ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ସଚେତନତା
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ କାଦୋମେରୀ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ସିଡିଏମ୍ଓ ଡଃ ଧନେଶ୍ୱର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ବିଡ଼ିଓ ରୋହିତ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ସ୍ଥାନୀୟ ସରପଞ୍ଚ ମମତା ପୁଞ୍ଜି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସଭାରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ନୂଆପଡା ଜିଲ୍ଲା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷିତ ହୋଇଥିବାରୁ କାଦୋମେରୀ ପଞ୍ଚାୟତରେ ମିଶନ ଶକ୍ତି ବିଭାଗ ପକ୍ଷରୁ ତିନିଶହ ବ୍ୟକ୍ତିଙ୍କ ଭୋଜନ ପାଇଁ ଷ୍ଟିଲର ବାସନ ବର୍ତ୍ତନର ବର୍ତ୍ତନ ବ୍ୟାଙ୍କକୁ ଜିଲ୍ଲାପାଳ ଓ ଅତିଥିମାନେ ଶୁଭ ଉଦ୍ଘାଟନ କରିଥିଲେ । ସଭାରେ ପ୍ରବାସୀ ଶ୍ରମିକରୁ ଫେରିଥିବା ରୋହିତ ସାହୁ ଯିଏ, ଜଣେ ସଫଳ ଚାଷୀ ହୋଇଛନ୍ତି ଏବଂ ଅନ୍ୟ ଶ୍ରମିକ ଯେଉଁମାନେ ଫେରି ଆଉ ଥରେ ଏ କାମକୁ ଯାଇ ନାହାନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ବିନ୍ନୀ ସୁନାକୁ କୋଳରେ ଧରି ତାହାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲାପାଳ ଏବଂ ସମସ୍ତ ଅତିଥି ଧାନ ମଣ୍ଡି ପରିସରରେ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ନୂଆପଡା ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ନୂଆପଡା ସିଡିପିଓ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ ।