ପ୍ରଧାନମନ୍ତ୍ରୀଙ୍କ ୧୨୨ତମ "ମନ କୀ ବାତ୍' : ଶିଳ୍ପମନ୍ତ୍ରୀଙ୍କ ସମେତ କାର୍ଯ୍ୟକର୍ତ୍ତା ଶୁଣିଲେ
ପାରାଦ୍ୱୀପ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨୨ତମ "ମନ କୀ ବାତ' କାର୍ଯ୍ୟକ୍ରମ ରବିବାର ଦିନ ୧୧ଟା ସମୟରେ ସାରା ଦେଶରେ ପ୍ରସାରିତ ହୋଇଥିଲା କ୍ଷ ଏହି ପରିପ୍ରେକ୍ଷୀରେ ପାରାଦୀପରେ ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିଜ ରଙ୍ଗିଗଡ଼ ସ୍ଥିତ ବାସଭବନରେ ସାଧାରଣ ଜନତାଙ୍କ ସହ ମନ କୀ ବାତ କାର୍ଯ୍ୟକ୍ରମ ଶୁଣିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ଆଜି ସମଗ୍ର ଦେଶ ଆତଙ୍କବାଦୀ ବିରୁଦ୍ଧରେ ଏକଜୁଟ । "ଅପରେସନ ସିନ୍ଦୂର' ସମୟରେ ଆମର ଯବାନମାନେ ଯେଉଁ ବୀରତ୍ୱ ଏବଂ ପରାକ୍ରମ ଦେଖାଇଛନ୍ତି, ତାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି । "ଅପରେସନ ସିନ୍ଦୂର' ସମଗ୍ର ବିଶ୍ୱରେ ଆତଙ୍କବାଦୀ ବିରୁଦ୍ଧରେ ହେଉଥିବା ସଂଗ୍ରାମକୁ ନୂତନ ବିଶ୍ୱାସ ଦେଇଛି । ଏହା ହେଉଛି ଆମ ସଂକଳ୍ପ, ସାହସ ଓ ପରିବର୍ତ୍ତିତ ହେଉଥିବା ଭାରତର ଛବି ଏବଂ ଏହି ଛବି ଦେଶବାସୀଙ୍କୁ ଦେଶଭକ୍ତିର ଭାବନାରେ ଭରି ଦେବା ସହ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟତ କରିଛି । ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ର, ଉପକରଣ ଏବଂ ଜ୍ଞାନକୌଶଳର ଶକ୍ତିକୁ ଉପଯୋଗ କରି ଆମର ସେନା ଆତଙ୍କବାଦୀ ଆଡ୍ଡାଗୁଡିକୁ ସାହସର ସହ ଧ୍ୱଂସ କରିଛନ୍ତି । ଏହା "ଆତ୍ମନିର୍ଭର ଭାରତ'ର ସଂକଳ୍ପକୁ ପ୍ରତିପାଦିତ କରିବା ସହ "ଭୋକାଲ୍ ଫର୍ ଲୋକାଲ୍'କୁ ପ୍ରୋସôାହନ ଯୋଗାଇଛି । ଭାରତ ନିର୍ମିତ ସାମଗ୍ରୀକୁ ବ୍ୟବହାର କରିବା ପାଇଁ ସେ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଯାହା ଭାରତୀୟ ଅର୍ଥନୀତିକୁ ଆଗକୁ ନେବାରେ ସହାୟକ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏଥିସହ ବଣ୍ୟ ପ୍ରାଣୀ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିବା ସହିତ ଡ୍ରୋନ୍ ଦିଦିଙ୍କ କଥା, ଯୋଗର ଉପାଦେୟତା ଏବଂ ଯୋଗ ଦିବସ ପାଳନର ମହତ୍ୱ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ରେ ଉପସ୍ଥାପନା କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱଚ୍ଚ ଭାରତ କଥା ପ୍ରକାଶ କରିବା ସହ ମକାଲୁ ପର୍ବତର ଶୀର୍ଷ ସ୍ଥାନକୁ ଆଇଟିବିପି ଟିମ୍ଙ୍କ ସଫେଇ କରିବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ତତସହିତ ପେପର ୱେଷ୍ଟର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ । ନିକଟରେ ବିହାରରେ ଅନୁଷ୍ଠିତ ହୋଇଥିବା ଖେଳ ଇଣ୍ଡିଆ ୟୁଥ ଗେମ୍ସ ଉପରେ କହିବା ସହ ଓଡ଼ିଶାର ହର୍ଷବର୍ଦ୍ଧନ ସାହୁଙ୍କ ସମେତ ସମସ୍ତ ରାଜ୍ୟର ଖେଳାଳି ଓ ପଦକ ବିଜେତା ମାନଙ୍କ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ଭୁୟସୀ ପ୍ରଶଂସା କରିଛନ୍ତି । ମେ' ୨୦ ତାରିଖରେ ପାଳିତ ହୋଇଥିବା ବିଶ୍ୱ ମହୁମାଛି ଦିବସ ଏବଂ ଭାରତର ମଧୁ ମିଶନ ସମ୍ପର୍କରେ ସେ ପ୍ରକାଶ କରିବା ସହ ମହୁ କିପରି ଦେଶରେ ସ୍ୱାସ୍ଥ୍ୟ, ଆତ୍ମନିଯୁକ୍ତି ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଉଛି, ତାହା ଉପସ୍ଥାପନ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମକୁ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଶୁଣୁଥିବା ଦେଖିବାକୁ ମିଳିଥିଲା ।