ବଢୁଛି ମ୍ୟାଲେରିଆ ପ୍ରକୋପ


ଗତ ୨/୩ ବର୍ଷ ହେଲା ଓଡ଼ିଶାରେ ମ୍ୟାଲେରିଆ ସଙ୍କ୍ରମଣର ସ୍ଥିତି ଉପରମୁହାଁ ହୋଇଥିବା ଲକ୍ଷ୍ୟ କରାଗଲାଣି । ପୂର୍ବରୁ କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଆଦି କେତେକ ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ହେଉଥିବା ଲକ୍ଷ୍ୟ କରାଯାଇଥିଲା । ଏହିସବୁ ଜିଲ୍ଲାଗୁଡ଼ିକୁ ସର୍ବାଧିକ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବରେ ଦର୍ଶାଇ ରାଜ୍ୟ ସରକାର ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ । ଯାହାର ନାଁ "ଦମନ' ଥିଲା । ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି "ଦମନ' ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା । ଯେଉଁଥିରେ ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବଂ ନିରାକରଣ କ୍ଷେତ୍ରରେ ବ୍ୟାପକ ଅଭିଯାନର ସଫଳତାକୁ ଦର୍ଶାଯାଇଥିଲା । ପରବର୍ତ୍ତୀ ସମୟରେ ଦମନର ନାମକୁ ମ୍ୟାଲେରିଆ ନିରାକରଣ ଦିଗରେ ବ୍ୟବହାର କରି ରାଜ୍ୟ ସରକାର ଅନେକ ସଫଳତା ମଧ୍ୟ ପାଇଥିଲେ ଏବଂ ମ୍ୟାଲେରିଆ ସଂକ୍ରମଣ ଗ୍ରାଫ୍ ନିମ୍ନମୁଖୀ ହୋଇଥିଲା । ହେଲେ ବର୍ତ୍ତମାନ ପୁଣିଥରେ ମ୍ୟାଲେରିଆ ସଂକ୍ରମଣର ଗ୍ରାଫ୍ ଉପରମୁହାଁ ହେବା ଏକ ଚିନ୍ତାର ବିଷୟ ପାଲଟିଛି । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ମଶାରୀ ବ୍ୟବହାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସରକାରଙ୍କ ପକ୍ଷରୁ ଔଷଧ ଗୋଳା ମଶାରୀ ବ୍ଲକ୍ ଏବଂ ପଞ୍ଚାୟତ ମାଧ୍ୟମରେ ଲୋକମାନଙ୍କୁ ଦିଆଯାଉଥିଲା । ଏହି ଔଷଧ ଗୋଳା ମଶାରୀ ଉପରେ ମଶା ବସିଲେ ସେମାନେ ତତ୍କ୍ଷଣାତ୍ ମରି ଯାଉଥିଲେ । ଏହି ପ୍ରକି୍ରୟାରେ ମଶା ଦମନ କରାଯାଇ ମ୍ୟାଲେରିଆ ନିରାକରଣରେ ଅନେକ କିଛି ସଫଳତା ମିଳିଥିଲା । ତେବେ ପ୍ରାୟ ୨ ବର୍ଷ ହେଲା ରାଜ୍ୟ ସରକାର ଆଉ ଔଷଧ ଗୋଳା ମଶାରୀ ଗ୍ରାମାଞ୍ଚଳରେ ବାଣ୍ଟୁନାହାନ୍ତି କିମ୍ବା ଲୋକଙ୍କ ମଶାରୀକୁ ଔଷଧ ଗୋଳାଇ ସେମାନଙ୍କୁ ଆଉ ଦିଆଯାଉନାହିଁ । ତେଣୁ ମ୍ୟାଲେରିଆ ସଂକ୍ରମଣ ବର୍ତ୍ତମାନ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି । 
ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ୩୦ଟି ଯାକ ଜିଲ୍ଲାର ସହରାଞ୍ଚଳରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ରକ୍ତ ନମୂନା ପରୀକ୍ଷାରୁ ଏହି ଘଟଣା ଜଣାପଡ଼ିଛି । ପୂର୍ବରୁ ଛତିଶଗଡ଼, ଝାଡ଼ଖଣ୍ଡ ଭଳି କେତୋଟି ମ୍ୟାଲେରିଆ ପ୍ରବଣ ରାଜ୍ୟକୁ ପଛରେ ପକେଇ ଓଡ଼ିଶାର ସ୍ଥିତି ଭଲ ଥିଲା, ମାତ୍ର ଦିନକୁ ଦିନ ଓଡିଶାର ସ୍ଥିତି ଖରାପ ହେଉଛି । ୨୦୨୪ ମସିହାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଦେଢ଼ କୋଟି ଔଷଧ ଗୋଳା ମଶାରୀ ଯୋଗାଇବା ପାଇଁ ଅନୁରୋଧ କରିଥିଲେ । ଅଥଚ ତାହା କେନ୍ଦ୍ର ସରକାରଙ୍କ ନିକଟରୁ ଆସିଲା ନାହିଁ । ତେଣୁ ଗ୍ରାମାଞ୍ଚଳଗୁଡ଼ିକରେ କମିଯାଇଥିବା ମ୍ୟାଲେରିଆ ପୁଣିଥରେ ବଢ଼ିବାରେ ଲାଗିଲାଣି । ସହରାଞ୍ଚଳଗୁଡ଼ିକରେ ବର୍ଜ୍ୟ ଏବଂ ଦୂଷିତ ଜଳ ପରିଚାଳନା ଦିଗରେ ଅନେକ ସମସ୍ୟା ରହିଛି । ତେଣୁ ମଶା ବଂଶ ବୃଦ୍ଧିକୁ କମାଇବା ନିମିତ୍ତ ରହିଥିବା କାର୍ଯ୍ୟକ୍ରମ ସହଜରେ ସଫଳ ହେଉନାହିଁ । ଗତ ୨ ବର୍ଷ ହେଲା ଲୋକମାନଙ୍କୁ ଔଷଧ ଗୋଳା ମଶାରୀ ଯୋଗାଇବା କିମ୍ବା ଲୋକଙ୍କ ମଶାରୀକୁ ଔଷଧରେ ଗୋଳାଇବା କାମ ପୁରାପୁରୀ ବନ୍ଦ ହୋଇଯାଇଛି । ଅନ୍ୟପକ୍ଷରେ ମଶାମାନଙ୍କର ସଂଖ୍ୟା ବୃଦ୍ଧିକୁ ନେଇ ଆଉ ଏକ ସମସ୍ୟା ଦେଖା ଦେଲାଣି । ତାହା ହେଲା ଲୋକମାନେ ମଶା ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ମଶାମରା ଅଗରବତୀ ବ୍ୟବହାର କରୁଛନ୍ତି । ଏହି ମଶାମରା ଅଗରବତୀର ଧୂଆଁ ଶରୀର ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଏହାକୁ ଲୋକମାନେ ଜାଣୁନାହାନ୍ତି । ତେଣୁ ଉକ୍ରଟ ପ୍ରକାରର ବିଷଗୋଳା ମଶା ଅଗରବତୀ ବ୍ୟବହାର କରି ଲୋକମାନେ ଭୟଙ୍କର ଶାରୀରିକ ସମସ୍ୟାକୁ ଡ଼ାକି ଆଣୁଛନ୍ତି । ମଶାରୀ ବ୍ୟବହାର କରିବା ଭଳି ଏକ ଅଭ୍ୟାସକୁ ଗ୍ରହଣ କରିବା ସବୁଠାରୁ ନିରାପଦ ହୋଇଥିଲେ ମଧ୍ୟ ତାକୁ ଲୋକେ ଗ୍ରହଣ କରିପାରୁନାହାନ୍ତି । ତେବେ ଯାହା ବି ହେଉ ମଶାମରା ଅଗରବତୀ ବଦଳରେ ମଶାରୀ ବ୍ୟବହାର କରିବାର ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚିବା ନିହାତି ଆବଶ୍ୟକ ।