ବସ୍ ଧକ୍କାରେ ସାମ୍ବାଦିକା ମୃତ : ରାଜରାସ୍ତାରେ ବାଲି ନେଲା ୨ ଜୀବନ
ପିପିଲି : ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ପିପିଲି ଥାନା ଅର୍ନ୍ତଗତ ମଙ୍ଗଳପୁର ନିକଟ ଜମାଲପୁର ସିଡ଼ି ଠାରେ ବସ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଉଛନ୍ତି କଳିଙ୍ଗନଗରରେ ରହୁଥିବା ଭୁବନେଶ୍ୱର ନ୍ୟୁଜ୍ ୭ ସାମ୍ବାଦିକା ଶିଲା ପଟ୍ଟନାୟକ(୪୦) ଓ ଘାଟିକିଆର ସିପିକା ନାୟକ । ବୈଦ୍ୟୁତିକ ଗଣମାଧ୍ୟମ ନ୍ୟୁଜ-୭ ର ଯୁବ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତିଯେ, ମୁଁ ଅତ୍ୟନ୍ତ ଦୁଃଖିତ । ଜଣେ ଦାୟିତ୍ୱସମ୍ପନ୍ନ ସାମ୍ବାଦିକା ଭାବେ ଗଣମାଧ୍ୟମ ଜଗତରେ ତାଙ୍କର ସୁନାମ ରହିଥିଲା । ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ, ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ଉଲ୍ଳେଖ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ଦୁଇଜଣ ଯାକ ଭୁବନେଶ୍ୱରରୁ ଏକ ସ୍କୁଟି ଗାଡି ନମ୍ବର ଓଡି ୩୩ଏକ୍ସ -୦୦୮୧ଯୋଗେ ଆଜି ସକାଳେ ପୁରୀ ଅଭିମୁଖେ ଯାଉଥିଲେ । ଜମାଲପୁର ସିଡି ଠାରେ ଜାତୀୟ ରାଜପଥ ଉପରେ ବାଲି ଖେଳାଇ ହୋଇ ପଡିଥିଲା । ସେହି ବାଲି ଉପରେ ଚାଳକ ନିଜର ଭାରସାମ୍ୟ ହରାଇ ରାଜପଥ ଉପରେ ପଡିଯାଇଥିଲେ । ସେହି ସମୟରେ ଦ୍ରୁତଗତିରେ ଆସୁଥିବା ସାରଳା ନାମକ ଘରୋଇ ଯାତ୍ରୀବାହି ବସ ଯାହାର ନମ୍ବର (ଓଡି୦୨ଡିବି ୮୧୯୯) ସ୍କୁଟି ଗାଡି ଉପରେ ମାଡି ଯାଇଥିଲା । ଯାହା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ମଙ୍ଗଳପୁର ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଲାଗି ରହିଥିଲା ।
ଖବର ପାଇ ଘଟଣାସ୍ଥଳରେ ପିପିଲି ଏସଡିପିଓ ଦେବାଶିଷ ମିଶ୍ର ଓ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ଥାନା ଏସ୍ଆଇ ସୁରମା ସ୍ୱାଇଁ, ନାରାୟଣ ବେହେରା ଓ ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଂଜନ ପରିଡା ପ୍ରମୁଖ ପହଞ୍ଚି ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରି ସ୍ଥିତି ସ୍ୱାଭାବିକ କରିଥିଲେ । ପିପିଲି ପୁଲିସ ମଙ୍ଗଳପୁର ମେଡିକାଲରେ ଦୁଇ ମହିଳାଙ୍କ ମୃତ ଶରୀରକୁ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ବସ ଡ୍ରାଇଭରଙ୍କୁ ସାକ୍ଷୀଗୋପାଳ ଥାନାରେ ଅଟକ ରଖିବା ସହ ବସକୁ ଜବତ କରାଯାଇଛି । ମୃତ ସିପିକା ନାୟକଙ୍କ ସ୍ୱାମୀ ପ୍ରଦୀପ୍ତ ରାଉତଙ୍କ ଲିଖିତ ଅଭିଯୋଗକ୍ରମେ ପିପିଲି ଥାନାରେ ଏନେଇ୧୫/୨୬ରେ ଏକ ମାମଲା ରୁଜୁ କରାଯାଇ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି ।
Samir Kumar Rout