କ୍ୟାଡ଼ରଙ୍କୁ ଗୁରୁତ୍ୱ ଦେଲା ବିଜେପି : ବବିତାଙ୍କ ବଦଳରେ ଦେବଯାନୀଙ୍କୁ ଭରସା କଲା ଦଳ
ଯାଜପୁର: ଯାଜପୁର କ୍ଷେତ୍ରରେ ବିଜେପି ମହିଳା କାର୍ଡ଼ ଖେଳିବ । ଦୀର୍ଘବର୍ଷ ଧରି ସଭାପତି ଆସନରେ ବସିଥିବା ଗୌତମ ରାୟଙ୍କ ସ୍ଥାନରେ ଦଳ ଜଣେ ମହିଳାଙ୍କୁ ସଭାନେତ୍ରୀ କରିବ । ଏକଥା କାର୍ଯ୍ୟକର୍ତ୍ତା ନିର୍ବାଚନକୁ ନେଇ ଚାଲିଥିବା ପ୍ରକ୍ରିୟା ସମୟରୁ ଆଭାସ ମିଳିଥିଲା । କିଏ ହେବ ସରକାରୀ ଦଳର ଯାଜପୁର ଜିଲା ସଭାନେତ୍ରୀ ତାହାକୁ ନେଇ ଦଳ ଓ ଦଳ ବାହାରେ ଚାଲିଥିଲା ଆଲୋଚନା ଏବଂ ପର୍ଯ୍ୟାଲୋଚନା । ଜଣଙ୍କୁ ଚୟନ କରିବା ବଦଳରେ ଦଳ ଆଶାୟୀଙ୍କୁ ଅପେକ୍ଷା କରିଥିଲା । ଶେଷରେ ସଭାପତି ରେଶକୁ ବବିତା ମଲିକ ଏବଂ ଦେବଯାନୀ ପ୍ରଧାନ ଆସିଥିଲେ । ରାଜନୈତିକ ଅଭିଜ୍ଞତାରୁ ବିଞ୍ଝାରପୁରର ନେତ୍ରୀ ତଥା ଜିଲା ମହିଳା ସଭାନେତ୍ରୀ ଥିବା ବବିତା ମଲିକଙ୍କ ଦଳ ସଭାପତି ଆସନରେ ବସାଇପାରେ ଦଳ ଏବଂ ଦଳ ବାହାରେ ଆକଳନ କରାଯାଉଥିଲା । ଏପରିକି ଜିଲାର ଦଳୀୟ ବିଧାୟକ ଏବଂ ପରାଜିତ ବିଧାୟକ ପ୍ରାର୍ଥି ବବିତାଙ୍କ ସପକ୍ଷରେ ରହିଥିଲେ । କିନ୍ତୁ ଆରମ୍ଭରୁ ରେଶକୁ ଆସିନଥିବା ବଡ଼ଚଣାର ଜଣାଶୁଣା ନାରୀ ନେତ୍ରୀ ଦେବଯାନୀ ପ୍ରଧାନ ଗଲାମାସ ୨୦ତାରିଖରେ ନାମାଙ୍କନପତ୍ର ଦାଖଲ କରିବା ପରେ ସଭାପତି କିଏ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ବିଜେପି ସହ ଓତଃପ୍ରୋତଃ ଭାବେ ଜଡ଼ିତ ଦେବଯାନୀ ସଭାପତି ରେଶକୁ ଆସିଯିବା ପରେ ବବିତାଙ୍କୁ ନେଇ ସନେ୍ଦହ ସୃଷ୍ଟି ହୋଇଥିଲା । ଯଦିଓ ଉପରକୁ ଜଣାପଡ଼ୁନଥିଲା କିନ୍ତୁ ବବିତା ଏବଂ ଦେବଯାନୀଙ୍କ ସମର୍ଥନରେ ଉଭୟପକ୍ଷଙ୍କ ସମର୍ଥକ ରାଜ୍ୟସ୍ତରରେ ଲବି ଆରମ୍ଭ କରିଦେଇଥିଲେ । କିନ୍ତୁ ଦଳ ଶେଷରେ ବବିତାଙ୍କ ବଦଳରେ ଦେବଯାନୀଙ୍କ ଉପରେ ଭରସା କଲା । ସଂଘୀୟ ବ୍ୟବସ୍ଥା ଉପରେ ବିଶ୍ୱାସ କରୁଥିବା ବିଜେପି ଯାଜପୁର କ୍ଷେତ୍ରରେ ଦେବଯାନୀଙ୍କୁ ସଭାନେତ୍ରୀ ଭାବେ ଚୟନ କରି କ୍ୟାଡ଼ରଙ୍କୁ ବିଜେପି ଗୁରୁତ୍ୱ ଦିଏ ବୋଲି ଏକ ବାର୍ତା ଦେବାକୁ ପଛାଇନି ।
