ସଙ୍ଗୀନ ପରିସ୍ଥିତିରେ ବୈତରଣୀ ଉଚ୍ଚବିଦ୍ୟାଳୟ

ବୈତରଣୀ ରୋଡ଼ : ଛ’ ଦଶନ୍ଧୀ ତଳରୁ ବୈତରଣୀ ଉଚ୍ଚ ବିଦ୍ୟାଳୟ ସଙ୍ଗୀନ ପରିସ୍ଥିତି ଦେଇ ଗତି କରୁଛି । କୋରେଇ ବ୍ଲକର ବୈତରଣୀ ଉଚ୍ଚ ବିଦ୍ୟାଳୟ ୧୯୬୦ ଦଶକରେ ନିର୍ମିତ ହୋଇଥିବା ବେଳେ ସଂପୃକ୍ତ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାରେ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ଶିକ୍ଷାନୁଷ୍ଠାନ ବାଳ ବାଟିକାରୁ ଆରମ୍ଭ ହୋଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୧୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରତ୍ୟେକ ଶ୍ରେଣୀ ନିମନ୍ତେ ଅଲଗା ଅଲଗା କୋଠରୀ ଆବଶ୍ୟକ କରୁଥିବା ବେଳେ, ସ୍ୱତନ୍ତ୍ର ଉନ୍ନୀତ ଶ୍ରେଣୀ ଗୃହର ଆବଶ୍ୟକତାକୁ ନଜର ରଖି ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ତରଫରୁ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନ ଶିକ୍ଷକ । ଏଠାରେ ପ୍ରଧାନ ଶିକ୍ଷକଙ୍କ ସ୍ୱତନ୍ତ୍ର ଅଫିସ ଗୃହ ନଥିବା ବେଳେ ଏକକ ଭାବେ ଅଫିସ୍‌ ଗୃହରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ କାର୍ଯ୍ୟ ନିର୍ବାହ କରିଥାନ୍ତି । ପ୍ରତ୍ୟେକ ପୁରୁଣା ଶ୍ରେଣୀଗୃହ ଗୁଡ଼ିକ ଉପର ଟିଣ ଛପରରୁ ପାଣି ପଡ଼ିବା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାରେ ବାଧା ସୃଷ୍ଟି ହେଉଛି ।  ଏହା ସହ ପ୍ରତ୍ୟେକ ଶ୍ରେଣୀରେ ଆବଶ୍ୟକ ଠାରୁ ବହୁତ କମ୍‌ ଚେୟାର ଟେବୁଲ୍‌ ନଥିବାରୁଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି । ସ୍ୱତନ୍ତ୍ର ଶୌଚାଳୟ, ଶ୍ରେଣୀ ନିମନ୍ତେ ସ୍ୱତନ୍ତ୍ର ରାସ୍ତା ବ୍ୟବସ୍ଥା ଉପଲବ୍ଧ ନାହାନ୍ତି । ସ୍କୁଲ୍‌ ପରିସରରେ ଥିବା ବିଭିନ୍ନ ଗଛମାନଙ୍କରେ ବଗ, ଆଦି ପକ୍ଷୀ ବସା ବାନ୍ଧିବା ଯୋଗୁ ଉତ୍କଟ ଦୁର୍ଗନ୍ଧ ହେଉଛି । ଏଣୁ ବାର୍ଡ ଫ୍ଲୁ ପ୍ରତି ସତର୍କ ରହିବାକୁ ସ୍କୁଲ୍‌ କର୍ତ୍ତୃପକ୍ଷ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସଂପୃକ୍ତ ଶିକ୍ଷାନୁଷ୍ଠାନ ଭିତରେ ସବୁଠୁଁ ଚର୍ଚ୍ଚାର ବିଷୟ ୧୯୯୭ ମସିହା ମଧ୍ୟପ୍ରଦେଶ ସରକାରଙ୍କ ଅନୁଦାନ ଦ୍ୱାରା ଏକ ନବ ନିର୍ମିତ ଗୃହ ଅଚଳାବସ୍ଥାରେ ଯାଗା ମାଡ଼ି ପଡ଼ିରହିଛି । ଏପରି ଅବସ୍ଥାରେ ନଷ୍ଟ ମୁକୁଳା ଅଦରକାରୀ ଗୃହଟି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍କୁଲ୍‌ ପରିସର ନିକଟରେ ଏକ ଅନାବଶ୍ୟକ ପୋଖରୀ ରହିଛି, ଯେଉଁଟା ଛୋଟ ଛୋଟ ସ୍କୁଲ ପିଲାଙ୍କ ଜୀବନ ପ୍ରତି ବିପଦ ସଙ୍କୁଳ ହୋଇଥିବାରୁ ଏହି ପୋଖରୀକୁ ପୋତିବାକୁ ଅଭିଭାବକ ମହଲରେ ଦାବି କରାଯାଉଛି । ଏହି ପୋଖରୀରେ ୨୦୧୭ ମସିହାରେ ଜନୈକେ ଛାତ୍ରୀ ସ୍କୁଲ୍‌ ଛୁଟି ପରେ ଶୌଚ ହେବାକୁ ଯାଇ ବୁଡ଼ି ମୃତ୍ୟୁ ବରଣ କରିଥିଲେ ହେଁ ଏହାକୁ ଏଯାବଦ ପୋତା ଯାଇପାରିଲାନି । ପୋଖରୀକୁ ପୋତିଦିଆଗଲେ ଛାତ୍ରଛାତ୍ରୀଙ୍କ ପାଇଁ ଖେଳ ପଡିଆ ବାହାରିପାରନ୍ତା ବୋଲି ଅଭିଭାବକ ମତ ରଖିଛନ୍ତି । ଏନେଇ ପ୍ରଧାନ ଶିକ୍ଷକ ଅବଦୁଲ୍‌ ମୁସ୍ତାକ ଖାଁଙ୍କୁ ପଚାରିବାରେ କହିଥିଲେ ବିଦ୍ୟାଳୟ ସମସ୍ୟା ନେଇ ସେ  ବିଧାୟକ ଆକାଶ ଦାସ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିବା କଥା କହିଛନ୍ତି ।