ପୋଙ୍ଗଲ ଏବେ ବିଶ୍ୱସ୍ତରୀୟ ପର୍ବ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପୋଙ୍ଗଲ ଉତ୍ସବକୁ ସମ୍ବୋଧିତ କରିଛନ୍ତି । ତାମିଲ ଭାଷାରେ ଶୁଭେଚ୍ଛା ଜଣାଇ ମୋଦି କହିଥିଲେ ଯେ, "ପୋଙ୍ଗଲ ଆଜି ଏକ ବିଶ୍ୱସ୍ତରୀୟ ପର୍ବ ପାଲଟିଛି । ଏହି ପର୍ବକୁ ତାମିଲ ସମ୍ପ୍ରଦାୟ ଓ ବିଶ୍ୱବ୍ୟାପୀ ତାମିଲ ସଂସ୍କୃତିକୁ ଆଦର କରୁଥିବା ଲୋକମାନେ ଉତ୍ସାହର ସହିତ ପାଳନ କରନ୍ତି ଏବଂ ସେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଏହି ବିଶେଷ ପର୍ବକୁ ସମସ୍ତଙ୍କ ସହିତ ଏକାଠି ପାଳନ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାମିଲ ଜୀବନରେ ପୋଙ୍ଗଲ ଏକ ସୁଖଦ ଅଭିଜ୍ଞତା ଭଳି, ଯାହା କୃଷକ, ପୃଥିବୀ ଓ ସୂର୍ଯ୍ୟଙ୍କ ପରିଶ୍ରମ ପ୍ରତି କୃତଜ୍ଞତାକୁ ମୂର୍ତ୍ତିମନ୍ତ କରିଥାଏ । ଏହା ପ୍ରକୃତି, ପରିବାର ଓ ସମାଜରେ ସନ୍ତୁଳନ ରକ୍ଷା ପାଇଁ ଆମକୁ ମାର୍ଗଦର୍ଶନ କରିଥାଏ । ଏହି ସମୟରେ ଦେଶର ବିଭିନ୍ନ ଅଂଶ ମଧ୍ୟ ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବୁଡ଼ି ରହିଛି ବୋଲି ମୋଦି ଉଲ୍ଲେଖ କରିଥିଲେ । ସେ ପୋଙ୍ଗଲ ଉପଲକ୍ଷେ ଭାରତ ଓ ବିଶ୍ୱବ୍ୟାପୀ ସମସ୍ତ ତାମିଲ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ଓ ସମସ୍ତ ପର୍ବପର୍ବାଣୀ ପାଇଁ ଶୁଭକାମନା ଦେଇଥିଲେ ।
ଗତ ବର୍ଷ ତାଙ୍କୁ ତାମିଲ ସଂସ୍କୃତି ସହିତ ଜଡିତ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ମୋଦି କହିଥିଲେ । ସେ ତାମିଲନାଡୁର ହଜାର ବର୍ଷ ପୁରୁଣା ଗଙ୍ଗାଇକୋଣ୍ଡା ଚୋଳପୁରମ ମନ୍ଦିରରେ ପ୍ରାର୍ଥନା କରିଥିଲେ । ବାରାଣସୀରେ କାଶୀ ତାମିଲ ସଙ୍ଗମମ୍ ସମୟରେ ସେ ନିରନ୍ତର ସାଂସ୍କୃତିକ ଏକତାର ଶକ୍ତିକୁ ଅନୁଭବ କରୁଥିଲେ ଏବଂ ତାହା ସହିତ ଯୋଡ଼ି ହୋଇ ରହିଥିଲେ । ଯେତେବେଳେ ସେ ପମ୍ବନ ସେତୁର ଉଦଘାଟନ ପାଇଁ ରାମେଶ୍ୱରମ ଗସ୍ତ କରିଥିଲେ, ସେତେବେଳେ ସେ ପୁଣି ଥରେ ତାମିଲ ଇତିହାସର ମହାନତା ଦେଖିଥିଲେ । ତାମିଲ ସଂସ୍କୃତି ସମଗ୍ର ଦେଶ ଏବଂ ପ୍ରକୃତରେ ସମଗ୍ର ମାନବତାର ଏକ ସହଭାଗୀ ଐତିହ୍ୟ ।
ବିଶ୍ୱର ପ୍ରାୟ ସମସ୍ତ ସଭ୍ୟତା ଫସଲ ସହିତ ଜଡିତ କିଛି ପର୍ବ ପାଳନ କରିଥାନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ତାମିଲ ସଂସ୍କୃତିରେ ଚାଷୀଙ୍କୁ ଜୀବନର ଆଧାର ଭାବରେ ବିବେଚନା କରାଯାଏ । ପୋଙ୍ଗଲ ପର୍ବ ଆମର ପ୍ରକୃତି ପ୍ରତି କୃତଜ୍ଞତାକୁ କେବଳ ଶବ୍ଦ ମଧ୍ୟରେ ସୀମିତ ନ ରଖି ଆମ ଜୀବନଶୈଳୀର ଏକ ଅଂଶ ହେବା ପାଇଁ ପ୍ରେରଣା ଦିଏ । ଯେତେବେଳେ ପୃଥିବୀ ଆମକୁ ଏତେ କିଛି ଦିଏ, ଏହାକୁ ସଂରକ୍ଷଣ କରିବା ଆମର ଦାୟିତ୍ୱ ବୋଲି ମୋଦି ଗୁରୁତ୍ୱାରୋପ କରିଥିଲେ । "ତାମିଲ ସଂସ୍କୃତି ବିଶ୍ୱର ସବୁଠାରୁ ପ୍ରାଚୀନ ଜୀବନ୍ତ ସଭ୍ୟତା ମଧ୍ୟରୁ ଗୋଟିଏ’ ବୋଲି ମୋଦି ଉଲ୍ଲେଖ କରିଥିଲେ ।
Samir Kumar Rout