ପୁରୁଣା ଦିନର ହଜିଲା ସ୍ମୃତି ; ଗଡୁନି ଗାଁ ଦାଣ୍ଡରେ ‘ଶଗଡ଼’ ଶୁଭୁନି କେଁ କଟର ଶବ୍ଦ

ଆଧୁନିକତାରେ ହଜିଗଲାଣି ଅନେକ ପୁରୁଣାକାଳିଆ ଅସ୍ମିତା । ଯାହାକୁ ଖୋଜିଲେ ସହଜରେ ଦୃଶ୍ୟମାନ ହେବନି । ତଥାପି ଏପରି ଅନେକ ଅଛନ୍ତି, ଯେଉଁ ମାନେ ହଜିଲା ସ୍ମୃତିକୁ ସାଇତି ରଖିଛନ୍ତି । ହଜିଲା ସ୍ମୃତିକୁ ସାଇତି ରଖିଲେ କ’ଣ ଲାଭ? ହୁଏତ ଭାଷା କୋଷରେ ଲେଖାଥିବା କଥାକୁ ସତ ବୋଲି ପ୍ରମାଣିତ କରିପାରିବ । ଏହିଭଳି ଆମ ସମାଜରେ ପ୍ରଚଳିତ ଶଗଡ ଗାଡି, ଗୋଟିଏ ଯୁଗ ନୁହଁ ଅତୀତ ଯୁଗରୁ ଆଧୂନିକ ଯୁଗଯାଏ ମଣିଷର ବ୍ୟବହାରରେ ଲାଗି ଆସିଛି ।
ଶହଶହ ବର୍ଷ ଧରି ମଣିଷ ସମାଜକୁ ଉପକୃତ କରିଥିବା ଶଗଡ ଗାଡି ଆଉ ଗାଁ ଦାଣ୍ଡରେ ଗଡୁନି କି କେଁ କଟର ଶବ୍ଦ ଶୁଭୁନି । ଏହି ପ୍ରତିନିଧି ବ୍ୟାସନଗର ପୌରାଞ୍ଚଳ ଦଣ୍ଡିକରି ଗାଁର ଚାଷୀ ଅଭିମନ୍ୟୁ ଜେନାଙ୍କ ନିମନ୍ତ୍ରଣ ରକ୍ଷାକରି କିଛିଦିନ ତଳେ ତାଙ୍କ ଘରେ ପହଞ୍ôଚଥିଲେ । ଶ୍ରାଦ୍ଧ ଭୋଜି ଖାଇବା ପୂର୍ବରୁ ଚାଷୀଙ୍କ ବାଡି ଆଡେ ବୁଲିବାକୁ ଯିବା ବେଳେ ମାଟିଘରର ଓଳିରେ ଡେରା ହୋଇଥିବା ଭଙ୍ଗାତୁଟା ସଗଡ଼ର ଅର, ଚକ, ଅଖ, ଦଣ୍ଡା, ହାଲ, ଜୁଆଳି, ଫଳି, ବାକୁଳି, ପୁଟିଆ ପ୍ରଭୂତି ଉପରେ । ଭଙ୍ଗାତୁଟା ଶଗଡ ଦେଖିବା ପରେ ମନକୁ ଆନ୍ଦୋଳିତ କରିଥିଲା ଯାହା ହେଉ ଚାଷୀ ଅଭିମନ୍ୟୁ ପୁରୁଣା ଦିନର ସାଥିକୁ ସାଇତି ରଖିଛନ୍ତି । ଶଗଡ ଗାଡି ଲୋକଙ୍କର କ’ଣ ଉପକାର ନକରିଛି ତାହା କହିବା ବାହୁଲ୍ୟ ମାତ୍ର । ୭୦ବର୍ଷ ତଳେ ଯେତେ ବେଳେ ସଡକ ପରିବହନ ବ୍ୟବସ୍ଥା ହୋଇ ନ ଥିଲା ସେତେ ବେଳେ, ସୁଦୂର ରେଙ୍ଗୁନ, କଲିକତା, ମାଡ୍ରାସ, ବମ୍ବେ, ଦିଲ୍ଲୀରୁ ରେଳ ଗାଡିରେ ଫେରୁଥିବା