ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦାବି ଆଢୁଆଳରେ ଚଷାକୁନ୍ଦ ମଙ୍ଗଳା ପୀଠ


 ଗରଦପୁର : ଗରଦପୁର ବ୍ଲକ ବନ୍ତଳା ଗ୍ରାମ ପଞ୍ଚାୟତ ର ଚଷାକୁନ୍ଦ ଗ୍ରାମରେ ଥିବା ମା’ ମଙ୍ଗଳା ଠାକୁରାଣୀ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇବାର ଆଢୁଆଳରେ ରହିଯାଇଛି । ଏହି ମା’ ମଙ୍ଗଳା ପୀଠଟି କେଉଁ ଅନାଦି କାଳରୁ ରହିଅଛି । କେହି କେହି ମା’ ମଙ୍ଗଳାଙ୍କୁ ମା’ ଜଙ୍ଗଲୀ ମଙ୍ଗଳା ବୋଲି ମଧ୍ୟ କହିଥାନ୍ତି । 
ଏଠାରେ ମା’  କୋଚିଳା ଓ କେନ୍ଦୁ ଗଛ ମୂଳରେ ପୂଜା ପାଇ ଆସୁଛନ୍ତି । ତେବେ ପୂର୍ବରୁ ମା’ଙ୍କ ବିଜେସ୍ଥଳୀ ଏକ ନିଘଂଚ କୋଚିଳା, କେନ୍ଦୁ, ବେତ, କଂଟି ମାଉଁଶ, ମଧୁମାଳତୀ ଓ ତମାଳ ବଣ ମଧ୍ୟରେ ଥିବାର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କୁହନ୍ତି । ଏକଦା ଏହି ଅଞ୍ଚଳଟି ହିଂସ୍ର ଜନ୍ତୁମାନଙ୍କର ବିଚରଣ ଭୂଇଁ ଥିଲା ବୋଲି କେହି କେହି ମତ ଦିଅନ୍ତି । ଅନାଦି କାଳରୁ ଏହି ଅଞ୍ଚଳର ଲୋକମାନେ ଏହିଠାରେ ମାନସିକ କଲେ ମା’ ତାଙ୍କ ମାନସିକ ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି । କଳାଶାଢୀ, ଶଙ୍ଖା, ଚିତା, ଚୁଆ, ଚନ୍ଦନ, ହଳଦୀ, ସିନ୍ଦୁର, ଅଗୁର ଆଦି ମାଙ୍କର ଅତି ପି୍ରୟ । ସାଧାରଣତଃ ପ୍ରତି ମଙ୍ଗଳବାର ଦିନ ଏହି ପୀଠରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ବେଶ୍ ଭିଡ ଜମିଥାଏ । ବିଶେଷ କରି ଚୈତ୍ର ମାସର ମଙ୍ଗଳବାର ମାନଙ୍କରେ ମା’ଙ୍କ ପୂଜା ନିମନ୍ତେ ଅସମ୍ଭବ ଭକ୍ତ ଗହଳି ହୋଇଥାଏ । ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ପାଇଁ ମା’ଙ୍କ ମନ୍ଦିରକୁ ଲାଗିଥିବା କେନ୍ଦୁ ଗଛରେ ମାନସିକ ଗୁଆ, ଶଙ୍ଖା ସହିତ ନାଲି କପଡାର ଡୋରୀ ବାନ୍ଧିଥାନ୍ତି । ଚିତ୍ରୋତ୍ପଳା ନଦୀ କୂଳରେ ସବୁଜବନାନୀ ଘେରା ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିବା ଏହି ପୀଠ ବେଶ ମନମୁଗ୍ଧକର ହୋଇଥିବାରୁ ଏହି ପୀଠ ଲୋକମାନଙ୍କୁ ଆକର୍ଷିତ କରିଥାଏ । ଏହି ପୀଠରେ ମା’ଙ୍କ ସହିତ ମା’ ବୁଢୀ ଜାଗୁଳାଇ, ମା’ ଈଶାନେଶ୍ୱରୀ, ମା’ ବିଲେଇଶୁଣୀ, ମା’ କମଳେଇ, ମା’ ଅନନ୍ତେଶ୍ୱରୀ, ନୃସିଂହନାଥ ମନ୍ଦିର, ଗୁରୁ ଶୁନ୍ୟବାସୀଙ୍କ ସମାଧି, ମା’ ମଙ୍ଗଳାଙ୍କୁ ପ୍ରତିଷ୍ଠା କରିଥିବା ହାରାମଣି ବାବାଙ୍କ ସମାଧି ସହିତ ବଉଳ, ନିମ୍ବ, ଆମ୍ବ ସମେତ ବିଭିନ୍ନ ବୃକ୍ଷରାଜି ପର୍ଯ୍ୟଟକଙ୍କ ମନକୁ ବେଶ ତୃପ୍ତ କରିଥାଏ । ଲୋକକଥା ଅନୁଯାୟୀ ଏହି ପୀଠ କୁ ୧୯୪୩ ମସିହା ରେ ହାରାମଣୀ ବାବା ଦେଖି ଏହି ଠାରେ ସାଧନା କଲା ପରେ ତାହା କ୍ରମଶଃ ଲୋକଲୋଚନକୁ ଆସିଥିଲା ବୋଲି କୁହାଯାଏ । ଏହି  ପୀଠଟି ଚିତ୍ରୋତ୍ପଳା ନଦୀ କୂଳ ରେ ଅବସ୍ଥିତ ହେତୁ  ସୁଲୁ ସୁଲୁ ପବନ ପର୍ଯ୍ୟଟକଙ୍କୁ  ବେଶ ଆନନ୍ଦ ଦେଇଥାଏ । ଏହି ପୀଠକୁ ବିଦ୍ୟାଳୟ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ଏବଂ ବିଭିନ୍ନ ଲୋକ ଅନେକ ସମୟରେ ବଣଭୋଜି କରିବାକୁ ଆସିଥାନ୍ତି । ଯାତ୍ରୀମାନଙ୍କ ସୁବିଧା ପାଇଁ ଯାତ୍ରୀ ବିଶ୍ରାମାଗାର ସହିତ ଏକ ଭୋଜନ ମଣ୍ଡପ ନିର୍ମାଣ କରାଯାଇଥିବାବେଳେ କମିଟି ପକ୍ଷରୁ ଏହାର ପରିସ୍କାର ଓ ପରିଚ୍ଛନ୍ନତା ପ୍ରତି ଗୁରୁତ୍ୱ ଦିଆଯାଇଛି । ଏହି ପୀଠରେ ବୈଶାଖ ପୂର୍ଣ୍ଣିମା, ନୃସିଂହ ଚତୁର୍ଦ୍ଦଶୀ, ଅଷ୍ଟମ ପ୍ରହରୀ, ବିଶ୍ୱଶାନ୍ତି ମହାଯଜ୍ଞ ପ୍ରତି ବର୍ଷ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ ।  କିନ୍ତୁ ଏପର୍ଯ୍ୟନ୍ତ ଏହି ପୀଠ ପର୍ଯ୍ୟଟନ ବିଭାଗର ଆଢୁଆଳରେ ରହିଯାଇଥିବାରୁ ପର୍ଯ୍ୟଟନ ମାନ୍ୟତା ପାଇପାରିନାହିଁ । ତେଣୁ ଏହି ପୀଠକୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।