ପିଏମ୍ ଉଷା ଯୋଜନାରେ ସାହସପୁର କଲେଜ ସାମିଲ
ବାଲିଚନ୍ଦ୍ରପୁର: ପ୍ରଧାନମନ୍ତ୍ରୀ ଉଚ୍ଚ ଶିକ୍ଷା ଅଭିଯାନ (ପିଏମ୍ ଉଷା ଯୋଜନା)ରେ ଯାଜପୁର ଜିଲାର ଏକମାତ୍ର କଲେଜ୍ ସାହସପୁର କଲେଜ ବାଲିଚନ୍ଦ୍ରପୁର ସ୍ଥାନ ପାଇଛି । ସାରା ଓଡ଼ିଶାରେ ମାତ୍ର ୨୪ଟି ମହାବିଦ୍ୟାଳୟକୁ ଚୟନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ମହଲରେ ଆନନ୍ଦ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକରେ ପ୍ରକଳ୍ପ ଅନୁମୋଦନ ବୋର୍ଡର ତୃତୀୟ ପର୍ଯ୍ୟାୟ ବୈଠକରେ ଏହା ପାରିତ ହୋଇଛି ଏବଂ ଏବାବଦରେ ମହାବିଦ୍ୟାଳୟକୁ ବିଭିନ୍ନ ଭିତିଭୂମି ବିକାଶ ବାବଦରେ ୫କୋଟି ଟଙ୍କାର ଅନୁଦାନ ମିଳିବାକୁ ଯାଉଛି । ଜିଲାର ଏହି ଏକମାତ୍ର ମହାବିଦ୍ୟାଳୟ ପ୍ରଧାନମନ୍ତ୍ରୀ ଉଷା ଯୋଜନାରେ ସାମିଲ ହୋଇଥିବାରୁ ବଡ଼ଚଣା ବିଧାୟକ ଅମର କୁମାର ନାୟକ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଇତିମଧ୍ୟରେ ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ କଲେଜ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ କଲେଜ ଓ ବିଷ୍ଣୁ ସାମନ୍ତରାୟ କଲେଜ ବିକାଶ ପାଇଁ ମଧ୍ୟ ଅର୍ଥ ରାଶି ଯୋଗାଇ ଦିଆଯାଇଥିବା ବିଧାୟକ ପ୍ରକାଶ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ମାହାଙ୍ଗା ଗାନ୍ଧି, ସଚ୍ଚିଦାନନ୍ଦ ଜେନା ଓ ପୂର୍ବତନ ବିଧାୟକ ମାନଗୋବିନ୍ଦ ସାମଲଙ୍କ ଉଦ୍ୟମରେ ପ୍ରତିଷ୍ଠିତ କଲେଜରେ +୩ ରେ ୯୭୯ଜଣ ଓ +୨ରେ ୭୬୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଅନୁଦାନ ରାଶିରୁ ୩କୋଟି ଟଙ୍କାରେ ଅତ୍ୟାଧୁନିକ ଶ୍ରେଣୀଗୃହ, ସ୍ମାର୍ଟକ୍ଲାସ ରୁମ୍ ଓ କମ୍ପୁ୍ୟଟର ଲ୍ୟାବ ନିର୍ମାଣ, ୭୨ଲକ୍ଷ ଟଙ୍କାରେ ଶ୍ରେଣୀ ଗୃହ, କାର୍ଯ୍ୟାଳୟ ଓ ବିଭିନ୍ନ ପ୍ରକୋଷ୍ଠର ମରାମତି ୬୭.୫ ଲକ୍ଷ ଟଙ୍କାରେ ବିଜ୍ଞାନ ଉପକରଣ ଓ ଯନ୍ତ୍ରାଂଶ କ୍ରୟ ଓ ୬୦.୫ଲକ୍ଷ ଟଙ୍କାରେ ଅତ୍ୟାଧୁନିକ ଡିଜିଟାଲ ଟୁଲ କ୍ରୟ କରାଯିବ ପାଇଁ ପ୍ରସ୍ତାବ ରହିଛି । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଦଶ ଅନୁଯାୟୀ ମହାବିଦ୍ୟାଳୟ ପକ୍ଷରୁ ପ୍ରସ୍ତାବ ପତ୍ର ଓ ଡିପିଆର ପ୍ରଦାନ କରାଯାଇଛି । ଏହି ସହାୟତା ଘୋଷଣା ପାଇଁ କଲେଜ ଅଧ୍ୟକ୍ଷ ଶ୍ୟାମସୁନ୍ଦର ପଳାଇ, କେନ୍ଦ୍ର ଶିକ୍ଷା ବିଭାଗ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ବଡ଼ଚଣା ବିଧାୟକଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।