ଯାତ୍ରୀଙ୍କୁ ଘରେ ପହଁଚାଉ ଥିଲା ଶଗଡ ଗାଡି । ନୂଆ ବାହା ହୋଇଥିବା କନିଁଅାଁକୁ ଶାଶୁଘରକୁ ନେବା ଆଣିବା କରୁଥିଲା ସ୍ୱୃତି ହୋଇପଡିଥିବା ଶଗଡ ଗାଡ଼ି । ଉପରେ ଲାଗି ଥିବା ବରଡାପତ୍ର କିମ୍ବା ଖଜୁରୀ ପତ୍ରରେ ହାତ ତିଆରି ଛତାର ଦୃଶ୍ୟ କି ମନୋହର । ଶଗଡକୁ ନେଇ ତିଆରି ହୋଇଥିଲା ସିନେମା ଶୂନା କନିଆ । ଲେଖକଙ୍କ କଲମ ମୂନରେ କେତେ ଗପ ଓ ରମ୍ୟ ରଚନା ଲେଖା ହୋଇଛି । ତାହା କହିଲେ ନସରେ । ଶଗଡ ମାନେ ନାହିଁ ବଣ, ପାହାଡ କି ବିଲ । ଗାଁ ଗହଳୀର ଦୋକାନୀ ହାଟ କରନ୍ତି ଚାଲି ଚାଲି ୧୦କୋଷ କିମ୍ବା ୧୫ କୋଷ । କିନ୍ତୁ ଜିନିଷପତ୍ର ଆଣନ୍ତି ଶଗଡରେ । ଶଗଡିଆ ଜୀବନର କାହାଣୀକୁ ନେଇ ଲୋମ ଟାଙ୍କୁରା କଥା ରହିଛି । ସହର ବଜାରରୁ ଶଗଡିଆ ଶଗଡ ନେଇ ଫେରୁଥିଲା ରାତି ପାଆନ୍ତାକୁ । ଶଗଡ ତଳ ବାଉଁଶରେ ବନ୍ଦା ହୋଇଥାଏ କିରୋସିନ ଭରା ଲଣ୍ଠନଟିଏ । ଶଗଡିଆ ଗୀତ ଗାଇ ଗାଇ ଫେରେ ଅମଡା ରାସ୍ତା ଦେଇ ନିଜ ଗାଁକୁ । ଗାଁ ଲୋକେ ଓ ଦୋକାନୀ ଦଉଡି ଯାଅନ୍ତି ଶଗଡିଆ ପାଖକୁ ମଗାଇଥିବା ନିଜ ନିଜ ଜିନିଷ ନେବାକୁ । ଆଧୁନିକ ଯୁଗରେ ଯେମିତି କୋରିଅର ବାଲା ସବୁଜିନିଷ ଦିଲ୍ଲୀ କଲିକତାରୁ ଅଣାଇ ମାଗିବା ଜିନିଷ ଠାରୁ ବିବିନ୍ନ ଆବଶ୍ୟକୀୟ ପଦାର୍ଥ ଘରେ ଘରେ ଯୋଗାଇ ଦେଉଛନ୍ତି ସେହିପରି ଶଗଡିଆ ସହରରୁ ଆଣି ଗାଁ ଗହଳୀରେପହଁଚାଇ ଦେଇଥାଏ । ଖାଲି ସେତିକି ନୁହେଁ ଶଗଡ ଅତୀତରେ ବହୁବିଧ କାର୍ଯ୍ୟ କରୁଥିଲା । ଝିଅ, ବୋହୂ, ଯାତ୍ରୀ, ବିଦେଶୀ ମାନଙ୍କୁ ବୋହି ନେଇ ଗନ୍ତବ୍ୟ ସ୍ଥଳରେ ପହଁଚାଉ ଥିଲା ତ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ମଧ୍ୟ ଲୋକ ମାନଙ୍କୁ ଆଣି ତାଙ୍କ ହାତ ପାଆନ୍ତାରେ ପହଁଚାଇ ଦେଉଥିଲା । ଶଗଡିଆକୁ ଭାଇ ବୋଲି ସମ୍ବୋଧନ କରାଯାଉଥିଲା । ବର୍ଷକ ବାରମାସ ଧରି ଶଗଡ ବିଲରେ ଚାଷୀ ଭାଇ ମାନଙ୍କୁ ସହାୟ ହେଉଥିଲା । ଖରାଦିରେ ଶଗଡ ଉପରେ ଓଦର ବାନ୍ଧି ବିଲକୁ ଖତ ବୋହୁଥିଲା । ମାଟି ଉଠାଇ ମାଟି ପକାଉଥିଲା । ଧାନ ଅମଳ ହେଲେ ବିଲରୁ ଅମଳ ହୋଇଥିବା ଦାନକୁ ବୋହି ନେଇ ଚାଷୀଙ୍କ ଖଳାରେ ପକାଉଥିଲା । ବହୁ ଦୂରରେ ଥିବା ଧାନ କଳକୁ ଶଗଡ ଧାନ ବୋହି ନେଇ ଧାନ କୁଟାଇ ପୁଣି ଘରକୁ ଚାଉଳ ଆଣି ଦେଉଥିଲା । ଖାଲି ସେତିକି ନୁହେଁ ଆଦିବାସୀ ମାନଙ୍କ ପାଇଁ ମଧ୍ୟ କାମରେ ସହ ଯୋଗ କରୁଥିଲା । ଦୁଇଟି ହଡା ବଳଦକୁ ନେଇ ଶଗଡିଆ ଜଙ୍ଗଲରୁ କାଠ ବାଉଁଶ ବୋହି ଆଣି ବ୍ୟବସାୟୀ ଓ ଘର ଲୋକଙ୍କୁ ଯୋଗାଇ ଦେଉଥିଲା । ଘର ତିଆରି କରିବା ଲୋକ ଆଗେ ଖୋଜେ ଶଗଡକୁ । ଶଗଡ ବିନା କୌଣସି ନିର୍ମାଣ ସମ୍ବବ ହୋଇ ପାରୁ ନଥିଲା । ଅତୀତରେ ଶଗଡ ଗାଡି ଖୁବ କମ ଲୋକଙ୍କ ଘରେ ଥିଲା । ବଡବଡ ଚାଷୀ, ଜମିଦାର ମାନେ ଶଗଡ ତିଆରି କରି ବଳଦ ବାନ୍ଧି ଲୋକଙ୍କ ଦ୍ୱାରା ଶଗଡରେ କାମ କରୁଥିଲେ । କିଛି ଲୋକ ନିଜର ଶଗଡ ଥିଲା ତାହା ସର୍ବସାଧାରଣରେ ଲାଗୁଥିଲା । ଅତୀତର କଲିକତା, ରେଙ୍ଗୁନରେ ଦିଲ୍ଲୀରେ ଶଗଡ ଗାଡିର ପ୍ରଚଳନ ଥିଲା । ବ୍ରିଟିଶର ମାନେ ମଧ୍ୟ ଶଗଡ ଗାଡିର ବିନିଯୋଗ କରୁଥିଲେ । ଆସବାବ ପତ୍ରଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ରରେ ଶଗଡକୁ ଲଗାଉଥିଲେ । ବ୍ରିଟିଶ ସରକାର ଗାଁ ଗହଳୀ ମାନଙ୍କରେ ଯେଉଁ ନିର୍ମାଣ କାର୍ଯ୍ୟ କରୁଥିଲେ ଏପରିକି ରେଳ ଲାଇନଠାରୁ ଆରମ୍ଭକରି ବଡବଡ କୋଠା ନିର୍ମାଣରେ ଶଗଡକୁ ଲୋଡୁଥିଲେ । ବହୁ ଅତୀତରେ ରାଜା ରାଜ୍ୟ ଜୟ କରୁଥିଲା ବେଳେ ବିଭିନ୍ନ ଉତ୍ସବକୁ ଘୋଡାରେ ନଯାଇ ଶଗଡରେ ଯିବା ଦେଖା ଯାଉଥିଲା । ଏହିପରି ଶଗଡ ଓଡିଆ ଜାତିର ଏକ ଅସ୍ମିତା ବୋଲି କୁହାଯାଇଥାଏ । ତାର ସହଜ ଓ ସୁବିଧା କାର୍ଯ୍ୟ କେହି କରି ପାରୁନଥିଲେ । ଶଗଡଟି ପାଖାପାଖି ୨୦ଫୁଟ ଲମ୍ବ ହୋଇଥାଏ । ଚଉଡାଟା ୭ ଫୁଟରୁ ଆରମ୍ଭକରି ମୁଣ୍ଡରୁ ଶେଷ ଯାଏଁ ୪ ଫୁଟ କିମ୍ବା ୩ ଫୁଟର ଓସାର ହୋଇଥାଏ । ଦୁଇଟି ଚକ ଛଅ ଫୁଟର ଥାଏ । ତାର ମଝି ଗଣ୍ଡିଟିକୁ ଅର କୁହାଯାଏ ।
ଯେଉଁଥିରେ ଅଖ ଲାଗିଲାଗିଥାଏ, ଚକକୁ ମଜବୁତ କରି ରଖିବା ପାଇଁ । ଯେତେ ଜିନିଷ ଲଦା ହେଲେ ବି ଚକ ଅଖ ଭାଙ୍ଗିବ ନଥାଏ । କାରଣ ଚକର ଉପରିଭାଗରେ ଗୋଲେଇ ଲୁହାର ମୋଟା ପାତ (ହାଲ) ଦିଆ ଯାଇଥାଏ । ଚକ ଘୋରି ହେବ ନାହିଁ କି ଭାଙ୍ଗିବ ନାହିଁ । ବାଉଁଶର ଶରୀରଟିରେ ମଝିରେ ଯେଉଁ ମୋଟାର ଗୋଲେଇ ଅର ଲାଗିଥାଏ ସେଥିରେ ଶଗଡର ଶରୀରକୁ ସଂଲଗ୍ନ କରାଯାଇଥାଏ ଗୋଟିଏ କାଠ ଦ୍ୱାରା । ସେଥିରେ ମଧ୍ୟ ମଝିରେ ମଝିରେ ତେଲ ଦିଆ ଯାଇଥାଏ । ଶଗଡର ଗୁରୁତ୍ୱ ଏତେ ଥିଲା ଯାହା ଜନମାନସରେ ବାନ୍ଧି ହୋଇ ରହିଥିଲା । ପିଲାଙ୍କୁ ପାଠ ପଢାଇବା ବେଳେ ଶିକ୍ଷକ ରଚନା ଲେଖାରେ ପ୍ରଶ୍ନ କରନ୍ତି ଶଗଡର ଆତ୍ମ କାହାଣୀ ଲେଖ । ବାସ୍ତବରେ ଶଗଡର ଉପକାରିତାକୁ କେହି ଭୁଲି ପାରିବେ ନାହିଁ । ଆଧୁନିକ ସଭ୍ୟତାରେ ମଣିଷ ବିଜ୍ଞାନ ସହ ତାଳ ଦେଇ ଚାଲିଛି । ଏବେ ଚାଷୀଙ୍କ ପାଇଁ ସବୁପ୍ରକାର ଆଧୁନିକ ପ୍ରଣାଳୀ ଅନୁସୃତ ହେଉଥିଲେ ହେଁ ଶଗଡର ଅସ୍ମିତା ଭଳି କୈାଣସି ପ୍ରଣାଳୀ ବା ଯନ୍ତ୍ରପାତି ତାହାର ସମକକ୍ଷ ହୋଇ ପାରିବ ନାହିଁ । ଏହାକୁ ଓଡିଆଙ୍କ ଅସ୍ମିତା ଭାବି ପରପିଢୀ ପାଇଁ ସରକାର ସାଇତି ରଖିବା ଆବଶ୍ୟକ ।