ପ୍ରୀତିଙ୍କ ଘରେ ଚଢାଉ ମାମଲା : ଇସିଆଇଙ୍କ ନିକଟରେ ଅଭିଯୋଗ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ବିଜେଡିର ତାରକା ପ୍ରଚାରକ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇଙ୍କ ଘରେ ନିର୍ବାଚନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଓ ପୁଲିସର ବେଆଇନ ଚଢାଉ ମାମଲା ଏବେ ପହଞ୍ଚିଛି ଦିଲ୍ଲୀରେ । ଶ୍ରୀ ଘଡାଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟରେ ସଂପୃକ୍ତ ଅଧିକାରୀ ଓ ପୁଲିସ ବିରୋଧରେ ସଙ୍ଗୀନ ଅଭିଯୋଗ କରିବା ସହ ପୂରା ଘଟଣାର ନିରପେକ୍ଷ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି । ଏହା ନୂଆପଡାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଏକାନ୍ତ ଆବଶ୍ୟକ ବୋଲି ସେ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।
ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଶ୍ରୀ ଘଡାଇ ଅଭିଯୋଗ କରିଛନ୍ତି ଯେ, ଗତ ୩୧ ତାରିଖ ଅପରାହ୍ନ ୧.୨୨ ଟା ସମୟରେ ମୁଁ ନୂଆପଡାରେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା ସମୟରେ ନିର୍ବାଚନ ଦାୟିତ୍ୱରେ ଥିବା କିଛି ପ୍ରଶାସନିକ ଅଧିକାରୀ ଏବଂ ପୁଲିସ କର୍ମଚାରୀ ମୁଁ ଖରିଆର ରୋଡ୍ରେ ଭଡାରେ ରହୁଥିବା ଘରେ ବିନା ସର୍ଚ୍ଚ ୱାରେଣ୍ଟରେ ବଳପୂର୍ବକ ଧସେଇ ପଶିଥିଲେ । ସେଠାରେ ଉପସ୍ଥିତ ମୋ ସହାୟକ, ମୁଁ କିଛି ସମୟ ଭିତରେ ପହଞ୍ଚୁଛି ଏବଂ ସେ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ବୋଲି ସେମାନଙ୍କୁ ନିବେଦନ କରିଥିଲେ । ହେଲେ ସେମାନେ ମୋ ସହାୟକଙ୍କୁ ଧକ୍କା ମାରି ଘରେ ପଶି ମୋର ମୂଲ୍ୟବାନ ସାମଗ୍ରୀ ତଥା ନିର୍ବାଚନ ସାମଗ୍ରୀ ନଷ୍ଟ କରିଥିଲେ । ମୋତେ, ମୋ ଦଳ ଏବଂ କର୍ମୀ ମାନଙ୍କୁ ଭୟଭୀତ କରିବା ପାଇଁ ପୁଲିସ୍ ଏପରି କାର୍ଯ୍ୟ କରିଥିଲା । ମନ୍ଦ ଉଦ୍ଦେଶ୍ୟ ରଖି ପୁଲିସ୍ ଏପରି ଅଗଣତାନ୍ତ୍ରିକ, ବର୍ବରୋଚିତ କାର୍ଯ୍ୟ କରୁଛି । ଏହା କେବଳ ମୋତେ ନିର୍ଯାତନା ଦେଇ ନାହିଁ ବରଂ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ । ତେଣୁ ଏହାର ତଦନ୍ତ କୌଣସି ନିରପେକ୍ଷ ସଂସ୍ଥା କିମ୍ୱା ନୂଆପଡା ନିର୍ବାଚନରେ ସଂପୃକ୍ତ ନଥିବା ଅଧିକାରୀଙ୍କ ଦ୍ୱାରା କରାଇବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ଘଡାଇ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି ।