ସକ୍ରିୟ ଗୋରୁ ମାଫିଆ, ପଶ୍ଚିମବଙ୍ଗ ଚାଲାଣ
ଖଇରାରୁ ବଳରାମ ଲେଙ୍କା : ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ ଗୋରୁ ମାଫିଆମାନେ ଏବେ ସକ୍ରିୟ ହୋଇ ପଡିଛନ୍ତି । ଖାଲି ଯେ ଖଇରା ଅଞ୍ଚଳ ବିଭିନ୍ନ ଗାଁ ଗହଳିରୁ ଗୋରୁ ବାଙ୍ଗଲାଦେଶ ଚାଲାଣ ହେଉଛନ୍ତି ତା ନୁହେଁ । ବରଂ ଭଦ୍ରକ ବାରିକପୁର ଅଞ୍ଚଳର ଗୋ-ମାଫିଆମାନେ ବେଆଇନ ଗୋରୁ ଗାଡି ଚାଲାଣ ପାଇଁ ଖଇରାର କିଛି ଗାଁ ଓ ରାସ୍ତାକୁ ବ୍ୟବହାର କରି ଶହ ଶହ ସଂଖ୍ୟାର ପିକଅପ୍, ଟ୍ରକ ରାତି ଅଧିଆ ପାର କରୁଛନ୍ତି । ଆଶ୍ଚର୍ଯ୍ୟଜନକ କଥା ଯେ, ଏହି ମାଫିଆଙ୍କ ପଛରେ କିଛି ଜଣେ ପୋଲିସ ଡ୍ରାଇଭରଙ୍କ ପ୍ରଛନ୍ନ ହାତ ରହିଛି । ଗୋରୁ ଗାଡି ଗୁଡିକୁ ପାର କରିବାରେ ଏହି ନେତା ଓ ପୁଲିସ କର୍ମଚାରୀ ସୁରକ୍ଷା ଦେଉଥିବା କୁହାଯାଉଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏହି ବେଆଇନ ଗୋରୁ ଚାଲାଣ ରୋକିବାକୁ ଖଇରା ବ୍ଲକର ୩୭ ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି । ପୂର୍ବରୁ ଖଇରା ବ୍ଲକର କିଛି ଗୋରୁ ହାଟରେ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ଗୋରୁ କିଣାବିକା କରୁଥିଲେ । ଗୋରୁମାନଙ୍କୁ ଚଲାଇ ଚଲାଇ ନେବା ଆଣିବା କରୁଥିଲେ । ଧିରେ ଧିରେ ଗୋରୁମାନଙ୍କୁ ପିକଅପ ଗାଡିରେ ଦୂର ଦୂରାନ୍ତରୁ ନେବା ଆଣିବା ଆରମ୍ଭ ହୋଇଥିଲା । ଗୋଟିଏ ଗୋଟିଏ ଗାଡିରେ ମାଲ ବୋଝେଇ କଲା ଭଳି ୭ରୁ ୮ଟି ଗୋରୁ ବୋଝେଇ କରି ନେବାକୁ ଖଇରା ଅଞ୍ଚଳବାସୀ ବିରୋଧ କରିଥିଲେ । କିଛି ଗାଡିକୁ ଧରି ପୋଲିସ ଜିମା ଦିଆଯିବା ପରେ ମାଫିଆମାନେ ଆଉ ହାଟରୁ ଗୋରୁ କିଣିବାକୁ ସୁରକ୍ଷିତ ମଣି ନଥିଲେ । ଏବେ ଦିନରେ କାରବାର କରିବା ପରିବର୍ତ୍ତେ ସେମାନେ ରାତିରେ ଚାଲାଣ କରୁଛନ୍ତି । ଭଦ୍ରକରୁ ମାଫିଆମାନେ ରାଣିତାଲ ଧୋବାଗଡିଆ କୋଚିଆକୋଇଲି ଗଡ ରାସ୍ତା ଦେଇ କେନାଲ ବନ୍ଧ ଏବଂ ସେହି କେନାଲ ବନ୍ଧ ଦେଇ ସାରକୋଣା, ନୂଆଗାଁ ଖୁଣ୍ଟାଡିହା, ରଙ୍ଗାମାଟିଆ, ଦରଖୋଳି ଦେଇ ମାଙ୍କଡପଡାରେ ଗୋରୁ ଗୁଡିକ ଗୋଠ ରଖୁଛନ୍ତି । ସେଠାରୁ ସେମାନଙ୍କୁ ବାରିପଦା ଏବଂ ପଶ୍ଚିମବଙ୍ଗ କଂସେଇଖାନାକୁ ପଠାଯାଉଥିବା ଅଭିଯୋଗ ହୋଇଛି । ଗୋଟିଏ ଗୋଟିଏ ପିକଅପ୍ରେ ୧୫ରୁ୧୬ଲେଖାଏଁ ଗୋରୁ ଲଦି ଅମାନୁଷିକ ଭାବେ ନିଆଯାଉଥିବା ଅଭିଯୋଗ ହୋଇଛି । ଖଇରାରେ ଗ୍ୟାରେଜ କରିଥିବା ନିର୍ଦ୍ଦିଷ୍ଟ ସଂପ୍ରଦାୟର ବ୍ୟକ୍ତି ଏହି ଚାଲାଣର ମୁଖ୍ୟ ସୁତ୍ରଧର ବୋଲି କୁହାଯାଉଛି । ଏ ସମ୍ପର୍କରେ ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ଗୋରୁଗାଡି ଯାଉଥିବା ସମୟରେ ଫୋନ୍ ଆସିବା ମାତ୍ରେ ସେ ତୁରନ୍ତ ପହଞ୍ଚô ଗିରଫ କରିବେ ବୋଲି କହିଛନ୍ତି ।