ଫୁଲବାଣୀ ଓ ତାଳଚେର ମେଡ଼ିକାଲ କଲେଜ ୧୦୦ ସିଟରେ ଏବର୍ଷରୁ ପାଠପଢ଼ା
ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି । ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି । ଫୁଲବାଣୀ ସରକାରୀ ମେଡିକାଲ କଲେଜ ପାଇଁ ୧୦୦ ସିଟ୍ ଅନୁମୋଦିତ ହୋଇଥିବା ବେଳେ, ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ସରକାରୀ ମେଡିକାଲ କଲେଜ ପାଇଁ ମଧ୍ୟ ୧୦୦ ସିଟ୍ ଅନୁମୋଦିତ ହୋଇଛି । ଚଳିତ ୨୦୨୫-୨୬ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ ହେବ ।
ଜାତୀୟ ମେଡିକାଲ କମିଶନ୍ ଦ୍ୱାରା ଏହି ମଞ୍ଜୁରୀକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତିଯେ, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲ ଖୁଣ୍ଟ କରିପାରିଛି । ଗୋଟିଏ ବର୍ଷରେ ୨୦୦ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଚଳିତ ଶିକ୍ଷା ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ଗ୍ରହଣ କରିପାରିବେ ।
ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରି ଚାଲିଛନ୍ତି । ଏହି ମଞ୍ଜୁରୀ ଦ୍ୱାରା ସରକାରଙ୍କ ଉଦ୍ୟମ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିବାରୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି ।