ପହଙ୍ଗା ବଜାର ଉଚ୍ଛେଦ ବନ୍ଦ ଦାବି
ନିଆଳି: ନିଆଳି ତହସିଲ୍ ଅଧିନସ୍ଥ ପହଙ୍ଗା ବଜାର ଭଙ୍ଗାଯିବା ଘଟଣାକୁ ନେଇ ବଜାର ବ୍ୟବସାୟୀ ସଂଘ ସଭାପତି ଓ ଗ୍ରାମବାସୀମାନେ ନିଆଳି ତହସିଲ୍ଦାର୍ ଲିଲନ୍ ପ୍ରସାଦ ସାହୁଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ବ୍ଲକ୍ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ । ଆସନ୍ତା ଜାନୁଆରୀ ୯ ତାରିଖ ମଧ୍ୟରେ ସରକାରୀ ଜାଗାର ଜବରଦଖଲ କରିଥିବା ବ୍ୟବସାୟୀମାନେ ନିଜେ ନିଜେ ହଟିଯିବାକୁ ତହସିଲ୍ଦାର୍ ଶ୍ରୀ ସାହୁ କହିଥିଲେ । ସୂଚନାଯୋଗ୍ୟ, ପହଙ୍ଗା ବଜାରଟି ପୂର୍ବରୁ ଥରେ ଉଚ୍ଛେଦ ହୋଇସାରିଥିବା ବେଳେ ଏବେ ପୁନର୍ବାର ଉଚ୍ଛେଦ ହେବ ବୋଲି ତହସିଲ୍ ପକ୍ଷରୁ ନୋଟିସ୍ ହୋଇଛି । ସେହିପରି ପହଙ୍ଗା ସରପଞ୍ଚ ନମିତା ବାରିକ ଉଚ୍ଛେଦ ବନ୍ଦ ରଖିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ପ୍ରତାପ ନାୟକ, ଦିପ୍ତି ରଞ୍ଜନ ନାୟକ, ପରିକ୍ଷିତ ବାରିକ, ତୃପ୍ତି ରଞ୍ଜନ ରାଉତ, ବ୍ରଜ କିଶୋର ପରିଡା, ସୁବାଷ ଚନ୍ଦ୍ର ରାଉତ, ବିଭୁତି ଭୂଷର ରାଉତ, ପରେଶ ନାୟକ, କୃଷ୍ଣ ଚନ୍ଦ୍ର ଜେନା, ସିଦ୍ଧାର୍ଥ ସେଠୀ, ମନୋଜ ମହାନ୍ତିଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ଗ୍ରାମବାସୀ ଉପସ୍ଥିତ ଥିଲେ ।