ଦର ବୃଦ୍ଧି ନେଇ ସିପିଆଇଏମ ବିକ୍ଷୋଭ
ପୁରୀ : କେନ୍ଦ୍ର ସରକାର ହାଣ୍ଡିଶାଳ ଉପରେ ଚଡ଼କ ପକାଇଛନ୍ତି । ଗ୍ୟାସ୍ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରି କମ୍ପାନୀମାନଙ୍କୁ ପୋଷୁଛନ୍ତି । ସେହିଭଳି ଜୀବନ ରକ୍ଷାକାରୀ ଔଷଧ ଦର ବୃଦ୍ଧି କରି ଫାର୍ମା କମ୍ପାନୀମାନଙ୍କ ପାଇଁ ଭଣ୍ଡାର ଖୋଲି ଦେଉଛନ୍ତି ବୋଲି ସିପିଆଇଏମ୍ ପକ୍ଷରୁ ଅଭିଯୋଗ କରାଯାଇଛି । ଦେଶରେ ବେକାରୀ ସମସ୍ୟା ବଢୁଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଦର ବୃଦ୍ଧି ପ୍ରତିବାଦରେ ବୁଧବାର ଦିନ ସିପିଆଇଏମ୍ ପୁରୀ ଜିଲ୍ଳା ତରଫରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତିବାଦ ସଭା କରାଯାଇଥିଲା । ପ୍ରତିବାଦ ସଭାରେ ସଂପାଦକ ଜଗନ୍ନାଥ ଦେଓ, ସଂପାଦକ ମଣ୍ଡଳୀ ସଭ୍ୟ ଭୀମସେନ୍ ସ୍ୱାଇଁ, ଶରତ କୁମାର ରାୟଗୁରୁ, ସୁରେନ୍ଦ୍ର ଜେନା, ବନବାସିନୀ ମହାପାତ୍ର, କାଶୀନାଥ ବେହେରା, ଗୋବିନ୍ଦ ନାୟକ, ଧନେଶ୍ୱର ସ୍ୱାଇଁ ଓ ଟୁନା ନାୟକ ପ୍ରମୁଖ ଯୋଗଦେଇ ପ୍ରକାଶ କରିଥିଲେ ଯେ ତୈଳକୁ ଜିଏସ୍ଟି ଅନ୍ତର୍ଭୁକ୍ତ କରାଗଲା ନାହିଁ । ବେପାରୀମାନଙ୍କ ଠାରୁ ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ପାର୍ଟି ଚାନ୍ଦା ନେଇ ସେମାନଙ୍କ ଭଣ୍ଡାର ଭରିବା ପାଇଁ ଦରଦାମ ବଢିଚାଲିଛି । ଦେଶର ସଂପଦକୁ ଶାଗ-ମାଛ ଦରରେ ବେପାରୀମାନଙ୍କ ହାତକୁ ଟେକି ଦେଉଛନ୍ତି ସରକାର । ଶ୍ରମ ଆଇନକୁ ସଂଶୋଧନ କରି ମାଲିକମାନଙ୍କ ସପକ୍ଷରେ ଶ୍ରମକୋଡ଼ ଲାଗୁ କରିଛନ୍ତି ।ଏହା ବିରୁଦ୍ଧରେ ଆସନ୍ତା ମେ ମାସ ୨୦ ତାରିଖରେ ଦେଶବ୍ୟାପି ସାଧାରଣ ଧର୍ମଘଟକୁ ଶ୍ରମିକ, କୃଷକ, ବେକାରମାଡ଼, ଏକତାବଦ୍ଧ ହୋଇ ସଫଳ କରିବାକୁ ନେତାମାନେ ଆହ୍ୱାନ ଦେଇଥିଲେ ।