୪ କୋଟି ହେରଫେର: ଗିରଫ ହେଲେ ତହସିଲଦାର

ସ୍ୱତନ୍ତ୍ର ପ୍ରତିନିଧି ପ୍ରୟାଗରାଜ କର : ଓଡ଼ିଶାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଳୁ୍ୟ) ଆଜି ବେଲପାହାର ପୌରପାଳିକାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂଙ୍କୁ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଞ୍ଚଳ ମାଙ୍କଡକେଣ୍ଡିଆ ଠାରେ ଗିରଫ କରିଛି । ମଧୁସ୍ମିତା ବର୍ତ୍ତମାନ ଜାମଦା ତହସିଲଦାର ଭାବେ ରହିଥିବାବେଳେ ନିଲମ୍ବିତ ଅଛନ୍ତି । ତାଙ୍କ ବିରୁଦ୍ଧରେ ବେଲପାହାର ମୁନିସିପାଲିଟିରେ ପ୍ରାୟ ୪ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଓ ଅର୍ଥ ଆତ୍ମସାତ ଅଭିଯୋଗ ରହିଛି  । ଅଭିଯୁକ୍ତଙ୍କୁ ଆସନ୍ତାକାଲି ସମ୍ବଲପୁରର ଓପିଆଇଡି ଆଇନ ଅଧୀନରେ ନିର୍ଦ୍ଦିଷ୍ଟ କୋର୍ଟରେ ହାଜର କରାଯିବ ।
ଇଓଡବ୍ଳୁ୍ୟ ପକ୍ଷରୁ ବେଲପାହାର ଥାନା ମାମଲା ନମ୍ବର ୧୭୦ (୧୮.୦୮.୨୦୨୫)କୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା  । ବେଲପାହାର ମୁନିସିପାଲିଟିର ବର୍ତ୍ତମାନର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରା ପ୍ରଧାନଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା । ଅଭିଯୋଗରେ ମୁନିସିପାଲିଟିର ଆକାଉଣ୍ଟାଣ୍ଟ ବିଭୂତି ସାହୁ ଓ ସ୍ୱଚ୍ଛତା ବିଶେଷଜ୍ଞ ସୌମ୍ୟ ବିଶ୍ୱ ରଞ୍ଜନ ମହାଲିଙ୍କ ନାମ ମଧ୍ୟ ରହିଛି  । ଅଭିଯୋଗ ଅନୁଯାୟୀ, “ଉନ୍ନତି ଯୋଜନା” ଓ ୧୫ତମ ଅର୍ଥ କମିଶନ ଅଧୀନରେ ମୁନିସିପାଲିଟିକୁ ମିଳିଥିବା ଅର୍ଥରେ ଅନିୟମିତତା ହୋଇଛି  । ତଦନ୍ତରୁ ଜଣାପଡ଼ିଛିଯେ, ମଧୁସ୍ମିତା ସିଂ ୦୪.୧୦.୨୦୨୩ରୁ ୩୧.୦୫.୨୦୨୫ ପର୍ଯ୍ୟନ୍ତ ବେଲପାହାର ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ଏହି ସମୟରେ ମୁନିସିପାଲିଟିକୁ “ଉନ୍ନତି ଯୋଜନା” ଅଧୀନରେ ୨ କୋଟି ଟଙ୍କା ଓ ୧୫ତମ ଅର୍ଥ କମିଶନରୁ ଅର୍ଥ ମିଳିଥିଲା । ନିଦେ୍ର୍ଦଶ ଥିଲା ଯେ ଏହି ଅର୍ଥ ରାସ୍ତା, ନାଳୀ ନିର୍ମାଣ ଓ ସଂସ୍କାର କାର୍ଯ୍ୟରେ ଖର୍ଚ୍ଚ ହେବ । କିନ୍ତୁ, ଏହାକୁ ସଜାବଟା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ବ୍ୟବହାର କରାଯାଇଛି । ତଦନ୍ତରୁ ଜଣାପଡ଼ିଛି ଯେ, “ଉନ୍ନତି” ଯୋଜନାରୁ ୧.୫୬ କୋଟି ଟଙ୍କା ବିନା ଅନୁମୋଦନ ଓ ଡକୁମେଣ୍ଟେସନ୍ରେ ଖର୍ଚ୍ଚ ହୋଇଛି  ।  ଏହାସହ, ୨୦୦ଟି ସଜାବଟା ଲାଇଟ୍, ଯାହାର ମୂଲ୍ୟ ଲାଇଟ୍ ପିଛା ୭୮ ହଜାର ଟଙ୍କା ହିସାବରେ କିଣାଯାଇଥିବା ଦାବି କରାଯାଇଛି  । କିନ୍ତୁ ଯାଞ୍ଚ ବେଳେ କେବଳ ୧୭୧ଟି ଲାଇଟ୍ ସ୍ଥାପନ ହୋଇଥିବା ଜଣାପଡ଼ିଛି  । ଏଥିରେ ୨୨.୬୨ ଲକ୍ଷ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ରହିଛି । ସେହିପରି, ୧୫ତମ ଅର୍ଥ କମିଶନରୁ ମିଳିଥିବା ୮୩.୮୭ ଲକ୍ଷ ଟଙ୍କା ଆନନ୍ଦ ସପ୍ଲାୟର୍ସକୁ ରାସାୟନିକ ପଦାର୍ଥ କିଣା ପାଇଁ ଦିଆଯାଇଥିବା ଦର୍ଶାଯାଇଛି  । କିନ୍ତୁ ଏହାର ସମର୍ଥନରେ କୌଣସି କ୍ରୟ ଆଦେଶ, ଷ୍ଟକ୍ ରେଜିଷ୍ଟର କିମ୍ବା ଡେଲିଭରୀ ଚାଲାଣ ଉପଲବ୍ଧ ନାହିଁ । ସେହିପରି, ଲାଡ଼ଲି ଏଣ୍ଟରପ୍ରାଇଜେସକୁ ୧୮.୨୮ ଲକ୍ଷ ଟଙ୍କା ଦିଆଯାଇଥିବା ଦର୍ଶାଯାଇଛି, କିନ୍ତୁ ଏହାର କୌଣସି ସମର୍ଥନମୂଳକ ଦଲିଲ ନାହିଁ । ଷ୍ଟକ୍ ଯାଞ୍ଚ ସମୟରେ ମାତ୍ର ୧୪.୯୬ କିଲୋଗ୍ରାମ ରାସାୟନିକ ପଦାର୍ଥ ମିଳିଥିବା ଜଣାପଡ଼ିଛି  । ଏହି ଅନିୟମିତତାରେ ମଧୁସ୍ମିତା ସିଂ, ବିଭୂତି ସାହୁ ଓ ସୌମ୍ୟ ବିଶ୍ୱ ରଞ୍ଜନ ମହାଲିଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି  । ଇଓଡବ୍ଳୁ୍ୟ ଏହି ମାମଲାରେ ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ସମ୍ପୃକ୍ତମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛି ।