ପ୍ରଦୂଷଣ ଓ ଶିଶୁସ୍ୱାସ୍ଥ୍ୟ
ଡ.ଜ୍ୟୋତିରଞ୍ଜନ ଚମ୍ପତ୍ତିରାୟ : ତିନି ମାସରୁ କମ ବୟସର ଶିଶୁଙ୍କୁ ‘ବ୍ଲୁ ବେବି ସିଣ୍ଡ୍ରୋମ’ ବା ମେଥେମୋଗ୍ଲୋବିନେମିଆ ହେବାର ଆଶଙ୍କା ସବୁଠୁ ଅଧିକ । ମାତ୍ର ବେଳେ ବେଳେ କେତେକ କାରଣରୁ ଏହାଠୁ ଅଧିକ ବୟସର ଶିଶୁ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସମଗ୍ର ବିଶ୍ୱରେ ଦିନକୁ ଦିନ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ ଅନେକ ନୂଆ ନୂଆ ରୋଗ ଦେଖିବାକୁ ମିଳୁଛି । ପ୍ରଦୂଷଣ କେବଳ ବଡ଼ ମାନଙ୍କର ଫୁସ୍ଫୁସ୍, ହାର୍ଟ, କିଡ଼ନୀ ଆଦିକୁ ରୋଗାକ୍ରାନ୍ତ କରେନାହିଁ, ପିଲାମାନଙ୍କ ଉପରେ ମଧ୍ୟ ଏହାର କୁପ୍ରଭାବ ଦେଖିବାକୁ ମିଳେ । ପ୍ରଦୂଷିତ ପାଣି କାରଣରୁ ପିଲାଏ ବ୍ଲୁ ବେବି ସିଣ୍ଡ୍ରୋମ ରୋଗର ଶିକାର ହୋଇଥାନ୍ତି । ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କ ଶରୀର ନୀଳ ପଡ଼ିଯାଏ, ଫଳରେ ସେମାନଙ୍କ ଶରୀରରେ ଅମ୍ଳଜାନର ମାତ୍ରା କମ ହୋଇଯାଏ ଓ ନାଇଟ୍ରେଟ ଭଳି ହାନିକାରକ ଅଣୁର ମାତ୍ରା ବୃଦ୍ଧି ପାଏ । ରକ୍ତରେ ଅମ୍ଳଜାନ କମ ହେବାରୁ ତ୍ୱଚାର ରଙ୍ଗ ନୀଳ ହୋଇଯାଏ । ଏହା ବ୍ୟତୀତ ବ୍ଲୁ ବେବି ସିଣ୍ଡ୍ରୋମର ଆହୁରି ଅନ୍ୟାନ୍ୟ କାରଣ ରହିଛି ।
ମାତ୍ର ନାଇଟ୍ରେଟ ଦ୍ୱାରା ଦୂଷିତ ପାଣି ପିଇବା ଏହାର ମୁଖ୍ୟ କାରଣ । ପିଲାଙ୍କ ରକ୍ତରେ ହିମୋଗ୍ଲୋବିନର ମାତ୍ରା କମ ହୋଇଗଲେ ବ୍ଲୁ ବେବି ସିଣ୍ଡ୍ରୋମ ସ୍ଥିତି ଉପୁଜେ । ପିଲାଟି ଯଦି ନାଇଟ୍ରେଟଯୁକ୍ତ ପାଣି ପିଇଦିଏ, ତାହେଲେ ଶରୀର ନାଇଟ୍ରେଟକୁ ନାଇଟ୍ରାଇଟ୍ରେ ପରିବର୍ତ୍ତିତ କରିଦିଏ । ଏହି ନାଇଟ୍ରାଇଟ ଶରୀରରୋ ହିମୋଗ୍ଲୋବିନରୁ ସୃଷ୍ଟି ହୁଏ, ଯେଉଁଥିରୁ ମେଥେମୋଗ୍ଲୋବିନ ତିଆରି ହୁଏ ଯାହା ଅକ୍ସିଜେନ ନେବାରେ ଅସମର୍ଥ ହୁଏ । ଟିଓଏଫ୍ (ଟେଟ୍ରାଲୋଜି ଅଫ୍ ଫ୍ୟାଲୋଟ) ଏକ ଗମ୍ଭୀର ଜନ୍ମଜାତ ହୃଦୟ ସ୍ଥିତି, ଯାହା ହୃଦୟରେ ଚାରି ପ୍ରକାର ସଂରଚନାତ୍ମକ ଅସାମାନ୍ୟତା ସୃଷ୍ଟି କରେ । ଏହି କାରଣରୁ ରକ୍ତରେ ଅମ୍ଳଜାନ କମ ହୋଇଯାଏ । ଯେମିତିକି ପଲମୋନରି ଆର୍ଟରୀ ପତଳା ହେବା, ଭେଣ୍ଟ୍ରିକୁଲର ସେପ୍ଟଲ ଡିଫେକ୍ଟ, ଏରୋଟା ଉପରକୁ ଆସିଯିବା ଓ ଦକ୍ଷିଣ ଭେଣ୍ଟ୍ରିକଲ ବଡ଼ ହୋଇଯିବା ଇତ୍ୟାଦି । ଏହି ସ୍ଥିତି ଶିଶୁଙ୍କ ଶରୀରକୁ ନୀଳ କରିଦିଏ । ଯେକୌଣସି ଜନ୍ମଜାତ ହୃଦୟ ଅସାମାନ୍ୟତା, ଯାହା ପିଲାଙ୍କ ରକ୍ତରେ ଅମ୍ଳଜାନର ମାତ୍ରାକୁ ପ୍ରଭାବିତ କରିଥାଏ । ସେହି କାରଣରୁ ତ୍ୱଚା ନୀଳ ହୋଇପାରେ । ଅସଲ କଥା ହେଉଛି ହୃଦୟ, ଫୁସ୍ଫୁସ୍ ଏବଂ ରକ୍ତରେ କୌଣସି ସମସ୍ୟା ଦେଖାଦେବା ମାତ୍ରେ ଅମ୍ଳଜାନର ମାତ୍ରା କମିଯାଏ ଓ ଏହା ହିଁ ତ୍ୱଚାର ରଙ୍ଗ ନୀଳ ହେବା ପଛର କାରଣ ପାଲଟିଯାଏ । ଇନ୍ହେଲଡ ନାଇଟ୍ରିକ ଅକ୍ସାଇଡ, ଆଣ୍ଟିବାୟୋଟିକ୍ ଔଷଧର ବ୍ୟବହାର, ଅଲ୍ସର, କିଡ଼୍ନୀ ଫେଲ୍ୟୁଅର ଏବଂ ଅନ୍ୟ ହୃଦୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ବ୍ଲୁ ବେବି ସିଣ୍ଡ୍ରୋମର କାରଣ ହୋଇଥାଏ ।
ଯେତେବେଳେ ଶିଶୁଟିଏ ବ୍ଲୁ ବେବି ସିଣ୍ଡ୍ରୋମର ଶିକାର ହୁଏ, ତାର ତ୍ୱଚା ସାୟନୋସିସ୍ କିମ୍ବା ନୀଳରଙ୍ଗର ପିଗ୍ମେଣ୍ଟେସନ୍ର ଅବସ୍ଥାରେ ପ୍ରବେଶ କରେ । ଏହା ସେତେବେଳେ ହୁଏ, ଯେତେବେଳେ ଶ୍ଲେଷ୍ମ ଝିଲ୍ଲୀରେ ଅମ୍ଳଜାନ କମ ହୋଇଯାଏ । ଏହାର ଆଉ କିଛି ଲକ୍ଷଣ ମଧ୍ୟ ରହିଛି । ଯେମିତିକି ଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ସାୟନୋସିସ୍, ମୁଣ୍ଡବ୍ୟଥା, ଥକ୍କା ଅନୁଭବ, ମୁଣ୍ଡ ବୁଲାଇବା, ଅଚେତ ହେବା, ଚିଡ଼ଚିଡ଼ାପଣ, ଆଙ୍ଗୁଠିର ଆକାର ଅଜବ ଭାବେ ଗୋଲ ହେବା ଓ ଓଜନ ନବଢ଼ିବା ଇତ୍ୟାଦି । ନିୟମିତ ଯାଞ୍ଚ କରିବା ପରେ ଡାକ୍ତର ବ୍ଲୁବେବି ସିଣ୍ଡ୍ରୋମର ଚିକିତ୍ସା କରିଥାନ୍ତି । ତେବେ ପିଲାଙ୍କ ତ୍ୱଚା ଯଦି ନୀଳ ପଡ଼ିଯାଉଥିବା ଆପଣ ଦେଖିଲେ, ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ । ଡାକ୍ତର ପାରିବାରିକ ଇତିହାସଠୁ ଆରମ୍ଭ କରି ଘରେ କାହାରି ଠାରେ ଅନ୍ୟ କିଛି ଲକ୍ଷଣ ଅଛି କି ନାହିଁ, ଖାଇବା