ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ବଢୁଛି ଅସନ୍ତୋଷ
ବିଞ୍ଝାରପୁର : ବିଞ୍ଝାରପୁର ଥାନା ଇଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅପରାଧି ନିର୍ଭୟରେ ବୁଲୁଛନ୍ତି ସତ ହେଲେ ପୁଲିସ ସେମାନଙ୍କୁ ଖୋଜି ପାଉନି । ବିଶେଷ କରି ଥାନା ଅନ୍ତର୍ଗତ ବିଭିନ୍ନ ଖାଦାନରେ ବେଆଇନ ଭାବେ ବାଲି ଉତୋଳନକୁ ନେଇ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି । ଗୋଟେ ପଟେ ସରକାର ଦୈନିକ ଲକ୍ଷାଧିକ ଟଙ୍କାର ରାଜସ୍ୱ ହରାଉଥିବା ବେଳେ, ବାଲି ମାଫିଆଙ୍କ ଦୈାରାତ୍ମ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ସାଧାରଣ ଜନତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଉଥିବା ବେଳେ ଖୋଦ ଥାନା ବାବୁ ଅଭିଯୋଗକାରୀଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିବାକୁ ପ୍ରବର୍ତାଉଛନ୍ତି । ନିକଟରେ ସୟଦପୁର ପଞ୍ଚାୟତ ପଠାନମହଲା(ଫକୀରସାହି) ଠାରେଘଟିଥିବା ଗଣ୍ଡଗୋଳ ପୁଲିସ ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ କରିବାକୁ ପ୍ରବର୍ତାଇବା ଏବଂ ଗିରଫ ବଦଳରେ ହାଇକୋର୍ଟରୁ ଜାମିନ ଆଣିବାକୁ ସମୟ ଦେବା କଥା ଏବେ ବେଶି ଆଲୋଚନା ହେଉଛି । ଅଞ୍ଚଳରେ ନିୟମିତ ଗୋ ଚାଲାଣ ଓ ଗୋ ହତ୍ୟାର ସଂଗୀନ ଅଭିଯୋଗ ନିର୍ଦ୍ଧିଷ୍ଟ କେତେକଙ୍କ ନାମରେ ଥିଲେ ବି ପୁଲିସ ହାତବାନ୍ଧି ବସିବାକୁ ଉଚିତ ମଣିଛି । ଏନେଇ ପୂର୍ବତନ ସରପଞ୍ଚ ଅବଦୁଲ କାଦିର ଖାଁ ରାଜ୍ୟ ଗୃହ ବିଭାଗ ସଚିବ ଓ ଯାଜପୁର ଏସପି ଏବଂ ଏସଡିପିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଗତ ୧୦ ତାରିଖରେ ଗୃହ ବିଭାଗ ସଚିବ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଯାଜପୁର ଏସପିଙ୍କୁ ସୟଦପୁର ପଞ୍ଚାୟତରେ ମାଫିଆଙ୍କ ଦୌରାତ୍ମ୍ୟ ଚରମସୀମାରେ ପହଁଚିଲାଣି ବୋଲି ଅଭିଯୋଗ କରିଛନ୍ତି । ଏହାକୁ ନେଇ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ଯାଉଛି ବୋଲି ଶ୍ରୀ କାଦିର ଜଣାଇବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବଡ ଜନ ଆନେ୍ଦାଳନ ହେବାକୁ ରୋକାଯାଇପାରିବନି ବୋଲି ଚେତାବନୀ ଦେଇଛନ୍ତି । ଯାଜପୁର ଏସ୍ପି ବ୍ୟକ୍ତିଗତ ଭାବେ ଏଥିପ୍ରତି ଦୃଷ୍ଟି ହେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ଅନ୍ୟଥା ପୁଲିସ ପ୍ରଶାସନ ଉପରୁ ସାଧାରଣ ଜନତାଙ୍କ ଭରସା ତୁଟିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।