଲିଆନ ଇଫେକ୍ଟ । ଶ୍ରୀ ସତ୍ୟସାଇ ବାବାଙ୍କ ଅନୁସାରେ, "ଆଧୁନିକତାର ଅନ୍ଧାନୁକରଣ ଆଜି ପିଲାଙ୍କୁ ପିତା ମାତାଙ୍କ ଠାରୁ ଦୂରେଇ ଦେଉଛି । ସେଥିପାଇଁ ହିଁ ପିଲାମାନେ ଖୁବ ବ୍ୟସ୍ତ ବିବ୍ରତ ରହୁଛନ୍ତି, ନିଜ ଉପରୁ ନିୟନ୍ତ୍ରଣ ହରାଇ ବସୁଛନ୍ତି ଯାହା ତାଙ୍କ ଜୀବନର ସବୁଠୁ ବଡ଼ ଭୁଲ ରୂପେ ପରିଗଣିତ ହେଉଛି । ଯେଉଁ ପିତାମାତା ସବୁବେଳେ ପିଲାଙ୍କ ମଙ୍ଗଳ କାମନା କରିଥାନ୍ତି ତାଙ୍କ ଉପରେ ଯଦି ପିଲାଙ୍କ ବ୍ୟବହାର ଏପରି ହୁଏ ତାହାହେଲେ ଜୀବନରେ କେଉଁଥିରେ ସେମାନେ ଆଉ ଆନନ୍ଦ ପାଇବେ? ସ୍ୱାମୀ କହନ୍ତି, ସୁଗୁଣ ଓ ସଫଳତା ପ୍ରାପ୍ତି କେବଳ ଶୃଙ୍ଖଳିତ ଜୀବନରେ ହିଁ ସମ୍ଭବ । ଭଗବାନଙ୍କ ପ୍ରତି, ପିତା ମାତାଙ୍କ ପ୍ରତି ତଥା ତୁମକୁ ସାହାଯ୍ୟ କରୁଥିବା ସମସ୍ତଙ୍କ ପ୍ରତି ସଦା କୃତଜ୍ଞ ରୁହ । କୌଣସି ପରିସ୍ଥିତିରେ ମଧ୍ୟ ପିତା ମାତାଙ୍କ କଷ୍ଟର କାରଣ ହୁଅ ନାହିଁ । ତାଙ୍କ ପାଇଁ ତୁମର ଏ ଜୀବନ । ପିତାମାତାଙ୍କ ସର୍ବୋକ୍ରୃଷ୍ଟ ଉପହାର ହେଉଛି ତୁମ ଶରୀର । ତୁମେ ଯେତେବେଳେ ତୁମ ପିତା ମାତାଙ୍କୁ ଖୁସି କରି ପାରିବ, ତୁମ ଜୀବନରେ ଆନନ୍ଦର ଲହରୀ ଖେଳିବ । ଯଦିଓ ଭଗବାନ ସମସ୍ତଙ୍କ ଜୀବନ ଦେଇଛନ୍ତି, ପିତାମାତା ହିଁ ଆମକୁ ଶରୀର ପ୍ରଦାନ କରିଛନ୍ତି । ମାଟି ଓ ପାଣି ପ୍ରକୃତିର ଦାନ ନିଶ୍ଚୟ । କିନ୍ତୁ ସେଥିରୁ କୁମ୍ଭାର ହିଁ ମାଠିଆ ପ୍ରସ୍ତୁତ କରିଥାଏ । ତେଣୁ ପିତା ମାତାଙ୍କ ପ୍ରତି କୃତଜ୍ଞତା ଭାବରେ ପିଲାଙ୍କ ହୃଦୟ ଭରପୁର ରହିବା ଆବଶ୍ୟକ ।  ମାତୃ ଦେବୋଭବ, ପିତୃ ଦେବୋଭାବ, ଆଚାର୍ଯ୍ୟ ଦେବୋଭବ ଏହି ମନ୍ତ୍ରରେ ଜୀବନ ଅଭିମନ୍ତ୍ରିତ ହେଲେ ହିଁ ଭଗବାନ ଖୁସି ହେବେ । ପୁଣ୍ଡରିକଙ୍କ ପିତୃମାତୃ ଭକ୍ତି ହିଁ ପୁଣ୍ଡରିକଙ୍କୁ ଭଗବାନଙ୍କ ଦର୍ଶନର ସୌଭାଗ୍ୟ ପ୍ରଦାନ କରିଥିଲା । ତେଣୁ ଏକ ବିଭୁ କେନ୍ଦ୍ରିକ ପରିବାର ହେଲେ ହିଁ ଏକ ପରିବାର ଆଦର୍ଶ ପରିବାରର ମାନ୍ୟତା ପ୍ରାପ୍ତ କରିପାରିବ । ଭଗବାନ ବାବାଙ୍କ ଅନୁସାରେ, ହୃଦୟରେ ସଦାଚାର ଥିଲେ ଚରିତ୍ର ସୁନ୍ଦର ହୁଏ । ଚରିତ୍ର ସୁନ୍ଦରତା ଦେଖାଦେଲେ ଘର ମଧ୍ୟରେ ସମନ୍ୱୟ ଦେଖାଦିଏ, ଘର ମଧ୍ୟରେ ସମନ୍ୱୟ ରହିଲେ ଦେଶ ଶୃଙ୍ଖଳିତ ହୁଏ ଏବଂ ସମଗ୍ର ବିଶ୍ୱ ଦିବ୍ୟ ପ୍ରଶାନ୍ତିରେ ଭରିଯାଏ ।
ମୋ: ୯୬୬୮୭୬୬୮୭୦