ପରିବାରକୁ ନିଶା ଦେଇ ପ୍ରେମିକ ସହ ଫେରାର ଘଟଣା... ୨ ଗୁରୁତର ଶିଶୁଙ୍କୁ କଟକ ସ୍ଥାନାନ୍ତର

 କୁଆଖିଆ: ଗତକାଲି କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ଅଂଚଳରେ ଜଣେ ନାବାଳିକା ଛାତ୍ରୀ ନିଜ ବାପା ମାଆ ଓ ଭୋଉଣୀ ମାନଙ୍କୁ ଖାଦ୍ୟରେ ନିଶା ଦେଇ ଫେରାର ହୋଇଯିବା ଘଟଣାରେ ୨ଟି ଶିଶୁଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଆଜି କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଏହି ଅଂଚଳର ଜନୈକା ନାବାଳିକା ଛାତ୍ରୀଦୁର ସମ୍ପର୍କୀୟ ଜଣେ ଯୁବକକୁ ଭଲପାଇ କିଛି ଦିନ ତଳେ ଫେରାର ହୋଇଯାଇଥିଲା । ଝିଅର ବାପା ଏସମ୍ପର୍କରେ କୁଆଖିଆ ଥାନାରେ ଅଭିଯୋଗ କରି ପୁଲିସ ମାଧ୍ୟମରେ ଝିଅକୁ ଉଦ୍ଧାର କରି ଘରକୁ ଆଣିବା ପରେ ଉକ୍ତ ଝିଅ ପୁନର୍ବାର ଗତକାଲି ରାତିରେ ପରିବାରର ବାପା,ମାଆ ଓ ଭଉଣୀଙ୍କୁ ମିଶାଇ ୫ ଜଣଙ୍କୁ ଖାଦ୍ୟରେ ନିଶା ଔଷଧ ମିଶାଇ ଖାଇବାକୁ ଦେଇଥିଲା । ପରିବାର ଲୋକେ ଶୋଇବା ପରେ ଝିଅ ନଗଦ ଟଙ୍କା, ସୁନା, ରୂପା ଅଳଙ୍କାର ଧରି ପ୍ରେମିକ ସହିତ ଫେରାର ହୋଇଯାଇଥିଲା । ସକାଳେ ପଡୋଶୀ ଉକ୍ତ ପରିବାର ଉଠିବା ବିଳମ୍ବଦେଖି ଘରର କବାଟ ଖୋଲି ନିଶାରେ ପରିବାର ଲୋକେ ଶୋଇଥିବା ଜାଣିବାକୁ ପାଇ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୁଖ୍ୟ ମେଡ଼ିକାଲକୁ ନେଇ ଭର୍ତି କରିଥିଲେ । ଖବର ଅନୁଯାୟୀ ଯାଜପୁର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ପରିବାରଙ୍କ ମଧ୍ୟରୁ ବାପା ମାଆ ଓ ଜଣେ ଝିଅ ଭଲ ଥିବାବେଳେ ୨ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲ ପଠାଇ ଦିଆଯାଇଛି । ବର୍ତମାନ ପର୍ଯ୍ୟନ୍ତ କୁଆଖିଆ ଥାନାରେ ଏସମ୍ପର୍କରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।