ପୁରୁଣା ଷ୍ଟେସନ ବଜାର ଦୁର୍ଗାପୂଜା ସମିତି : ଆକର୍ଷଣ ଅଷ୍ଟ ଭୈରବ ତୋରଣ

 ଭୁବନେଶ୍ୱର : ସବୁବେଳେ ନିଆରା ତୋରଣ ଓ ସାଜସଜ୍ଜାକୁ ନେଇ ଚର୍ଚ୍ଚାରେ ରହି ଆସିଛି ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି । ଏଥର ମଧ୍ୟ ନୂଆ ପରିକଳ୍ପନା ଓ ନୂଆ ସାଜସଜ୍ଜାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ପୂଜା ସମିତି । ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତ ବର୍ଷ ୭୦ ବର୍ଷରେ ପଦାର୍ପଣ କରିଛି । ପ୍ରତ୍ୟେକ ବର୍ଷ କିଛି ନୂଆ ରୂପ ଓ ପରିକଳ୍ପନାରେ ଆଧାରିତ ତୋରଣ ନେଇ ଚର୍ଚ୍ଚାରେ ରହୁଥିବା ପୂଜା ସମିତି ଏଥର ବାହାରର ଦୃଶ୍ୟ ଅଷ୍ଟ ବୈରବଙ୍କ ଉପରେ ଆଧାରିତ ବିଷୟବସ୍ତୁକୁ ନିର୍ମାଣ କରୁଛି । ଏଥିରେ ମହାଦେବଙ୍କର ଉଗ୍ର ରୂପ ତଥା ମା’ କାଳୀଙ୍କର ଆବିର୍ଭାବ ଓ ତନ୍ତ୍ରମନ୍ତ୍ରର ଉଚ୍ଚାରଣ ସାଙ୍ଗକୁ କିଛି ହୃଦୟସ୍ପର୍ଶୀ ସାଜସଜ୍ଜା ଦେଖିବାର ସୁଯୋଗ ପାଇବେ ଭକ୍ତ । ଏହି ତୋରଣ ୧୬୦ ଫୁଟ ଲମ୍ବ ଓ ୪୦ ଫୁଟ ଉଚ୍ଚତା ଏବଂ ନିକ୍ଷୁଣ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ରହିବ । ମଣ୍ଡପର ଭିତର ପାଶ୍ୱର୍ରେ ମା’ ଦୁର୍ଗାଙ୍କର ଭାବନା ପ୍ରକାଶ ପାଉଥିବା କଳାକୃତି ସାଙ୍ଗକୁ (ଭୁବନେଶ୍ୱକୁ ସିଲିଙ୍ଗରେ) ଦର୍ପଣ ସଦୃଶ ଦେଖିବାର ସୁଯୋଗ ପାଇବେ । ଏହାକୁ କଳା ନିଦେ୍ର୍ଦଶକ ସୁବାସ ଚନ୍ଦ୍ର ବେହେରା ଓ ତାଙ୍କ ସହଯୋଗୀମାନେ ଦୀର୍ଘ ୨ ମାସ ହେବ ନିର୍ମାଣ କରିଆସୁଛନ୍ତି, ଯାହାକି ଶ୍ରଦ୍ଧାଳୁମାନଙ୍କ ବିଶେଷ ଆକୃଷ୍ଟ କରିବ । 
ସବୁ ସମୟରେ ଚାନ୍ଦିମେଢ ଓ ସୁନା ଅଳଙ୍କାର ଏଠାର ଅନ୍ୟତମ ଆକର୍ଷଣ ହୋଇ ଆସିଅଛି । ଏଥର ପୂଜା ବଜେଟ୍ ୬୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ସପ୍ତମୀ ତିଥିଠାରୁ ଅଷ୍ଟମୀ ତିଥି ମଧ୍ୟରେ ଦେବୀଙ୍କ ନିକଟରେ ଚାରୁଅନ୍ନ ଭୋଗ ସାଙ୍ଗକୁ ଦଶମୀରେ ଦହିପଖାଳ ଲାଗି ହେବ, ଯାହାକି ଶ୍ରଦ୍ଧାଳୁଙ୍କୁ ବଣ୍ଟନ ବ୍ୟବସ୍ଥା ରହିଛି । ମଣ୍ଡପ ପରିସରରେ ହେବାକୁ ଥିବା ଭିଡ଼କୁ ଲକ୍ଷ୍ୟ ରଖି ୫୦ଟି ସିସି କ୍ୟାମେରା ଖଞ୍ଜାଯିବ । ଟ୍ରାଫିକ୍ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍ ପୁଲିସ ସହ ପୂଜା ସମିତି ପକ୍ଷରୁ ୨୦୦ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ଷଷ୍ଠ ତିଥିଠାରୁ ଦଶମୀ ତିଥି ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ୱର ବିଭିନ୍ନ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହାସହ ପାରମ୍ପାରିକ ବାଦ୍ୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଚଳିତ ଥର ପୂଜା ମଣ୍ଡପରେ ଲଗାଯିବାକୁ ଥିବା ସିସି କ୍ୟାମେରାକୁ କମିଶନରେଟ୍ ପୁଲିସ୍ର କ୍ୟାମେରା ସହ ଅନ୍ଲାଇନ୍ ସଂଯୋଗ ପାଇଁ ଯୋଜନା ରଖାଯାଇଛି ।  ମଣ୍ଡପକୁ ଆସୁଥିବା ମହିଳା ଓ ଭିନ୍ନକ୍ଷମ ଶ୍ରଦ୍ଧାଳୁମାନେ କିଭଳି ସୁରକ୍ଷିତ ପୂଜା ଅର୍ଚ୍ଚନା କରିବେ ସେ ନେଇ ମହିଳା ସ୍ୱେଚ୍ଛାସେବୀ ଓ ପୁରୁଷ ସ୍ୱେଚ୍ଛାସେବୀ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଭିନ୍ନକ୍ଷମ ଓ ବୟସ୍କ ଲୋକମାନଙ୍କ ନିମନ୍ତେ ହୁଇଲ୍ ଚେୟାର୍ର ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଭାବେ ଛୋଟପିଲାଙ୍କ ପାଇଁ ସ୍ତନ୍ୟପାନ ଗୃହ ନିର୍ମାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସଭାପତି ଗଣେଶ ପ୍ରସାଦ ସାହୁ, ସଂପାଦକ ଦୀପକ କୁମାର ଜେନା ଓ ସାଂସ୍କୃତିକ ସଂପାଦକ ରଣଜିତ ଗରାବଡୁ ।