ପିଇବା ଅଭ୍ୟାସ ଆଦି ସମ୍ପର୍କରେ ପଚାରି ବୁଝିବା ପରେ ଚିକିତ୍ସା ଆରମ୍ଭ କରିଥାନ୍ତି । ଶିଶୁର ଶରୀର ଫିକା ରଙ୍ଗ ଦେଖି ଓ ହୃଦୟର ସ୍ପନ୍ଦନ ଶୁଣି ମଧ୍ୟ ରକ୍ତ ପରୀକ୍ଷା, ଫୁସ୍ଫୁସ୍ ଓ ହୃଦୟର ଆକାର, ଇସିଜି, ହୃଦୟର ଧମନୀର ଯାଞ୍ଚ ପାଇଁ କାଡର଼୍ଆକ୍ କ୍ୟାଥେଟେରାଇଜେସନ ଆଦି ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥାନ୍ତି ।
ସାଧାରଣତଃ ଗ୍ରାମାଞ୍ଚଳ କିମ୍ବା ଅପରିଷ୍କାର ଅଞ୍ଚଳର ଶିଶୁ ବ୍ଲୁବେବି ସିଣ୍ଡ୍ରୋମର ଶିକାର ହୋଇଥାନ୍ତି । ଏ କ୍ଷେତ୍ରରେ ଆପଣ ଚାହିଁଲେ କିଛି ସତର୍କତା ଅବଲମ୍ବନ କରି ପିଲାଙ୍କୁ ଏଥିରୁ ସୁରକ୍ଷିତ ରଖିପାରିବେ । ଶିଶୁଙ୍କୁ କୂଅପାଣି ପିଇବାକୁ ଦିଅନ୍ତୁ ନାହିଁ । ମନେରଖନ୍ତୁ ପାଣିକୁ ଫୁଟାଇଲେ ମଧ୍ୟ ନାଇଟ୍ରେଟ୍ ଯାଏ ନାହିଁ । ଏକ ଲିଟର ପାଣିରେ ନାଇଟ୍ରେଟ୍ର ସ୍ତର ୧୦ମିଲିଗ୍ରାମରୁ ଅଧିକ ହେବା ଉଚିତ ନୁହେଁ । ଆପଣ ରହୁଥିବା ଅଞ୍ଚଳର ପାଣି କିଭଳି ସେ ସମ୍ବନ୍ଧରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ଆପଣଙ୍କୁ ଅଧିକ ତଥ୍ୟ ଦେଇପାରିବେ । ତେଣୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନିଅନ୍ତୁ । ବ୍ରୋକୋଲି, ପାଳଙ୍ଗ, ବିଟ ଓ ଗାଜର ଭଳି ନାଇଟ୍ରେଟରେ ଭରପୂର ପଦାର୍ଥ ପିଲାଙ୍କ ଖାଦ୍ୟରେ ସାମିଲ କରନ୍ତୁ ନାହିଁ । ପିଲାଟି ସାତ ମାସର ହେବା ଯାଏଁ ତାକୁ ସୀମିତ ପରିମାଣର କ୍ଷୀର ପିଇବାକୁ ଦିଅନ୍ତୁ । ଗର୍ଭାବସ୍ଥାରେ ଅବୈଧ ଡ୍ରଗ୍ସ ନିଅନ୍ତୁ ନାହିଁ । ଧୂମପାନ କିମ୍ବା ମଦ୍ୟପାନ କରନ୍ତୁ ନାହିଁ । ଯଦି ଆପଣ ମଧୁମେହ ସମସ୍ୟା ଭୋଗୁଛନ୍ତି ତାହେଲେ ଗର୍ଭାବସ୍ଥାରେ ପୂରା ସମୟତକ ମଧୁମେହ ନିୟନ୍ତ୍ରଣରେ ରଖନ୍ତୁ । ଏ ନେଇ ଅଭିଭାବକମାନେ ସେପରି ଭୟଭୀତ ହେବା ଅନାବଶ୍ୟକ ବରଂ ପ୍ରାଥମିକ ସମୟରୁ ଏ ନେଇ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ଏହା ପିଲାଙ୍କ ପାଇଁ ବିପଦର କାରଣ ହେବନାହିଁ ।
ମୋ: ୯୪୩୭୧୨୪୦୭୪