୧୧ରେ ସ୍ନାନପୂର୍ଣ୍ଣିମା : ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ
ପୁରୀ : ଜ୍ୟେଷ୍ଠ ପୂର୍ଣ୍ଣମୀରେ ଅନୁଷ୍ଠିତ ହେବମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା । ସ୍ନାନ ପୂର୍ଣ୍ଣମୀରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀକୁ ବିଜେ କରି ମନ୍ତ୍ରପୂତ ସୁଶୀତଳ ସୁବାସିତ ଜଳରେ ଦିବ୍ୟସ୍ନାନ କରିବା ସହ ଭକ୍ତମାନଙ୍କୁ ଗଜାନନ ବା ହାତୀବେଶରେ ଦର୍ଶନ ଦେବେ । ସ୍ନାନ ପୂର୍ଣ୍ଣମୀ ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଯାତ୍ରୀ ସମାଗମ ବୃଦ୍ଧି ପାଇବାରେ ଲାଗିଛି । ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଭକ୍ତମାନଙ୍କର ଆଗମନ ଲାଗି ରହିଛି । ସ୍ନାନପୂର୍ଣ୍ଣମୀର ଅବ୍ୟବହିତ ପୂର୍ବରୁ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଏବେ ଭକ୍ତମାନଙ୍କର ପ୍ରବଳ ଭିଡ଼ । ସ୍ନାନଯାତ୍ରା ଉପଲକ୍ଷେ ଲକ୍ଷଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ସ୍ନାନବେଦୀକୁ ଧଉଳାଯାଇ ଚିତ୍ର କରାଯିବା ସଂଗେସଂଗେ ଚତୁଃପାଶ୍ୱର୍କୁ ରଙ୍ଗୀନ କନାରେ ସୁସଜ୍ଜିତ କରାଯାଉଛି । ସ୍ନାନବେଦୀ ଉପରେ ଶୋଭାପାଇବ ରଙ୍ଗୀନ ଚନ୍ଦ୍ରାତପ । ସ୍ନାନବେଦୀକୁ ଉଜ୍ଜ୍ୱଳ ଆଲୋକରେ ଉଦ୍ଭାଷିତ କରାଯିବା ସହ ରଂଗୀନ ଆଲୋକ ମାଳାରେ ସଜ୍ଜିତ କରାଯିବ । ମରିଚିକୋଟ ଛକ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ସ୍ନାନବେଦୀ ତଳୁ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ସୁବିଧାରେ ଦର୍ଶନ କରିପାରିବେ । କୌଣସି ଭକ୍ତ ସ୍ନାନବେଦୀ ଉପରକୁ ଯାଇ ଶ୍ରୀ ବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସିଂହଦ୍ୱାର ସମ୍ମୁଖସ୍ଥ ଅଞ୍ଚଳରେ ଭକ୍ତମାନଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ସହର ମଧ୍ୟରେ ଥିବା ସହସ୍ରାଧିକ ହୋଟେଲ ଓ ଲଜିଂରେ ଯାତ୍ରୀମାନଙ୍କ ରହଣି ପାଇଁ ସୁବ୍ୟବସ୍ଥା କରାଯାଇଛି । ପ୍ରାୟତଃ ହୋଟେଲ ଅନ୍ଲାଇନ୍ ମାଧ୍ୟମରେ ବୁକିଂ ହୋଇସାରିଛି ।