ରକ୍ତରଞ୍ଜିତ ରାଜଧାନୀ ; ୨ ହତ୍ୟା

ରକ୍ତରଞ୍ଜିତ ରାଜଧାନୀ ; ୨ ହତ୍ୟା
  • ପଥରରେ ଛେଚିଦେଲେ, ଗୁଳିରେ ଉଡ଼ାଇଦେଲେ
  • ହତ୍ୟାକାରୀ ଷ୍ଟୋନ୍‌ମ୍ୟାନଙ୍କୁ ଖୋଜୁଛି ପୁଲିସ
  • ଜମି ପାଇଁ ଭାଇକୁ ଗୁଳିକରି ମାରିଦେଲା ଭାଇ

ଭୁବନେଶ୍ୱର : ରକ୍ତରଞ୍ଜିତ ହୋଇଛି ରାଜଧାନୀ । ଆଜି ଗୋଟିଏ ଦିନରେ ଦୁଇଟି ସଂଗୀନ ହତ୍ୟାକାଣ୍ଡ ଘଟିଛି । ଅଜଣା ଯୁବକକୁ ଷ୍ଟୋନମ୍ୟାନ୍‌ ପଥରରେ ଛେଚି ହତ୍ୟା କରିଥିବାବେଳେ ଜମି ପାଇଁ ଭାଇକୁ ଗୁଳି କରି ମାରିଦେବା ଭଳି ଅଭାବନୀୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ଯାହାକି କମିଶନରେଟ୍‌ ପୁଲିସର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବାବେଳେ ହତ୍ୟାକାରୀକୁ ଖୋଜିବା ପାଇଁ ଛାନଭିନ ଜୋରଦାର କରାଯାଇଛି ।

ଆମ ପ୍ରତିନିଧି ଜିତେନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଷ୍ଟୋନ୍‌ମ୍ୟାନ ଆତଙ୍କ ଖେଳାଇଛି । ଅଜଣା ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳ ଉକ୍ରଳ ହସ୍ପିଟାଲ ପଛ ପାୱାର ଗ୍ରିଡ୍‌ ନିକଟ ଏକ ନିଛାଟିଆ ସ୍ଥାନରେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ଘଟଣା ସ୍ଥାଳରେ ଚନ୍ଦ୍ରଶେଖରପୁର ଥାନାର ପୁଲିସ ଟିମ୍‌ ଓ ସାଇଣ୍ଟିଫିକ୍‌ ପହଞ୍ଚି ତନାଘନା ଆରମ୍ଭ କରିଥିବା ବେଳେ, ଅଜଣା ଯୁବକଙ୍କୁ କିଏ ହତ୍ୟାକଲା, ହତ୍ୟାକାଣ୍ଡର କାରଣ କଣ, ଯୁବକ ଜଣଙ୍କ କିଏ ତାଙ୍କ ପରିଚୟ କଣ ଏହି ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ । ସେପଟେ ଅଜଣା ଯୁବକଙ୍କ ପରିଚୟ ମିଳିନଥିବା ବେଳେ, ସେ ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ତାଙ୍କ ପିନ୍ଧିଥିବା ଡ୍ରେସରୁ ଜଣାପଡ଼ିଛି । ବୟସ ପାଖାପାଖି ୨୫ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ପୁଲିସ ମୃତ ଯୁବକଙ୍କ ପରିଚୟ ଖୋଜୁଥିବାବେଳେ ଯଦି କୌଣସି ଲେବର ନିଖୋଜ ରହିଥାନ୍ତି ତାହାହେଲେ ଚନ୍ଦ୍ରଶେଖରପୁର ଥାନାରେ ଜଣାଇବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୋମବାର ସକାଳୁ ଉକ୍ରଳ ହସ୍ପିଟାଲ ପଛ ପାୱାର ଗ୍ରିଡ୍‌ ନିକଟ ଏକ ନିଛାଟିଆ ସ୍ଥାନରେ ଜଣେ ଅଜଣା ଯୁବକଙ୍କୁ, କେହି ପଥରରେ ଅତି ନିର୍ମମ ଭାବେ ଛେଚି ଛେଚି ହତ୍ୟା କରିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ଥାନାର ୨ଟି ଟିମ ଘଟଣା ସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ, କେହି ରବିବାର ରାତିରେ ଯୁବକଙ୍କ ମୁଣ୍ଡ ଓ ମୁହକୁ ପଥରରେ ଛେଚି ଛେଚି ହତ୍ୟା କରି ସେଠାରୁ ଫେରାର ହୋଇଯାଇଛନ୍ତି । ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ଶବ ଗୃହକୁ ପଠାଯାଇଛି । ଯୁବକଙ୍କ ପରିଚୟ ମିଳିଲେ ଯାଇ ଶବ ବ୍ୟବଚ୍ଛେଦ କରାଯିବ । ଅପରପକ୍ଷରେ ଜମି ବିବାଦକୁ ନେଇ ଭାଇ ଗୁଳିରେ ଆଉ ଜଣେ ଭାଇଙ୍କ ଜୀବନ ଯାଇଛି । ଗତ ସପ୍ତାହେ ହେବ ରାଜଧାନୀରେ ଗର୍ଜୁଛି ବନ୍ଧୁକ । ସୋମବାର ସକାଳୁ ସକାଳୁ ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରା ଗାଁରେ ଜାଗାବାଡି ବିବାଦକୁ କେନ୍ଦ୍ରକରି ଦୀର୍ଘଦିନ ଧରି ଲାଗି ରହିଥିବା ଅସନ୍ତୋଷର ଭୟଙ୍କର ପରିଣାମ ଦେଖିବାକୁ ମିଳିଛି । ଗୁଣ୍ଠେ ଜାଗା ଲାଗି ନିଜ ବଡବାପା ପୁଅ ଭାଇକୁ ପଏଣ୍ଟ ଜିରୋରୁ ୩ ରାଉଣ୍ଡ ଗୁଳିକରି ହତ୍ୟା କରିଛି ଦାଦାପୁଅ ଭାଇ ଶିବ ପ୍ରଧାନ । ଗୁଳିମାଡରେ ସରକନ୍ତରା ଗାଁର ପଠାଣୀ ଖୁଣ୍ଟିଆଙ୍କ ପୁଅ ସୁଧାଂଶୁ ଖୁଣ୍ଟିଆ ଓରଫ ରବିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବରପାଇ ଖଣ୍ଡଗିରି ଥାନା ପୁଲିସ ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ରକ୍ତଜୁଡୁବୁଡ ଅବସ୍ଥାରେ ସୁଧାଂଶୁଙ୍କୁ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ପରେ ସାଇଣ୍ଟିଫିକ ଟିମ୍‌ର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ସେଠାରେ ପଡିଥିବା ରକ୍ତ ନମୁନା ସହ ୩ ରାଉଣ୍ଡ ଖୋକା ଏବଂ ଗୋଟାଏ ଜୀବନ୍ତ ଗୁଳିକୁ ଉଦ୍ଧାର କରିଛି । ରାଜଧାନୀର ଛାତି ଉପରେ ଦିନ ଦ୍ୱିପହରରେ ଗୁଳିମାଡ ହୋଇ ଜଣଙ୍କ ଜୀବନ ଯାଇଥିବା ବେଳେ ଘଟଣାସ୍ଥଳକୁ ଭୁବନେଶ୍ୱର ପୁଲିସର ମୁଖିଆ ଡିସିପି ଏବଂ ସିପି ନଯିବା ସାଧାରଣରେ ତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ,ସରକନ୍ତରା ଗାଁରେ ପଠାଣୀ ଖୁଣ୍ଟିଆ ନିଜ ପରିବାର ସହ ରୁହନ୍ତି । ତାଙ୍କ ସାନ ଭାଇ ସୁକାନ୍ତ ଖୁଣ୍ଟିଆ ଓରଫ ପ୍ରଧାନ ଗାଁ ନିକଟରେ ବିବାହ କରିଥିବା ବେଳେ ସେ ବିବାହ ପରଠାରୁ ପତ୍ନୀଙ୍କ ଘରେ ରହି ଆସୁଥିଲେ । ଫଳରେ ପଠାଣୀଙ୍କ ମା’ ଜୀବିତ ଥିବା ଅବସ୍ଥାରେ ନାତି ସୁଧାଂଶୁଙ୍କ ନାମରେ ଗୁଣ୍ଠେ ଜାଗା ରେଜିଷ୍ଟ୍ରେସନ କରି ଦେଇଥିଲେ । ଯାହାକୁ ନେଇ ବେଶ କିଛିବର୍ଷ ହେବ ପଠାଣୀ ଓ ସୁକାନ୍ତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା । ଏପରିକି ଗତ ଦଶହରା ସମୟରେ ଏହାକୁ ନେଇ ତୁମୁଳ ପାଟିତୁଣ୍ଡ ହେବା ସହ କଥା ଖଣ୍ଡଗିରି ଥାନାରେ ପହଞ୍ଚିଥିଲା । ପୁଲିସର ହସ୍ତକ୍ଷେପ ଯୋଗୁଁ ମାମଲାର ସମାଧାନ ହୋଇଥିଲା । ତେବେ ମାମଲାର ସମାଧାନ ସିନା ଥାନାରେ ହୋଇଥିଲା କିନ୍ତୁ ଏହି ଜାଗା ହାତେଇବା ପାଇଁ ସୁକାନ୍ତଙ୍କ ପୁଅ ଶିବା ମନସ୍ଥ କରିବା ସହ ଏଥିପାଇଁ ଦରକାର ପଡିଲେ ସୁଧାଂଶୁଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଏହି ଆଧାରରେ ଏମ୍ସରେ ଲ୍ୟାବ ଆସିଷ୍ଟାଣ୍ଡ ଭାବେ କାର୍ଯ୍ୟରତ ସୁଧାଂଶୁ ସୋମବାର ପୂର୍ବାହ୍ଣ ୯ଟା ସମୟରେ ଘରୁ ନିଜ ବାଇକ ଯୋଗେ ବାହାରି ଆସିବା ସମୟରେ ଗାଁ ପାଖ ମଙ୍ଗଳା ମନ୍ଦିର ନିକଟରେ ପୂର୍ବ ପ୍ରସ୍ତୁତ ଥିବା ଶିବା ତାଙ୍କୁ ଅଟକାଇଥିଲା । ସୁଧାଂଶୁ କିଛି ବୁଝିବା ପୂର୍ବରୁ ଶିବା ତାଙ୍କ ପେଟ ଓ ଜଂଘକୁ ଲକ୍ଷ୍ୟ କରି ଦୁଇଟି ଗୁଳି ଫୁଟାଇଥିଲା । ପରେ ରକ୍ତ ଜୁଡୁବୁଡ ଅବସ୍ଥାରେ ସୁଧାଂଶୁ ବାଇକ ଛାଡି ନିକଟସ୍ଥ ଏକ ପଡିଆକୁ ଦୌଡି ଯାଇ ତଳେ ପଡିଯାଇଥିଲେ । ତେବେ ଜାଗା ହାତେଇବା ପାଇଁ ରକ୍ତମୁଖା ଥ୍‌ôବା ଶିବା ତାଙ୍କ ପଛେପଛେ ଦୌଡି ଯାଇ ପଏଣ୍ଟ ବ୍ଲାଙ୍କରୁ ସୁଧାଂଶୁଙ୍କ ଛାତିକୁ ଗୋଟାଏ ରାଉଣ୍ଡ  ଗୁଳି ଫୁଟାଇବା ସହ ଘଟଣାସ୍ଥଳରୁ ନିଜର ଜଣେ ସହଯୋଗୀଙ୍କ ସହାୟତାରେ ଫେରାର ହୋଇଯାଇଥିଲା ।

ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରି ନଥିବାବେଳେ ଅଭିଯୁକ୍ତ ଶିବାର ବାପା ସୁକାନ୍ତ ଖୁଣ୍ଟିଆ, ତାଙ୍କ ପତ୍ନୀ ଦ୍ରୌପଦୀ ପ୍ରଧାନ ଏବଂ ଭାଇ ଛବି ପ୍ରଧାନକୁ ନେଇ ଥାନାରେ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ହତ୍ୟାକାଣ୍ଡ ଘଟିବା ପରେ ଏ ସଂକ୍ରାନ୍ତରେ ପଚାରି ବୁଝିବାକୁ ମୃତ ସୁଧାଂଶୁଙ୍କର ଜଣେ ସମ୍ପର୍କୀୟ ଦାଦା ଜ୍ଞାନରଞ୍ଜନ ପ୍ରଧାନ ଅଭିଯୁକ୍ତ ଶିବାର ଘରକୁ ଯାଇଥିଲେ । ଯେଉଁଠାରେ ତାଙ୍କୁ ଶିବାର ବାପା ସୁକାନ୍ତ ଏବଂ ତାଙ୍କ ମା’ ଜ୍ଞାନ ଏକ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଏହାକୁ ନେଇ ସରକନ୍ତରା ଗାଁରେ ଉତ୍ତେଜନା ଜାରି ରହିଥିବା ଜଣାପଡ଼ିଛି ।