ଏନ୍ଏସି ମାନ୍ୟତା ପାଇଁ କଂଗ୍ରେସର ବିକ୍ଷୋଭ
ସାଲେପୁର : ସାଲେପୁର ସହରକୁ ଏନ୍ଏସି ମାନ୍ୟତା ପ୍ରଦାନ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ପ୍ରତିବାଦରେ ସାଲେପୁର କଂଗ୍ରେସ କମିଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ସାଲେପୁର ସହରକୁ ତୁରନ୍ତ ଏନ୍ଏସି ମାନ୍ୟତା ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସାଲେପୁର କଂଗ୍ରେସ ନେତା ଆକ୍ୟୁବ୍ ଖାଁ ପ୍ରକାଶ କରିଛନ୍ତି । ସମସ୍ତ ଭିତ୍ତିଭୂମି ଥାଇ ସାଲେପୁର ଅଦ୍ୟାବଧି ଏନ୍ଏସି ମାନ୍ୟତା ପ୍ରଦାନ କରାଯାଇନାହିଁ । ଉଭୟ ବିଜେପି ଓ ବିଜେଡି ସରକାର ଲୋକମାନଙ୍କୁ ଭୂଆଁ ବୁଲାଇବା ପାଇଁ ଏନ୍ଏସିକୁ ନେଇ ଖାଲି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କଂଗ୍ରେସ ନେତା ଆକ୍ୟୁବ୍ ଖାଁ ଅଭିଯୋଗ କରିବା ସହ ସରକାର ସାଲେପୁର ଅଞ୍ଚଳକୁ ଏନ୍ଏସି ମାନ୍ୟତା ପ୍ରଦାନ କରିବାରେ ବିଳମ୍ବ କରୁଥିବାରୁ ଏହାର ପ୍ରତିବାଦରେ ଶତାଧିକ କଂଗ୍ରେସ କର୍ମୀ ସାଲେପୁର କଂଗ୍ରେସ ନେତା ଆକ୍ୟୁବ୍ ଖାଁଙ୍କ ନେତୃତ୍ୱରେ ସ୍ଥାନୀୟ ମଧୁମଣ୍ଡପ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସାଲେପୁର-କୁଆଁପାଳରୋଡ୍ ଦେଇ ସାଲେପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ କଟକ ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ପ୍ରଦୀପ୍ତ ଦାଶ, କଂଗ୍ରେସ ନେତା ସୁରେନ୍ଦ୍ର ମହାରଣା, ଚିତ୍ତରଂଜନ ରାଉତରାୟ, ସୁଦାମ ବାରିକ, ଫିରୋଜ ଖାଁ, ପ୍ରମୋଦ ଖୁଣ୍ଟିଆ, ସରୋଜ କୁମାର କର, ସେକ୍ ପୀର ବକ୍ସ, ଅଶ୍ୱିନୀ କୁମାର ଦାସ, ଲୋକନାଥ ବେହେରା, ହରେକୃଷ୍ଣ ବେହେରା, ବିସ୍ମୟ ରଂଜନ ଭୂୟାଁ, ସଫିଉଲ୍ ଆଲାମଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ସାଲେପୁର ଏନ୍ଏସିକୁ ନେଇ ଉଭୟ ବିଜେପି ଓ ବିଜେଡି ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ହାସ୍ୟାସ୍ପଦ ବୋଲି ସେ ପ୍ରକାଶ କରିବା ସହ ଯଦି ତୁରନ୍ତ ସାଲେପୁରକୁ ଏନ୍ଏସି ମାନ୍ୟତା ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସାଲେପୁର ତହସିଲଦାର ଜୟନ୍ତ କୁମାର ଜୟ ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।