ଫାଇଭ-ଟିରେ ଭଙ୍ଗା କାନ୍ଥରେ ଲାଗୁଥିଲା ଚୂନ : ମୋହନ
ରାଜ୍ୟ କ୍ୟାବିନେଟର ୨୭ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । କ୍ୟାବିନେଟ ବୈଠକରେ ମୋଟ ୩ ବିଭାଗର ୪ ପ୍ରସ୍ତାବ ଉପରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ପୂର୍ତ୍ତ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ ଏବଂ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା ବିଭାଗର ଦୁଇଟି, ଏହିଭଳି ମୋଟ ୪ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା।
୨୪ ବର୍ଷର ସରକାରରେ ପ୍ରାଥମିକ ଶିକ୍ଷା ଭୁଷୁଡ଼ି ପଡ଼ିଥିଲା । ଫାଇଭ ଟି ନାମରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ଗତ ସରକାର ଧୋକା ଦେଇଥିଲା । ଭଙ୍ଗା କାନ୍ଥରେ ଚୂନ ମାରି ଆଦର୍ଶ ବିଦ୍ୟାଳୟ, ଫାଇଭ ଟି ରୂପାନ୍ତର ନାମରେ ପ୍ରହସନ କରିଥିଲେ । ପ୍ରାଥମିକ ବିଦ୍ୟାଳୟ ଶିକ୍ଷାର ବିକାଶ ପାଇଁ ଶିକ୍ଷକ ନିଯୁକ୍ତି ଓ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି । ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ନଥିବାରୁ ହାଇସ୍କୁଲକୁ ଯିବାବେଳକୁ ହରଣ ଗୁଣନ ମିଶାଣ ଫେଡ଼ାଣ ବି ଜାଣିପାରୁନଥିଲେ । ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ତେଣୁ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ।