ପ୍ରେମିକଙ୍କ ଗଳାକାଟି ସ୍କୁଟିରେ ପ୍ରେମିକା ଫେରାର

 କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅଧୀନ ହଜାରୀ ଛକରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଗଳାକୁ ତାଙ୍କ ପ୍ରେମିକା କାଟି ଦେଇ ଫେରାର ହୋଇଯାଇଛନ୍ତି। ରାସ୍ତା ପାର୍ଶ୍ୱରେ ପଡିଥିବା ସେହି ଯୁବକଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି। ସମ୍ପୃକ୍ତ ଯୁବକଙ୍କ ବୟାନକୁ ଆଧାର କରି ପୋଲିସ ଏକ ମାମଲା(ନଂ.୩୪୩/୨୫) ରୁଜୁ ତଦନ୍ତ ଚଳାଇଛି। ଏହି ତଦନ୍ତରେ ପୋଲିସ ଫରେନସିକ ଟିମ୍‌ ଓ ଡଗ୍‌ ସ୍କ୍ବାର୍ଡକୁ ସାମିଲ କରିଛି। ତେବେ କେଉଁ କାରଣରୁ ଏପରି ଘଟଣା ଘଟିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ଉକ୍ତ ଘଟଣା ସମ୍ପର୍କରେ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ କହିଛନ୍ତି, ଆହତ ଯୁବକ ଜଣକ ଜଗତସିଂହପୁର ଜିଲା କୁଜଙ୍ଗ ଥାନା ବାଘୁଆ ଠେଙ୍ଗ ଗ୍ରାମର ସତ୍ୟଜିତ ଷଡ଼ଙ୍ଗୀ। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ମାର୍ଶାଘାଇ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା। ଏଏସ୍‌ଆଇ ଲୋଭାବତୀ ସାହୁ ସତ୍ୟଜିତ୍‌ଙ୍କୁ ଗୁରୁତର ଅବସ୍ଥାରେ ହଜାରୀ ଛକ ସେତୁଠାରୁ ଅନତୀ ଦୂରରୁ ଉଦ୍ଧାର କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି। ସତ୍ୟଜିତ କହିଛନ୍ତି, ଜଗତସିଂହପୁର ଜିଲା ତିର୍ତ୍ତେଲ ଥାନା ଅଢ଼ାବତୀ ଗ୍ରାମର ଜଣେ ମହିଳାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଘଟଣାଦିନ ସମ୍ପୃକ୍ତ ମହିଳା ତାଙ୍କ ଗଳାକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ସ୍କୁଟିରେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଜିଲା ପୋଲିସ ତନାଘନା ଚଳାଇଛି। ଖୁବ୍‌ଶୀଘ୍ର ଅପରାଧୀ ଧରାପଡିବେ ବୋଲି ଏସ୍‌ଡିପିଓ ଗୌଡ ସୂଚନା ଦେଇଛନ୍ତି।