ସମ୍ପର୍କୀୟ ଭିଣୋଇ ହତ୍ୟା ମାମଲାରେ ଶଳାକୁ ଆଜୀବନ କାରାଦଣ୍ଡ

 ଆନନ୍ଦପୁର: ନିଜ ସମ୍ପର୍କୀୟ ଭିଣୋଇକୁ ହତ୍ୟା ମାମଲାରେ ଅଭିଯୁକ୍ତ ଶଳାକୁ ଆଜୀବନ କାରାଦଣ୍ଡ ସହିତ ୨୫ ହଜାର ଟଙ୍କାର ସଜା ଶୁଣାଇଛନ୍ତି ମାନ୍ୟବର ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ । ସେହିପରି ଜରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ ଦଣ୍ଡ  ନିର୍ଦେଶ ଦେଇଛନ୍ତି । ବିବରଣୀ ଅନୁଯାୟୀ ୨୦୨୩ ମସିହା ଫେବୃଆରୀ ମାସ ୨୭ତାରିଖ ଦିନ ସୋସ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ବାବାଜୀ ମହାନ୍ତିଙ୍କ ପୁଅ ପଦ୍ମନାଭଙ୍କୁ ସେହି ଗ୍ରାମର ମଦନ ଜେନା ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରିଥିଲା । ଘଟଣା ଦିନ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ସେହିଦିନ ସନ୍ଧ୍ୟାରେ ପଦ୍ମନାଭ ନିଜ ଘରେ ବସିଥିବାବେଳେ ମଦନ ଜେନା ଏକ ଠେଙ୍ଗାରେ ପଛପଟୁ ତାଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଫଳରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପଦ୍ମନାଭଙ୍କ ପରିବାର ପକ୍ଷରୁ ସୋସ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ମାମଲା ପଞ୍ଜିକୃତ ପରେ ପୁଲିସ ଘଟଣାର ଛାନଭିନ୍ କରିଥିଲା । ତେବେ୧୪ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି ବୋଲି ସରକାରୀ ଓକିଲ ଅଶ୍ୱିନ କୁମାର ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି ।