ପ୍ରଭାତୀଙ୍କ ଅଶ୍ଳୀଳ ପୋଷ୍ଟ: ପୂର୍ବତନ କଂଗ୍ରେସ ସରପଞ୍ଚ ଗିରଫ  

 ପୁରୀ: ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧୀଙ୍କ ହୀନ ଅପରାଧ ଓ ଔଦ୍ଧତ୍ୟ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଏଡିଟେଡ୍ ଫଟୋ ସହ ଅଶ୍ଳୀଳ ଭାଷାର ଶିରୋନାମା ବା କ୍ୟାପସନ୍ ଦେଇ ଆପତ୍ତିଜନକ ପୋଷ୍ଟ କରିଥିବା ଓ ଅନେକ ବାର ତାହାକୁ ଶେୟାର କରିଥିବା ଜଣେ ସାଇବର ଅପରାଧୀକୁ ଗିରଫ କରିଛି ପୁରୀ ପୁଲିସ । ଏ ସଂକ୍ରାନ୍ତରେ ସାଇବର ପୁଲିସ ଥାନାରେ ମାର୍ଚ୍ଚ ୭ ତାରିଖ ଦିନ ବିଏନ୍ଏସ୍ର ୨୯୪, ୩୩୬(୫), (୩), (୪), ୩୪୦(୨) (୫୬(୨), ୩(୫) ଏବଂ ସୂଚନା ପ୍ରଯୁକ୍ତି ଆଇନର ୬୭/୬୭(କ) ଦଫାରେ ମାମଲା ରୁଜୁ କରାଯାଇଛି  । ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ୱର ଜିଲ୍ଳା ଔପଦା ଡ଼ିମିରିଚୁଆର ସ୍ୱର୍ଗତ ଅଗଣି ଚରଣ ନାୟକଙ୍କ ପୁଅ ମନୋଜ କୁମାର ନାୟକ ବୋଲି ଜଣାପଡ଼ିଛି । ପୁଲିସ ସୂଚନା ଅନୁଯାୟୀ ଏ ସଂକ୍ରାନ୍ତରେ ସାଇବର ଥାନାରେ ଏକ ମାମଲା ରୁଜୁ କରାଯାଇ ତନାଘନା ତଦନ୍ତ ଆରମ୍ଭ ହୋଇଥିଲା । ପୁରୀ ଏସ୍ପି ଅପରାଧୀକୁ ଠାବ ଏବଂ ମାମଲାର ତଦନ୍ତ ପାଇଁ ପୁରୀ ସାଇବର ଥାନାର ଆଇଆଇସି ସଂଘମିତ୍ରା ନାୟକଙ୍କ ନେତୃତ୍ୱରେ ଆରକ୍ଷୀ ଅଧୀକ୍ଷକ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ତଦନ୍ତକାରୀ ଟିମ୍ ଅନୁସନ୍ଧାନ ପାଇଁ ପ୍ରଥମେ ବାଲେଶ୍ୱର ଯାଇଥିଲା । ଅପରାଧୀ ମନୋଜ ନାୟକ ଫେରାର ହୋଇଯାଇଥିଲା । ପୁଲିସ ବହୁ ଆୟାସ କରି ସାଇବର ସେଲ୍ ସହାୟତାରେ ମନୋଜକୁ ଝାଡ଼ଖଣ୍ଡରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ମନୋଜ ଠାରୁ ପୁଲିସ ଉକ୍ତ ଆପତ୍ତିଜନକ ପୋଷ୍ଟ କରିବାରେ ବ୍ୟବହୃତ ଅଭିଯୁକ୍ତର ମୋବାଇଲ ଫୋନ୍ ଜବତ କରିଥିଲା । ମନୋଜକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯିବା ପରେ ଜାମିନ ଆବେଦନ ଅଗ୍ରାହ୍ୟ ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ମନୋଜ କଂଗ୍ରେସ ଦଳର ଜଣେ ସମର୍ଥକ ଓ ୧୦ ବର୍ଷ ତଳେ ସେ ଜଣେ ସରପଞ୍ଚ ଥିଲା । ମାମଲା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ସୂତ୍ରରୁ କୁହାଯାଇଛି  ।