ପାକ୍ ଭିଭିଆଇପି ଜେଟ୍ ନିକଟରେ ହୋଇଥିଲା ଆକ୍ରମଣ
ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ରେ କିଛି କ୍ଷତି ଘଟିନାହିଁ ବୋଲି ପାକ୍ ସେନା ଓ ପାକ୍ ସରକାର ଦାବି କରୁଥିବାବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ନୁର ଖାନ୍ ଏୟାରବେସ୍ ଉପରେ ଭାରତୀୟ ବାୟୁ ସେନା ଆକ୍ରମଣ କରିଥିବାବେଳେ ସେଠାରେ ପାକ୍ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଭିଭିଆଇପି ଜେଟ୍ ମଧ୍ୟ ଥିଲା । ପାକ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏୟାର ବେସ୍ ହେଉଛି ନୁର ଖାନ୍ ଏୟାର ବେସ୍ । ଯେଉଁଠାରେ ପାକ ବାୟୁସେନା ପରିଚାଳିତ ହେଉଥିବାବେଳେ ସେଠାରେ ଭିଭିଆଇପି ଜେଟ୍ ବି ରହିଥାଏ । ଆର୍ଥ ଇଣ୍ଟେଲିଜେନ୍ସ ପ୍ଳାଟଫର୍ମ ସ୍କାଇଫି ଏନେଇ ତଥ୍ୟ ଦେଇଛି । ପାକ୍ ସରକାର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରୀଙ୍କ ପାଇଁ ହ୍ୱାଇଟ୍ ଗଲ୍ଫଷ୍ଟ୍ରିମ୍ ଜି୪୫୦ (ଜି-ଆଇଭି-ଏକ୍ସ) ବ୍ୟବହାର କରିଥା’ନ୍ତି । ଏଭଳି ୩ଟି ବିମାନ ପାକ୍ ପାଖରେ ଥିବାବେଳେ ଭାରତୀୟ ସେନାର ଆକ୍ରମଣ ବେଳେ ସେଠାରେ ଦୁଇଟି ବିମାନ ରହିଥିଲା । ଭାରତର ଆକ୍ରମଣରେ ନୁର ଖାନ୍ ଏୟାର ବେସର କମାଣ୍ଡ ଓ କଂଟ୍ରୋଲ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିବା ସାଟେଲାଇଟ ଛବିରୁ ଦେଖିବାକୁ ମିଳିଛି ।