ପୃଥିବୀର ଫୁସ୍ଫୁସ୍ ଜଙ୍ଗଲ
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ବିଶ୍ୱ ବନଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଯୋଗ ଦେଇଥିଲେ ।ଏହି ଅବସରରେ ଜଙ୍ଗଲ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୪ଟି ବନଖଣ୍ଡ ଯଥା ବନୀକରଣ ଏବଂ ସବୁଜିକରଣ ପଦକ୍ଷେପ ପାଇଁ ନବରଙ୍ଗପୁର ବନଖଣ୍ଡ, ଜଙ୍ଗଲ ସୁରକ୍ଷା ଏବଂ ସଂରକ୍ଷଣ-କେଉଁଝର ବନଖଣ୍ଡ, ଜୀବିକା ବୃଦ୍ଧି ଏବଂ ସାମୁଦାୟିକ ଅଂଶଗ୍ରହଣ-ବୌଦ୍ଧ ବନଖଣ୍ଡ ଓ ଜଙ୍ଗଲ ପରିଚାଳନାରେ ପ୍ରଯୁକ୍ତିର ବ୍ୟବହାର ପାଇଁ ରାଉରକେଲା ବନଖଣ୍ଡକୁ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଜଙ୍ଗଲ ବିଭାଗରେ ଉଲେଖନୀୟ କାର୍ଯ୍ୟ ପାଇଁ ବନରକ୍ଷୀ, ବନପାଳ ଏବଂ ବନ ରେଞ୍ଜ ଅଧିକାରୀ ପଦର ୪୦ ଜଣ କ୍ଷେତ୍ରୀୟ କର୍ମଚାରୀଙ୍କୁ ରାଜ୍ୟ ବନୀକରଣ ପୁରସ୍କାର ପ୍ରଦାନ କରାଯାଇଥିଲା । ହାଇଲାଇଟ୍ ଅଫ ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଶୀର୍ଷକ ଏକ ତଥ୍ୟଭିତ୍ତିକ ବାର୍ଷିକ ସଂକଳନ, ଗୁଗୁଲ ଆର୍ଥ ଇଞ୍ଜିନ୍ ଫର୍ ଫରେଷ୍ଟି ଇନ୍ସାଇଟ ଫର୍ମ ଓଡ଼ିଶା, ମାମାଲ୍ସ ଆଣ୍ଡ ବାର୍ଡ଼ ଅଫ୍ ବଣାଇଁ ଫରେଷ୍ଟ ଡିଭିଜନ ଏବଂ ବଣାଇଁ ଅଞ୍ଚଳର ପାରମ୍ପରିକ ଉପକରଣ ଏବଂ ତା’ର ବ୍ୟବହାର ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ବୃତ୍ତଚିତ୍ର ଆମ ଜଙ୍ଗଲ, ଆମ ଭବିଷ୍ୟତ ପ୍ରଦର୍ଶିତ ହୋଇଥିଲା ।