ପର୍ଯ୍ୟଟକଙ୍କ ମନମୋହୁଛି ଋଷିପୀଠ ଓ ଯୋଗୀ ମଠ 


ନୂଆପଡାରୁ ପରମେଶ୍ୱର ବାରିକ୍  : ନୂଆପଡା ଜିଲ୍ଲାର ଐତିହାସିକ କୀର୍ତ୍ତିରାଜି ଋଷିପୀଠ ଓ ଯୋଗୀ ମଠ ଦିନକୁ ଦିନ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରୁଛି । ପର୍ଯ୍ୟଟନ କ୍ଷେତ୍ର ଋଷି ପୀଠ ଓ ଯୋଗୀ ମଠର ପରିଦର୍ଶନ ଓ ବଣ ଭୋଜି ପାଇଁ ଦିନକୁ ଦିନ ପର୍ଯ୍ୟଟକମାନଙ୍କ ଭିଡ ଜମୁଛି । ନୂଆପଡା ଜିଲ୍ଲାର ଅନ୍ୟାନ୍ୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ ଋଷି ପୀଠ ଓ ଯୋଗୀ ମଠ ହେଉଛି ଅନ୍ୟତମ । ଚାରିଆଡେ ଚିକ୍ଚିକ୍ କଳା ରଙ୍ଗ ରଙ୍ଗର ମୁଗୁନି ପଥର, ଘଞ୍ଚ ଜଙ୍ଗଲ, ଅଳ୍ପ ଅଳ୍ପ ପାଣି ଝରୁଥିବା ଝରଣା ଓ ମଝିରେ ଛୋଟ ବଡ ଗୁମ୍ପା ପର୍ଯ୍ୟଟକକୁ ଆକୃଷ୍ଟ କରୁଛି । ଋଷି ପୀଠ ପାହାଡ ଉପରେ ମା’ ଋଷି ପିଠେନ ଦେବୀଙ୍କ ମନ୍ଦିର ରହିଥିବାବେଳେ ଯୋଗୀ ମଠର ପ୍ରସ୍ତର ଗୁମ୍ପା ଭିତରେ ପଥର ଉପରେ ଲିଖିତ ଶିଲା ଲିପି ପୂର୍ବ ଇତିହାସକୁ ମନେ ପକାଉଛି । ଯୋଗୀ ମଠକୁ ଲାଗି ଅନେକ ଛୋଟ ବଡ ଗୁମ୍ପା ଏବେବି ଦଣ୍ଡାୟମାନ ରହିଛି । ଏହି ଗୁମ୍ପାମାନଙ୍କରେ ପ୍ରାଗ ଐତିହ୍ୟ ବୈଦିକ କାଳରୁ ଯୋଗୀ ମୁନୀ ଋଷିମାନେ ବର୍ଷବର୍ଷ ଧରି ତପସ୍ୟା ଓ ସାଧନା କରୁଥିବା କିମ୍ବଦନ୍ତୀ ରହିଛି । ଋଷି ପୀଠ ଅନେକ ବର୍ଷ ଧରି ଅବହେଳିତ ଭାବରେ ପଡି ରହିଥିଲା । ତୁକୁଲା ଗାଁର ସମାଜସେବୀ ଗଙ୍ଗା ମେହେର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜସ୍ୱ ପ୍ରଚେଷ୍ଟାରେ ଋଷି ପୀଠକୁ ମନୋହର ସହ ଆକର୍ଷିତ କରିଛନ୍ତି । ସମାଜସେବୀ ଗଙ୍ଗା ମେହେର ଲଣ୍ଡା ପାହାଡରେ ବୃକ୍ଷରୋପଣ କରି ଘଞ୍ଚ ଜଙ୍ଗଲ ସୃଷ୍ଟି କରିଛନ୍ତି । ସେହି ପୀଠ ଦ୍ୱାର ମୁହଁରେ ସୁଉଚ୍ଚ ଗେଟ, ଏହା ପରେ ପାହାଡ ଉପରକୁ ଯିବା ପାଇଁ ଶହ ଶହ ସିମେଣ୍ଟ ପାହାଚ, ସେହିଭଳି ମୁଗୁନି ପଥରରେ ଭଗବାନ ଗଣେଶ, ବୀର ହନୁମାନଙ୍କ ବିଗ୍ରହ ଶୋଭା ପାଉଛି । ସେହିପରି ପାହାଚ ଉପରକୁ ଗଲେ ସାନ୍ତିର ପ୍ରତିକ ମହାତ୍ମା ଗୌତମ ବୁଦ୍ଧ, ବିଭିନ୍ନ ଆକୃତିର କୁତ୍ରିମ ଚଢେଇ, ସିଂହ, ଭଗବାନ ବିଷ୍ଣୁ ଓ ମହାଲକ୍ଷ୍ମୀଙ୍କ ସପ୍ତଫେଣା ନାଗ ସାଫ ଶଯ୍ୟାଶାୟୀ ମୂର୍ତ୍ତି ଶୋଭାପାଉଛି ।  ରୁଷି ପୀଠ ପାହାଡ ଉପରେ ମା’ଋଷି ପିଠେନ ଦେବୀଙ୍କ ମନ୍ଦିର ସମ୍ମୁଖ ଭଗବାନ ଗଣେଶଙ୍କ ମନ୍ଦିର କାମ ଜାରି ରହିଛି । ଜିଲ୍ଲା ପରିଷଦ ସଦସ୍ୟ ମାଲ୍ୟବନ୍ତ ସୁନାଙ୍କ ଜିଲ୍ଲାପରିଷଦ ପାଣ୍ଠିରୁ ୨୩ ଲକ୍ଷ ପ୍ରଦାନ କରାଯାଇଁ ବିଶ୍ରାମ ଗୃହ ଓ ବିଘ୍ନ ବିନାଶକ ଗଣେଶଙ୍କ ଭବ୍ୟ ମନ୍ଦିର ପାଇଁ ଅର୍ଥ ବରାଦ କରାଯାଇଛି । ଆଗକୁ ପର୍ଯ୍ୟଟକମାନଙ୍କ ବୁଲିବା ପାଇଁ ରୋପୱେ ଓ ବିଭିନ୍ନ ସ୍ଥାନରେ ସୋଲାର ଲାଇଟ ସଂଯୋଗ କରିବା ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀ ସୁନା କହିଛନ୍ତି । ପ୍ରତିବର୍ଷ ନୂଆଁ ବର୍ଷ ଓ ନୂଆଁଖାଇ ତିହାର ଦିନ ହଜାର ହଜାର ସ୍ଥାନୀୟ ଲୋକ ତଥା ପଡୋଶୀ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରୁ ହଜାର ହଜାର ଲୋକଙ୍କ ଜନ ଗହଳିି ଲାଗିଥାଏ ।  ତେଣୁ ପ୍ରଶାସନ ପଥର କ୍ୱାରୀ ଲିଜ୍କୁ ବନ୍ଦ କରି ଋଷି ପୀଠ ଓ ଯୋଗୀ ମଠକୁ ପୁନର୍ଜିବିତ କରି ତାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପ୍ରତି ଦୃଷ୍ଟି ଦେଲେ ପର୍ଯ୍ୟଟକମାନଙ୍କ ଆହୁରି ଭିଡ ଜମିବା ସହ ଋଷି ପୀଠ  ତାର ପୂର୍ବ ଇତିହାସ ଓ ଗୌରବକୁ ଫେରି ପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।