ଜିଲ୍ଲାପାଳ ଅଫିସ ଘେରିଲେ ମିଶନ ଶକ୍ତି ସଦସ୍ୟା 

 ଯାଜପୁର ଟାଉନ: ମିଶନଶକ୍ତି ତୃଣମୂଳସ୍ତରର କାର୍ଯ୍ୟରତ ଇସି ସଦସ୍ୟା ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୬ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଯାଜପୁର ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ ମିଶନ ଶକ୍ତିର ଇସି ସଦସ୍ୟା ସଶକ୍ତିକରଣ କାର୍ଯ୍ୟ ତୁଲାଉଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସଂଗଠିତ କରିବା, ଆର୍ଥିକ ପରିଚାଳନାରେ ତାଲିିମ ଦେବା, ପ୍ରୋତ୍ସାହିତ କରିବା, ଇସି ସଭାପତି ଓ ସମ୍ପାଦିକା ସ୍ୱାକ୍ଷରରେ ଋଣ ପ୍ରଦାନ କାର୍ଯ୍ୟ କରାଯାଇଥାଏ । ସିଆରପି, ଏମ୍ବିକେଙ୍କ କାର୍ଯ୍ୟ ତଦାରଖ କରାଯାଇଥାଏ । ଇସି ସଦସ୍ୟା ନୀରବଚ୍ଛିନ୍ନ ଭାବେ ବିଭିନ୍ନ କାର୍ଯ୍ୟ ତୁଲାଇଥାନ୍ତି । ମାତ୍ର ବିଡ଼ମ୍ବନାର ବିଷୟ ଇସି ସଦସ୍ୟାଙ୍କୁ ସ୍ୱଳ୍ପ ଦେୟରେ ଅସ୍ଥାୟୀ ଭାବେ ରଖାଯାଇଛି । ୨୦୨୧ମସିହା ପର୍ଯ୍ୟନ୍ତ କୌଣସି ପ୍ରୋତ୍ସାହନ ବା ପାରିଶ୍ରମିକ ଦିଆଯାଇନଥିଲେ ମଧ୍ୟ ଅନବରତ କାର୍ଯ୍ୟ କରି ଆସୁଛନ୍ତି । ୨୦୨୨ ମସିହାରୁ ସ୍ୱଳ୍ପ ଅନିୟମିତ ଭାବେ ପ୍ରୋତ୍ସାହନ ପ୍ରଦାନ କରିବାର ଆଳ ଦେଖାଇ ବର୍ତମାନ ପୁନ୍ନଗଠନ ନାମରେ ସଦସ୍ୟାଙ୍କୁ ହଟାଇବା ପାଇଁ ଯୋଜନା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଗତକିଛି ମାସ ତଳେ ପୁନ୍ନଗଠନ ନାମରେ ବ୍ଲକ, ପଞ୍ଚାୟତସ୍ତରରେ ସ୍ୱୟଂସହାୟକ ଗୋଷ୍ଠୀଙ୍କ ମଧ୍ୟରେ ଅସ୍ଥିରତା ସୃଷ୍ଟି କରାଯାଇଛି । ଯାହାକୁ ନେଇ ଇସି ସଦସ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମିଶନ ଶକ୍ତି ଇସି ସଦସ୍ୟାଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ମାନଦାୟ ସରକାରଙ୍କ ଦ୍ୱାରା ଘୋଷିତ କୁଶିଳ ଶ୍ରମିକର ସର୍ବନିମ୍ନ ମଜୁରୀ ହାରରେ ପ୍ରଦାନ କରାଯାଉ, ଜିପିଏଲ୍ଏଫ୍ର ଇସି ମୁଣ୍ଡପିଛା ହାରରେ ଭତ୍ତା ପ୍ରଦାନ କରାଯାଉ, ସହରାଞ୍ଚଳରେ କାର୍ଯ୍ୟରତ ଇସିଙ୍କୁ କୌଣସି ଭତ୍ତା ଦିଆଯାଉନଥିବାରୁ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ, ଇସି ସଦସ୍ୟାଙ୍କୁ ବରିଷ୍ଠତା ଭିତିରେ ପଦୋନ୍ନତି, ସଦସ୍ୟାଙ୍କୁ ନିରାପତ୍ତା, ଇସି ସଦସ୍ୟାଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ବୀମା ସୁବିଧା, ବୟସ ସୀମା ୬୫ ସହିତ ସେବା ନିବୃତି ସମୟରେ ୫ଲକ୍ଷ ସହାୟତା, କାର୍ଯ୍ୟ ସମୟରେ ସଦସ୍ୟା ମୃତୁ୍ୟବରଣ କଲେ ପରିବାରବର୍ଗଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ମିଶନଶକ୍ତି ଇସି ସଦସ୍ୟାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି କରିଥିଲେ । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ନେଇ ମିଶନଶକ୍ତି ମହିଳା କାର୍ଯ୍ୟ କରି ଆସୁଥିବ ବେଳେ ସରକାର ସଦାସର୍ବଦା ଅଣଦେଖା କରୁଛନ୍ତି ବୋଲି ମିଶନ ଶକ୍ତିି ମହିଳା ଅସନ୍ତୋଷ ବ୍ୟକ୍ତ କରୁଥିଲେ । ଶତାଧିକ ମିଶନଶକ୍ତି ଇସି ମହାସଂଘର ମହିଳା ଯଯାତି କେଶରୀ ମେଡ଼ିକାଲ କଲେଜ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମହାସଂଘର ସଭାନେତ୍ରୀ କୁମୁଦିନୀ ସ୍ୱାଇଁ, ସମ୍ପାଦିକା ସୌଦାମିନୀ ସାହୁଙ୍କ ନେତୃତ୍ୱରେ ରଶ୍ମିରେଖା ସ୍ୱାଇଁ, ସୁପ୍ରଭା ବେହେରା, ଜ୍ୟୋତ୍ସ୍ନାରାଣୀ ସାହୁ, ଶ୍ରଦ୍ଧାଞ୍ଜଳି ନାୟକ, ରଶ୍ମିତା ଆଚାର୍ଯ୍ୟ, ସୁଚିତ୍ରା ନାୟକ, ବାସନ୍ତୀ ଓଝା, ଲକ୍ଷ୍ମୀପ୍ରିୟା ଗିରି ସମେତ ଶତାଧିକ ମହିଳା ବିକ୍ଷୋଭରେ ସାମିଲ ହୋଇଥିଲେ ।