ମଧ୍ୟାହ୍ନଭୋଜନର ମାନ ପରଖିଲେ ଜିଲ୍ଲାପାଳ 

ମାଲକାନଗିରି : ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଯୁଗ୍ମ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ନିଜେ ପଦ୍ମଗିରି  ଏସଏସଡି ଉଚ୍ଚ ବିଦ୍ୟାଳୟ  ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି । ଏହି ଅବସରରେ ପାଠପଢା କେମିତି ଚାଲିଛି ପଚାରି ବୁଝିଥିଲେ ଜିଲ୍ଲାପାଳ ।  ସେହିପରି ଉକ୍ତ ସ୍କୁଲର ଭିତ୍ତିଭୂମି ପରିଦର୍ଶନ କରିବା ସହ ଉନ୍ନୟନ କାମ ବୁଲି ଦେଖିଥିଲେ ଜିଲ୍ଲାପାଳ । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ପରଷିବା ପାଇଁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ଏବେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀମାନେ ମଧ୍ୟାହ୍ନ ଭୋଜନର ଗୁଣବତ୍ତା, ମାନ ଓ ସ୍ୱାଦ ଚାଖିବେ । ମୁଖ୍ୟତଃ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପରେ ନିକଟସ୍ଥ ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ସ୍ୱାଦ ଚାଖିବେ ଅଧିକାରୀମାନେ । ଆରକ୍ଷୀ ଅଧିକ୍ଷକ ଖରାପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉପଜିଲ୍ଲାପାଳ ତଳସାହି  ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଖିଥିଲେ । ପଞ୍ଚାୟତର ନିକଟସ୍ଥ ଅନ୍ୟାନ୍ୟ ବିଦ୍ୟାଳୟ ଯଥା ସିନ୍ଧରୀମାଲ, ବାଂଟିଗୁଡା, ଜଦୁଗୁଡା, ବିଲାପାରି ଇତ୍ୟାଦି ବିଦ୍ୟାଳୟରେ ଅଧିକାରୀମାନେ ମଧ୍ୟାହ୍ନ ଭୋଜନର ସ୍ୱାଦ ଚାଖିଥିଲେ । ଆସନ୍ତା ଦିନ ଗୁଡିକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନର ସ୍ୱାଦ ଓ ମାନ ସୁନିଶ୍ଚିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣଗ୍ରାହୀ ସୂଚନା ଦେଇଛନ୍ତି ।