ପରିବହନ ଚିନ୍ତା
ବର୍ତ୍ତମାନ ସମୟରେ ୩ ଲକ୍ଷରୁ ୧୦ ଲକ୍ଷ ଲୋକ ଥିବା ସହରଗୁଡ଼ିକରେ ବର୍ଷକୁ ପାଖାପାଖି ୮୦ ହଜାରରୁ ଲକ୍ଷେ ପର୍ଯ୍ୟନ୍ତ ମୋଟର ଯାନର ସଂଖ୍ୟା ବଢୁଛି । ସେସବୁ ଦୁଇଚକିଆ, ତିନିଚକିଆ ଏବଂ ଚାରିଚକିଆ ଯାନ । ଅଧିକାଂଶ ହେଉଛି ଦୁଇଚକିଆ ଯାନ । ବର୍ତ୍ତମାନ ଜୀବନଶୈଳୀ ବଦଳିଛି । ଲୋକେ ଆଉ ପାଦରେ ଚାଲି ଯିବା ଆସିବା କରୁନାହାନ୍ତି କିମ୍ବା ସାଇକେଲ୍ ମଧ୍ୟ ବ୍ୟବହାର କରୁୁନାହାନ୍ତି । ମୋଟର ଯାନ କମ୍ପାନୀମାନେ ବ୍ୟାଙ୍କ୍ ମାଧ୍ୟମରେ ଋଣ ଦେଇ ମୋଟର ଯାନ କିଣିପାରିବାର ବ୍ୟବସ୍ଥା କରିଛନ୍ତି । ଏହି ଋଣଗୁଡ଼ିକୁ କିସ୍ତି ଆକାରରେ ସୁଝିବାକୁ ପଡୁଛି । ସଙ୍ଗେ ସଙ୍ଗେ ଯାନଟିର ପୂରା ମୂଲ୍ୟ ଦେବାକୁ ପଡୁନଥିବାରୁ ଲୋକମାନେ ବ୍ୟାଙ୍କ୍ରୁ ଋଣ ନେଇ କିସ୍ତିରେ ଗାଡ଼ି କିଣୁଛନ୍ତି । ସେମାନେ କେବେହେଲେ ନିଜକୁ ପଚାରୁନାହାନ୍ତି ଯେ ପ୍ରକୃତରେ ଏ ଗାଡ଼ିଟି ଜରୁରୀ କି ନୁହେଁ? ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସହରରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ପ୍ରଚଳନ କରାଗଲାଣି । ଏହି ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଶସ୍ତା ଏବଂ ନିଜର ଯାନର ତେଲ ଖର୍ଚ୍ଚ, ଗାଡ଼ିର ମରାମତି ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଠାରୁ ଯଥେଷ୍ଟ କମ୍ । ବର୍ତ୍ତମାନ ରାଜ୍ୟର ପ୍ରାୟ ୫ଟି ସହରରେ ଆରାମଦାୟକ ଶୀତତାପ ନିୟନ୍ତ୍ରିତ ସର୍ବସାଧାରଣ ପରିବହନ ବ୍ୟବସ୍ଥା ପ୍ରଚଳନ କରାଗଲାଣି । ନିକଟରେ ପୁରୀକୁ ଶୀତତାପ ନିୟନ୍ତ୍ରିତ ବସ୍ ସେବା ଆରମ୍ଭ କରାଯାଇଛି । ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଭଳି ସହରରେ ଲୋକମାନେ "ଆମ ବସ୍ ସେବା'ର ସୁବିଧା ଆପଣେଇ ନେଲେଣି । ଏହି ସର୍ବସାଧାରଣ ବସ୍ ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ନିର୍ଭରଯୋଗ୍ୟ ଏବଂ ଏହାର ଭଡ଼ା ପୈଠ କରିବା କ୍ଷେତ୍ରରେ ବିଭିନ୍ନ ପ୍ରକାରର ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା ସ୍ୱୀକୃତି ଦିଆଯାଇଛି । ଏପରିକି ଏଟିଏମ୍ କାର୍ଡ୍ରେ ମଧ୍ୟ ଏହି ବସ୍ ଭଡ଼ା ଗ୍ରହଣ କରାଯାଇପାରୁଛି । ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ବସ୍ ସେବାରେ ମଧ୍ୟ ରିହାତି ଅଛି । ତେଣୁ ଏ ପ୍ରକାରର ସୁବିଧାକୁ ଛାଡ଼ି ନିଜର ବ୍ୟକ୍ତିଗତ ଯାନବାହାନ କିଣି ସେଥିରେ ଯିବାଆସିବା କରିବାଟା ଆର୍ଥôକ ଦୃଷ୍ଟିରୁ କେବେହେଲେ ଲାଭଦାୟକ ନୁହେଁ ।
ଭାରତର ଅନ୍ୟାନ୍ୟ ବଡ଼ ବଡ଼ ସହରରେ ଇ-ବସ୍ ସେବା ଏବଂ ପିଏମ୍–ଇ ଡ୍ରାଇଭ୍ ଭଳି ଯୋଜନା କାର୍ଯ୍ୟକାରୀ ହୋଇସାରିଲାଣି । ଲୋକମାନେ ମଧ୍ୟ ଏ ପ୍ରକାରର ପରିବହନ ବ୍ୟବସ୍ଥା ସହିତ ବେଶ୍ ଅଭ୍ୟସ୍ତ ହୋଇଗଲେଣି । ଦେଶର ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଅଚଳ ହୋଇଗଲେ ଜନଜୀବନ ଅଚଳ ହୋଇଯାଉଛି । ଭୁବନେଶ୍ୱରରେ ଭୋର ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ସର୍ବସାଧାରଣ ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏହି ପରିବହନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ୬ଟି ଡ଼ିପୋ ଖୋଲାଗଲାଣି । ଏହିସବୁ ଡ଼ିପୋଗୁଡ଼ିକରୁ ସହରର ବିଭିନ୍ନ ସ୍ଥାନକୁ ତଥା କଟକ-ଖୋର୍ଦ୍ଧା, କୋଣାର୍କ, ପୁରୀ ଭଳି ସ୍ଥାନକୁ ବସ୍ ଚଳାଚଳ ଆରମ୍ଭ କଲାଣି । ଏପରିକି ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ହପ୍ଅନ୍, ହପ୍ଅପ୍ ନାମରେ ଶୀତତାପ ନିୟନ୍ତ୍ରିତ ବସ୍ ସେବା ଦୀର୍ଘଦିନ ହେଲା ପ୍ରଚନଳ କରାଗଲାଣି । କେବଳ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଚାହୁଁଥିବା ଲୋକମାନ ଏହି ବସ୍ ସେବାର ସୁବିଧା ଉପଲବ୍ଧ କରୁଛନ୍ତି । ସହର ଭିତରେ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିବା ଭଳି ପର୍ଯ୍ୟଟନସ୍ଥଳୀ, ପୁରୀ, କୋଣାର୍କ, ଖୋର୍ଦ୍ଧା ଭଳି ଦର୍ଶନୀୟ ସ୍ଥାନକୁ ଯିବା ଆସିବା ନେଇ ସଡ଼କ ପରିବହନ ବ୍ୟବସ୍ଥାକୁ ଅତ୍ୟନ୍ତ ସୁବ୍ୟବସ୍ଥିତ କରି ଏହି ବସ୍ ଚଳାଚଳ କରୁଛି । ଏଥିମଧ୍ୟରୁ ଅଧିକାଂଶ ବସ୍ ବିଦୁ୍ୟତ୍ ଯାନ ବା ଇ-ବସ୍ । ଏଥିରେ କୌଣସି ଇନ୍ଧନ ବା ତୈଳ ବ୍ୟବହାର କରାଯାଉନାହିଁ । ବିଭିନ୍ନ ଡ଼ିପୋଗୁଡ଼ିକରେ କେବଳ ବ୍ୟାଟେରୀକୁ ରିଚାର୍ଜ କରି ଏହି ବସ୍ ଚଳାଚଳ କରୁଛି । ଏଥିରେ ଶବ୍ଦ ନାହିଁ କିମ୍ବା ଧୂଆଁ ନାହିଁ । ଆରାମ୍ଦାୟକ ବ୍ୟବସ୍ଥା ଭିତରେ ଏସବୁ ଶୀତତାପ ନିୟନ୍ତ୍ରିତ ମଧ୍ୟ । ସହରୀ ଜୀବନରେ ବ୍ୟକ୍ତିଗତ ଗାଡ଼ି ରଖିବା ପାଇଁ ସ୍ଥାନ ନଥିବା ବେଳେ ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ଆପଣେଇ ନେଲେ ଆର୍ଥôକ ଦୃଷ୍ଟିରୁ ଏହା ସମସ୍ତଙ୍କ ପାଇଁ ସହଜ ସାବ୍ୟସ୍ତ ହୋଇପାରିବ ।