ପ୍ରହସନ ପାଲଟିଛି ପରିମଳ ଓ ସ୍ୱଚ୍ଛତା ସେବା
ଜୟପୁର : ଜୟପୁର ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ସ୍ଥାନୀୟ କେନ୍ଦ୍ରୀୟ ସ୍କୁଲ ପାର୍ଶ୍ୱରେ ଥିବା ପାର୍କ ପାଖରେ ଅଳିଆ ଆବର୍ଜନା ଗଦା ହୋଇଛି । ସେଠାରେ ଯାହା ଦେଖିଲେ ଲାଗୁଛି ପୌରପାଳିକା ମିନୀ ଡମ୍ପିଂୟାର୍ଡ କରିଛି । ଯଦ୍ୱାରା ସାମାନ୍ୟ ବର୍ଷା ହେଲେ ସେଥିରୁ ଦୁର୍ଗନ୍ଧ ବାହାରୁଛି ଫଳରେ ପାର୍ଶ୍ୱରେ ଥିବା କେନ୍ଦ୍ରୀୟ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ସମାଧାନ ପାଇଁ ପଦକ୍ଷେପ ନିଆଯାଉ ନାହିଁ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଜୟପୁର ପୌର ପରିଷଦରେ ପରିମଳ କାର୍ଯ୍ୟ ପାଇଁ ଭୁବନେଶ୍ୱରର ଏକ ଠିକା ସଂସ୍ଥା ଏଲ୍ଏଣ୍ଡ୍କେ ପ୍ରାଇଭେଟ୍ ଲିମିଟେଡକୁ ଟେଣ୍ଡର ମାଧ୍ୟମରେ ଠିକା ଦିଆଯାଇଛି । ପରିମଳ ଓ ସ୍ୱଚ୍ଛତା ନିମନ୍ତେ ଠିକା ସଂସ୍ଥା ମାସିକ ୭୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପାଉଣା ପାଉଛି । କିନ୍ତୁ ଚୁକ୍ତିନାମା ଅନୁସାରେ ଜୟପୁର ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ପାଇଁ ୩୬୧ ଜଣ ସ୍ୱଚ୍ଛ କର୍ମୀ ନିୟୋଜିତ ରହିବା ଅନିବାର୍ଯ୍ୟ । ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୌରାଞ୍ଚଳର ୨୮ ୱାର୍ଡକୁ ୪ ଜୋନ୍ରେ ବିଭକ୍ତ କରାଯାଇଛି । ଏଥିରେ ପୌରପାଳିକାକୁ ପରିମଳ ସେବା ପାଇଁ ସଂସ୍ଥା ଦ୍ୱାରା ୧୭୨ ଜଣ ଅଣକୁଶଳୀ ଶ୍ରମିକ, ୫୭ ଜଣ ଅର୍ଦ୍ଧକୁଶଳୀ ଶ୍ରମିକ, ୯୯ ଜଣ କୁଶଳୀ ଶ୍ରମିକ ଏବଂ ୩୩ଜଣ ଡ୍ରାଇଭରଙ୍କୁ ନିଯୁକ୍ତ କରାଯାଇଛି । କିନ୍ତୁ ଚୁକ୍ତି ଅନୁଯାୟୀ ଠିକା ସଂସ୍ଥାରେ ନିୟୋଜିତ ଥିବା ସଫେଇ କର୍ମଚାରୀମାନେ ସଠିକ ସମୟରେ କାର୍ଯ୍ୟ ନିର୍ବାହ କରୁ ନଥିବା ସାଧାରଣରେ ଚର୍ଚ୍ଚା ହୋଉଛି ।
ନିୟମ ଅନୁଯାୟୀ ୈନିକ ସକାଳ ୫ ଘଟିକା ଠାରୁ ପୂର୍ବାହ୍ନ ୯ ଘଟିକା ଏବଂ ରାତି ୮ ଟା ଠାରୁ ରାତି ୧୧ ଟା ସମୟ ମଧ୍ୟରେ ପ୍ରତ୍ୟେକ ୱାର୍ଡÿରେ ଝାଡୁ ମାରି ରାସ୍ତା ସଫା କରିବା,ଓଳିଆ ଆବର୍ଜନା ଗାଡ଼ି ସକାଳ ୬ ରୁ ପୂର୍ବାହ୍ନ ୧୧ ଏବଂ ଅପରାହ୍ନ ୪ ରୁ ସନ୍ଧ୍ୟା ୭ଟା ରେ ଘରକୁ ଘର ବୁଲି ଓଳିଆ ସଂଗ୍ରହ କରିବା ସହ ଡ୍ରେନ୍ ସଫା କରିବା ଏବଂ କାଦୁଅମୁକ୍ତ କରିବା, ବୁଦା ଉପାଡିବା ଭଳି ଅନେକ କାର୍ଯ୍ୟ କରିବା ସହ ସପ୍ତାହରେ ୭ ଦିନ କାର୍ଯ୍ୟ ଜାରି ରହିବା ନିୟମ ରହିଛି । ଭାରତୀୟ ଶ୍ରମ ଆଇନ ଅନୁଯାୟୀ ଜଣେ ଶ୍ରମିକ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାମ କରିବା ଉଚିତ୍ ନୁହେଁ । ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ନିଶ୍ଚିତ କରାଯିବା ଆବଶ୍ୟକ ଭଳି ଅନେକ ଚୁକ୍ତି ରହିଛି । ପୌରପାଳିକା ଏଜେନ୍ସିର କାର୍ଯ୍ୟ ଉପରେ ତୈମାସିକ ସମୀକ୍ଷା କରିବ । ଯଦି କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନ ମିଳେ, ତେବେ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଭାବରେ ନୋଟିସ ଜାରି କରାଯିବ । ଯଦି ସଂସ୍ଥା କାର୍ଯ୍ୟଦକ୍ଷତା କରିବାରେ ବିଫଳ ହୁଏ, ତେବେ ପୌରପାଳିକା ମାସିକ ଚୁକ୍ତିନାମା ମୂଲ୍ୟର ୦.୫ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଲାଗୁ କରିପାରିବ କିମ୍ବା ଚୁକ୍ତିନାମା ସମାପ୍ତ କରିପାରିବ । ବାରମ୍ବାର ବିଫଳତା ହେଲେ ଚୁକ୍ତି ସମାପ୍ତ ହୋଇପାରେ ବୋଲି ନିୟମ ରହିଛି । ଗତ କିଛି ମାସ ତଳେ ପୌରାଞ୍ଚଳରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାକୁ ନେଇ ବାରମ୍ୱାର ପୌର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପରିମଳ ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଟେଣ୍ଡର ଅନୁସାରେ କାଉନସିଲ ନିୟମ ଅନୁଯାୟୀ ଗତ ୧୧ମାର୍ଚ୍ଚ ୨୦୨୫ ତାରିଖରେ ଟେଣ୍ଡର ଅବଧି ସମାପ୍ତି ହୋଇଥିଲା । କିନ୍ତୁ ଟେଣ୍ଡର ସରିବା ପରେ ନୂତନ ଟେଣ୍ଡର ବାହାର କରିବା ସ୍ଥାନରେ ଉକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ନଚେତ ଚୁକ୍ତି ଖଣ୍ଡନ କରିବା ସହ ଜରିମାନା ଆଦାୟ କରିବା ପରିବର୍ତ୍ତେ ପୁଣି ଉକ୍ତ ସଂସ୍ଥାକୁ ୧୦ ମାସ ପାଇଁ ପରିମଳ ସେବାକୁ ବର୍ଦ୍ଧିତ କରାଯାଇଛି । ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ନା ଠିକା ସଂସ୍ଥା ସହିତ କେଉଁ ରାଜନେତା ଅଥବା ଅନ୍ୟ କେଉଁ ବ୍ୟକ୍ତି ବିଶେଷଙ୍କ ସହ ଭିତିରିଆ ବୁଝାମଣା ହୋଇଛି ଯାହା ଦ୍ୱାରା ଜୟପୁର ଜନ ସାଧାରଣ ସ୍ୱଚ୍ଛତାର ଉତ୍ତମ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ବହୁଦିନ ଧରି ରାଜ୍ୟ ସରକାର ଜୟପୁର ପୌରରେ ନିୟମିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୌର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନୀୟଜିତ କରିନଥିବାରୁ ଏହି ଭୋଳି ସମସ୍ୟା ନିୟମିତ ଉପୂଜୁଥିବା ସାଧାରଣରେ ପ୍ରତିତ ହୋଇଛି ।