ପ୍ରହସନ ପାଲଟିଛି ଭତ୍ତା ଯୋଜନା
ନରସିଂହପୁରରୁ ସୁବାସ ପଣ୍ଡା : ପ୍ରହସନ ପାଲଟିଛି ସରକାରଙ୍କ ଭତ୍ତା ଯୋଜନା । ସମାଜର ସବୁଠାରୁ ଦୁର୍ବଳ ବର୍ଗଙ୍କ ପ୍ରତି ସରକାରଙ୍କ ଛଳନା ଏବେ ରାଜ୍ୟରେ ସୃଷ୍ଟି କରିଛି ତୀବ୍ର ଅସନ୍ତୋଷ । ନିର୍ବାଚନ ସମୟରେ ହଜାରେ ଟଙ୍କା ଭତ୍ତାକୁ ୩୦୦୦ ଟଙ୍କା କରାଯିବ ବୋଲି ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା । ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକାଧିକ ମନ୍ତ୍ରୀ ଖୁବ୍ଶୀଘ୍ର ବର୍ଦ୍ଧିତ ଭତ୍ତା ରାଶି ୩୫୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି କହିଲେ । ଇତିମଧ୍ୟରେ ସରକାରଙ୍କ କାର୍ଯ୍ୟକାଳର ୫ମାସ ବିତିଗଲାଣି ମାତ୍ର ବର୍ଦ୍ଧିତ ଭତ୍ତାକୁ ଚାହିଁ ଚାହିଁ ନରସିଂହପୁର ବ୍ଲକରେ ଅନେକ ହିତାଧିକାରୀ ଆଖି ବୁଝିଥିବାବେଳେ ଏବେ ବି ଭତ୍ତାକୁ ଅନେଇ ବସିଛନ୍ତି ୨୯୫ ହିତାଧିକାରୀ । ହେଲେ ସରକାର ନିଜ ପ୍ରତିଶ୍ରୁତି ପାଳନ କରି ପାରୁନାହାନ୍ତି ।
ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ସମସ୍ତଙ୍କୁ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଦଳର ନିର୍ବାଚନୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା । ଦଳର ଜାତୀୟ ଓ ରାଜ୍ୟ ନେତା ବିଭିନ୍ନ ସମାବେଶରେ ଏହା ଘୋଷଣା କରିଥିଲେ । ମାତ୍ର କ୍ଷମତାକୁ ଆସିଲା ପରେ ଏହି ସଂକଳ୍ପ ଓ ପ୍ରତିଶ୍ରୁତିକୁ ବାଏଁ ବାଏଁ ଉଡ଼େଇ ଦେଲେ । ସମସ୍ତଙ୍କ ପରିବର୍ତ୍ତେ କେବଳ ୮୦ବର୍ଷ ବୟସରୁ ଊର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କୁ ସରକାର ୩୫୦୦ଟଙ୍କା ପ୍ରଦାନ କରିବେ ବୋଲି ଗତ ବର୍ଷ ଜୁଲାଇ ମାସରେ ସରକାର ଘୋଷଣା କଲେ । ଯେଉଁ ହିତାଧିକାରୀଙ୍କ ଭତ୍ତା ରାଶି ବୃଦ୍ଧି କରି ୩୫୦୦ ଟଙ୍କା କରିବେ ବୋଲି କହିଲେ ତାହା ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ପାରିଲାନାହିଁ । ନରସିଂହପୁର ବ୍ଲକରେ ଉପରୋକ୍ତ ଦୁଇବର୍ଗଙ୍କୁ ମିଶାଇ ଏଯାବତ୍ ୨୯୫ ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ରାଶି ମିଳିନଥିବାବେଳେ ଏବେ ବି ୧୨ଶହ ତିନି ଜଣ ବ୍ୟକ୍ତି ଭତ୍ତା ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି । ନରସିଂହପୁର ବ୍ଲକରେ ଇନ୍ଦିରାଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୯ହଜାର ୨୩୮ଜଣ, ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ୧୩ ହଜାର ୯୭୦ ଜଣ, ବିଧବା ଭତ୍ତା ଯୋଜନାରେ ୪ହଜାର ୫୦୩ ଜଣ, ଭିନ୍ନକ୍ଷମ ଯୋଜନାରେ ୧ହଜାର ୧୧୩ଜଣ, ଅବିବାହିତା ଯୋଜନାରେ ୪୦୮ଜଣ, ସ୍ୱାମୀ ପରିତକ୍ତା ଯୋଜନାରେ ୭୨ଜଣ ଓ ତୃତୀୟ ଲିଙ୍ଗ ଯୋଜନାରେ ୯ ଜଣ ଏହିପରି ବିଭିନ୍ନ ଯୋଜନାରେ ବ୍ଲକର ୨୩ ହଜାର ୨୦୮ଜଣ ବିଭିନ୍ନ ଭତ୍ତା ଯୋଜନାରେ ଭତ୍ତା ପାଉଥିବାବେଳେ ସେଥିମଧ୍ୟରୁ ୮୦ବର୍ଷରୁ ଅଧିକ ବର୍ଷର ୨୬୫ଜଣ ବ୍ୟକ୍ତି ୮୦ପ୍ରତିଶତରୁ ଅଧିକ ବର୍ଗର ୩୦ ଜଣ ଭିନ୍ନକ୍ଷମ ବ୍ୟକ୍ତି ଏବେବି ସରକାରଙ୍କ ଦ୍ୱାରା ବର୍ଦ୍ଧିତ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ବ୍ଲକରେ ୮୦ବର୍ଷରୁ ଅଧିକ ବାର୍ଦ୍ଧକ୍ୟ ବ୍ୟକ୍ତି ଓ ୮୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ରହିଛନ୍ତି । ପୂର୍ବରୁ ସେମାନଙ୍କୁ ୧୨୦୦ଟଙ୍କା ମିଳୁଥିଲା କିନ୍ତୁ ଜୁଲାଇ ମାସରେ ସେମାନଙ୍କୁ ୧୨ଶହ ବଦଳରେ ୩୫ ଶହ ଟଙ୍କା ମିଳିବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ସେମାନଙ୍କୁ ମିଳିନଥିଲା । ଜାନୁଆରୀ ମାସରୁ ଏହି ବର୍ଗର ସମସ୍ତଙ୍କୁ ୩୫୦୦ଟଙ୍କା ବର୍ଦ୍ଧିତ ଭତ୍ତା ମିଳିବ ବୋଲି ସରକାର ଘୋଷଣା କରିଥିଲେ । ସେଥିମଧ୍ୟରୁ ୧୮୮୯ ଜଣ ୮୦ବର୍ଷରୁ ଅଧିକ ଓ ୮୦ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ । ବାରମ୍ବାର ଅଭିଯୋଗ ପରେ ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୨୯୧ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୦୩ ଜଣ ୧୫୯୪ ଜଣଙ୍କୁ ବର୍ଦ୍ଧିତ ଭତ୍ତା ମିଳିଥିବାବେଳେ ଏବେବି ଉଭୟ ବର୍ଗର ୨୯୫ ଜଣ ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ନରସିଂହପୁର ବ୍ଲକ ଏକଡାଳ ଗ୍ରାମର ଗଙ୍ଗାଧର ଭଟ୍ଟ ୮୭ ବର୍ଷ, ବ୍ରହ୍ମପୁରା ଗ୍ରାମର ଛାଟିଆ ବେହେରା ୯୫ ବର୍ଷ ନିଜିଗଡ ଗ୍ରାମର ଉଦୟନାଥ ବାରିକ ୯୬ ବର୍ଷ, ରବି ନାରାୟଣ ପଣ୍ଡା, ଜନ୍ମରୁ ମୁକ ବଧିର ଥିବା ରବୀନ୍ଦ୍ର ପଣ୍ଡା, ଡମକଟା ଗ୍ରାମର ପୋଲିଓ ଆକ୍ରାନ୍ତ ନୀଳମଣି ପ୍ରଧାନଙ୍କର ୧୦୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ବର୍ଦ୍ଧିତ ଭତ୍ତା ମିଳୁନଥିବା ଅଭିଯୋଗ ହେଉଛି । ଚାଲି ବୁଲିବା ପାଇଁ ଅକ୍ଷମ ଥିଲେ ମଧ୍ୟ ବାଧ୍ୟ ହୋଇ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମିଳୁନି ବର୍ଦ୍ଧିତ ଭତ୍ତା । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ବିଳମ୍ବରେ ପାଇଥିବା ୧୦୯ଜଣ ହିତାଧିକାରୀଙ୍କର ଫେବୃଆରୀ ଓ ମାର୍ଚ୍ଚ ଦୁଇ ମାସର ବର୍ଦ୍ଧିତ ଭତ୍ତା ମଧ୍ୟ ମିଳିନାହିଁ । ନରସିଂହପୁର ହରିଚନ୍ଦନପୁର ଶାସନ ଗ୍ରାମର ଭିନ୍ନକ୍ଷମ ଶିଶୁ ପିନାକ ମିଶ୍ରଙ୍କୁ ଫେବୃଆରୀ ମାସ ବଦଳରେ ଏପ୍ରିଲ ମାସରେ ମିଳିଥିଲା ବର୍ଦ୍ଧିତ ଭତ୍ତା କିନ୍ତୁ ପୂର୍ବ ଦୁଇ ମାସର ବର୍ଦ୍ଧିତ ଭତ୍ତା ମିଳି ନଥିଲା । ସେହିପରି ବ୍ଲକର ଆହୁରି ୧୦୯ ଜଣ ମଧ୍ୟ ଏହି ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ନିର୍ଦ୍ଧିଷ୍ଟ ସମୟରେ ଭତ୍ତା ପ୍ରଦାନ କରାଯାଉନଥିବାରୁ ଲୋକମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏନେଇ ବିଡ଼ିଓ ପ୍ରଳୟାନନ୍ଦ ଶତପଥୀଙ୍କୁ ପଚାରିବାରୁ ଆସନ୍ତା ଜୁନ ମାସରୁ ସମସ୍ତଙ୍କୁ ଭତ୍ତା ମିଳିବ ବୋଲି ବୋଲି କହିଛନ୍ତି ।