ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ପନ୍ତ୍ରୀଙ୍କୁ ୧୭ ବର୍ଷ ଜେଲଦଣ୍ଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ପନ୍ତ୍ରୀଙ୍କୁ ୧୭ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ : ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି । ଇମ୍ରାନଙ୍କ ସହ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଅଦାଲତ ୧ କୋଟି ଟଙ୍କାର ଜରିମାନା ସହ ୧୭ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି । ‘ତୋଷାଖାନା-୨' ମାମଲାରେ ରାୱଲପିଣ୍ଡିର ଆଡିଆଲା ଜେଲରେ ଅନୁଷ୍ଠିତ ଶୁଣାଣି ସମୟରେ ସ୍ୱତନ୍ତ୍ର ବିଚାରପତି ଶାହରୁଖ ଅର୍ଜୁମନ୍ଦ ଏହି ରାୟ ଶୁଣାଇଛନ୍ତି । 

    ୨୦୨୧ ମେ’ମାସରେ ସାଉଦି ଆରବ ଗସ୍ତ ସମୟରେ ସାଉଦି ଯୁବରାଜ ‘ବୁଲଗାରି' ଗହଣା ସେଟ୍‌ ପ୍ରଦାନ କରିଥିଲେ । ଇମ୍ରାନ ଏହି ଦାମୀ ଗହଣା ସେଟ୍‌ର ମୂଲ୍ୟକୁ ବହୁତ କମ୍‌ ଦର୍ଶାଇ ସରକାରୀ ତୋଷାଖାନାରୁ ଅତି ଶସ୍ତାରେ ନିଜ ପାଇଁ କିଣି ନେଇଥିଲେ । ପାକିସ୍ତାନ ନିୟମ ଅନୁଯାୟୀ, ବିଦେଶୀ ଗସ୍ତ ସମୟରେ ମିଳୁଥିବା ଉପହାରକୁ ରାଜକୋଷ ବା ତୋଷାଖାନାରେ ଜମା କରିବାକୁ ପଡିଥାଏ । ଏହା ସରକାରୀ ରାଜକୋଷକୁ କ୍ଷତି ପହଞ୍ଚାଇଥିଲା । ପାକିସ୍ତାନ ଦଣ୍ଡ ସଂହିତାର ଧାରା ୩୪ ଏବଂ ୪୦୯ ଅନୁଯାୟୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ, ତାଙ୍କୁ ଦୁର୍ନୀତି ନିବାରଣ ଆଇନର ଧାରା ୫(୨) ଅନୁଯାୟୀ ୭ ବର୍ଷର ପୃଥକ ଦଣ୍ଡାଦେଶ ଦିଆଯାଇଛି । ସେହିପରି ବୁଶରା ବିବିଙ୍କୁ ସମାନ ଧାରା ଅନୁଯାୟୀ ମୋଟ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।