ପର୍ଯ୍ୟଟକଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ : ଯୁବକ ଗିରଫ କୋର୍ଟ ଚାଲାଣ

ବାଲିଚନ୍ଦ୍ରପୁର : ଓଳାଶୁଣୀ ପୀଠ ପରିଦର୍ଶନରେ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ଆକ୍ରମଣ କରି ସୁନା ଚେନ ଛଡାଇ ନେବା ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତକଟକ ଜିଲ୍ଲା ତଥା ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ଗ୍ରାମର ଜୟ ପ୍ରକାଶ ସିଂହ।

   ପୁଲିସ ଖବର ମତେ ବରୀ ଥାନା ଅନ୍ତର୍ଗତ ମହାକାଳପଡ଼ା ଗ୍ରାମର ସରୋଜ କୁମାର ସାମଲ ଗତ ୨୮ତାରିଖ ଦିନ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଗୁମ୍ଫା ପାହାଡ଼ ଶୀର୍ଷ ଦେଶରେ ଥିବା ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ଦର୍ଶନ ପାଇଁ ଆସିଥିଲେ । ତେବେ ସେ ସମାଧି ପୀଠ ଦର୍ଶନ ସାରି ପାହାଡର ପାଦ ଦେଶ ଦେଇ ଫେରୁଥିବା ବେଳେ ଅଭିଯୁକ୍ତ ଜୟ ପ୍ରକାଶ ତାଙ୍କୁ ଚାନ୍ଦା ମାଗିଥିଲା । ସରୋଜ ଚାନ୍ଦା ଦେବାକୁ ମନା କରିବାରୁ ଜୟ ପ୍ରକାଶ ତାଙ୍କୁ ବନ୍ଧୁକ ଦେଖାଇ ମାଡ଼ ମାରିବା ସହିତ ତାଙ୍କ ବେକରୁ ସୁନା ଚେନ ଓ ପର୍ସ ଛଡାଇ ନେଇଥିଲା । ପରେ ସରୋଜ ସେଠାରୁ ଆସି ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଥିଲେ । ତେବେ ଅଭିଯୋଗ ଆଧାରରେ ଥାନା କେଶ ନମ୍ବର ୪୦୪/୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଜୟ ପ୍ରକାଶକୁ ପୋଲିସ ଗିରଫ କରି ଥାନାକୁ ଆଣିଥିଲା । ଗତ କାଲି ସନ୍ଧ୍ୟାରେ ଜୟ ପ୍ରକାଶ ଥାନାରେ ଅଟକ ଥିବା ସମୟରେ କୌଶଳର ସହିତ ସେ ଥାନା ଭିତରୁ ଚମ୍ପଟ ମାରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାକୁ ପିଛା କରି ଧରିବାରେ ସଫଳ ହୋଇଥିଲା । ଆଜି ଜୟ ପ୍ରକାଶକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ସମରଜିତ ନାୟକ ସୂଚନା ଦେଇଛନ୍ତି ।