ମାସଟେ ଘମାସନ ପରେ ଗଲାକାଲି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ଦେବଯାନୀଙ୍କ ନାମ ଘୋଷଣା କରିବା ପରେ ବିଜେପିରେ ବର୍ଷବର୍ଷ ଧରି ପଡ଼ିରହିଥିବା ନେତା, କର୍ମୀ ଏବଂ କାର୍ଯ୍ୟକର୍ତାଙ୍କ ମନରେ ଖୁସିର ଲହରି ଖେଳିଯାଇଛି । ପ୍ରକାଶ ନକରିବା ସର୍ତରେ କେତେକ ପୁରୁଖା ନେତା ଏହି ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ରାଜ୍ୟ ବିଜେପିର ନିଷ୍ପତିକୁ ସ୍ୱାଗତ କରିଛନ୍ତି । ସେମାନଙ୍କ କହିବା କଥା ଥିଲା ଦେବଯାନୀଙ୍କ ପରି ଅନେକ ନେତା-ନେତ୍ରୀ କୁଶ କଅଁଳୁ ନଥିବା ସମୟରୁ ପଡ଼ିରହିଛୁ । ଦଳର ଆଦର୍ଶ, ନୀତିକୁ ଭଲ ପାଇ ବର୍ଷବର୍ଷ ଧରି ଯେଉଁମାନେ ପଡ଼ିିରହିଛନ୍ତି ସେମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିବା ଦରକାର । ଦେବଯାନୀଙ୍କୁ ସଭାନେତ୍ରୀ କରାଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଅନ୍ୟପକ୍ଷରେ ସଭାନେତ୍ରୀ ଦୈାଡ଼ରେ ଥିବା ବବିତା ମଲିକଙ୍କୁ ଏନେଇ ପଚାରିବାରେ ସେ କହିଥିଲେ କି ମୁଁ ପ୍ରଥମରୁ ମନା କରିଥିଲି । କିନ୍ତ୍ୁ ନିର୍ବାଚନ ପ୍ରକ୍ରୀୟାରେ ଭାଗ ନେଇଥିଲେ ହେଁ ଦଳର ନିଷ୍ପତି ଠାରୁ ମୁଁ ଊର୍ଦ୍ଧରେ ନୁହେଁ । ଦେବଯାନୀ ପ୍ରଧାନ ଜଣେ ସୁବକ୍ତା, ତାଙ୍କ ନେତୃତ୍ୱରେ ଦଳ ଜିଲାରେ ସଂଗଠିତ ହୋଇପାରିବ ବୋଲି କହିଥିଲେ । ଦେବଯାନୀଙ୍କ ନାଁ ସଭାପତି ଭାବେ ଘୋଷଣା ପରେ ଗୈାତମଙ୍କ ୭ବର୍ଷର ସଭାପତିତ୍ୱରେ ପୂର୍ଣ୍ଣଛେଦ ପଡ଼ିଛି । ୨୦୧୭ ମସିହାରୁ ସଭାପତି ଥିବା ଗୈାତମ ଜଣେ ସୁବକ୍ତା ହୋଇଥିଲେ ବି ଜଣେ ପ୍ରତ୍ୟକ୍ଷ ରାଜନୀତିରେ କିନ୍ତୁ ବାରମ୍ବାର ଫେଲ ମାରି ଆସିଛନ୍ତି । ଦଳ ତାଙ୍କ ଉପରେ ଭରସା ପରେ ଭରସା କରିଥିଲେ ହେଁ ସେ କିନ୍ତୁ ଦଳକୁ ନିରାଶ କରିଛନ୍ତି । ଗୈାତମଙ୍କ ସଭାପତିର ଶେଷ ସମୟରେ ଜିଲାରେ ବିଜେପି ୩ଟି ଆସନ ଅକ୍ତିଆର କରି ସଫଳତା ହାସଲ କରିଥିଲେ ହେଁ ପଂଚାୟତ ନିର୍ବାଚନରେ କିନ୍ତୁ ଦଳ ଫ୍ଲପସୋ କରିଥିଲା । ଜଣେ ନାରୀ ନେତ୍ରୀ ଭାବେ ଜଣା ଦେବଯାନୀ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରି ଆସିଥିବା ଏବଂ ମହିଳାଙ୍କୁ ଏକାଠି କରିବାରେ ରଖିଥିବା ଦକ୍ଷତା ତାଙ୍କୁ ଜିଲା ବିଜେପିକୁ ମଜବୁଦ କରିବାରେ ସହାୟକ ହେବ ବୋଲି ତାଙ୍କ ସମର୍ଥକ, ଏବଂ କ୍ୟାଡ଼ର ନେତା ଆଶାରଖିଛନ୍ତି । ତେବେ ଦେବଯାନୀ ଜିଲାରୁ ବିଜୟୀ ବିଧାୟକ ଏବଂ ପରାଜିତ ବିଧାୟକ ପ୍ରାର୍ଥିଙ୍କୁ ସାଙ୍ଗରେ ନେଇ କେତେ ଆଗେଇ ପାରୁଛନ୍ତି ତାହା ଦେଖିବାର ଅଛି ।